ସୁନ୍ଦରଗଡ଼ରେ ସ୍ୱର୍ଣ୍ଣିମ ଅଧ୍ୟାୟ ଆଜି କମ୍ପିବ ଓଡ଼ିଶା

0 63

ଭୁବନେଶ୍ୱର, ୪ା୧(ଡିକେ ନ୍ୟୁଜ): ଆଉ ମାତ୍ର ୯ ଦିନ ପରେ ଓଡ଼ିଶାରେ ଖେଳାଯିବଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ । ଚଳିତ ମାସ ୧୩ରୁ ପୁରୁଷ ହକି ବିଶ୍ୱକପ୍ର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବ । ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଏହି ମେଗା ଇଭେଣ୍ଟର ସମସ୍ତ ମ୍ୟାଚ୍‌ ଖେଳାଯିବ । ଏଥିଲାଗି କଳିଙ୍ଗ ଷ୍ଟାଡିୟମ ଓ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି । ତେବେ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକଲୋ ଗସ୍ତରେ ଆସି ବିପିୟୁଟି ପରିସରସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ବିର୍ସା ମୁଣ୍ଡା ଫୁଟବଲ୍‌ ଷ୍ଟାଡିୟମ ସମେତ ୧୦ରୁ ଅଧିକ ପ୍ରକଳ୍ପ ସେ ଉଦ୍‌ଘାଟନ କରିବେ । କାଲି ଦିନ ୧୨ଟା ୧୫ରେ ରାଉରକେଲାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନବନ୍ଦରରୁ ହକି ଷ୍ଟାଡିୟମ୍‌ ଯିବେ ମୁଖ୍ୟମନ୍ତ୍ରୀ । ଷ୍ଟାଡିୟମରେ ରହୁଥିବା ଖେଳାଳିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ପରେ ଅପରାହ୍ନର ୪ଟା ସମୟରେ ଡିଏଭି ପୋଖରୀ ନିକଟରେ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ପରେ ଅପରାହ୍ନ ୪ଟା ୨୫ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ ୧୫ ମିନିଟ ରହିବେ । ଉଦ୍‌ଘାଟନ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ଖେଳାଳୀ, ବରିଷ୍ଠ ଖେଳାଳି ଉପସ୍ଥିତ ରହିବେ । ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜା କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣା ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ୧୧ ଶହ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହକି ଷ୍ଟାଡିୟମ ଉଦଘାଟନ କରିବା ପରେ ବାସନ୍ତୀ କଲୋନି ଡିଏଭି ପୋଖରୀର ୱାଟର ପାର୍କ ଉଦ୍‌ଘାଟନ କରିବେ । ତା’ପରେ ୧୪୬ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ, ମଲ୍ଡିଂ କାର୍‌ ପାର୍କିଂ ବ୍ୟବସ୍ଥା, ୧୧ କୋଟି ୯୯ ଲକ୍ଷ ବ୍ୟୟରେ ତିଆରି ଡିଏଭି ପୋଖରୀର ୱାଟର ପାର୍କ, ୧୭ କୋଟି ୯୩ ଲକ୍ଷ ଟଙ୍କାର ହନୁମାନ ବାଟିକା ଛକରୁ ଆର୍‌ଏସପି ମେନ୍‌ ଗେଟ୍‌ ପର୍ଯ୍ୟନ୍ତ ରିଂ ରୋଡର ସୌନ୍ଦର୍ଯ୍ୟକରଣ, ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସରେ ୧୬ କୋଟି ୭ଲକ୍ଷ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ମଧ୍ୟ ଉଦ୍‌ଘାଟନ କରିବେ । ସେହିପରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ହକି ଆଷ୍ଟ୍ରୋଟର୍ଫ ମଧ୍ୟ ଉଦ୍‌ଘାଟନ କରିବେ । ଏଥିସହ ୨ କୋଟି ୩୩ ଲକ୍ଷ ବ୍ୟୟରେ ଟ୍ରାଫିକ ଛକ ନିକଟ ସେନ୍ସରି ପାର୍କ , ୩ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରଘୁନାଥପାଲୀ ଭେଣ୍ଡିଂ ଜୋନ୍‌, ୫୦ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ପାନପୋଷ ଏନ୍‌ଏସି ମାର୍କେଟ ତଥା ହକି ଛକର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପଗୁଡ଼ିକୁ ମଧ୍ୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏସପି ମୁକେଶ କୁମାର ଭାମୋଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସୁରକ୍ଷାକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଆର୍‌ଏମ୍ସି ସମ୍ମିଳନୀ କକ୍ଷରେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନ ହେବାକୁ ଯାଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରାଯାଇଛି ।

Leave A Reply

Your email address will not be published.