ବିଶ୍ୱର ସର୍ବବୃହତ୍‌ ହକି ଷ୍ଟାଡିୟମ୍‌ ଉଦ୍‌ଘାଟିତ, କ୍ରୀଡ଼ା ବିକାଶରେ ସ୍ୱର୍ଣ୍ଣିମ ଅଧ୍ୟାୟ

0 53

ରାଉରକେଲା, ୫ା୧(ଡିକେ ନ୍ୟୁଜ): ସାରା ଓଡିଶା ପାଇଁ ଆଜି ଆନନ୍ଦ, ଉତ୍ସବ ଓ ଖୁସିର ଦିନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ବିଶ୍ୱ କ୍ରୀଡା ଇତିହାସରେ ଯୋଡି ହୋଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ୨୬୧ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଏହି ଷ୍ଟାଡିୟମ୍‌ ମାତ୍ର ୧୫ମାସରେ ନିର୍ମାଣ ହୋଇଛି । ହକିକୁ ଭଲ ପାଉଥିବା ସମସ୍ତଙ୍କୁ, ଖେଳାଳୀ, ସାଧାରଣ ଜନତା, ଓଡିଶାର ହକିପ୍ରେମୀ ଦେଶର ହକି କ୍ରୀଡାବିତ୍‌ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିୟମକୁ ମୁଁ ଉତ୍ସର୍ଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ହକିକୁ ଭଲ ପାଉଥିବା ସମସ୍ତଙ୍କୁ ହକି ବିଶ୍ୱକପ୍‌ ଭବ୍ୟ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ । ବିଶ୍ୱକପ୍‌ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ଏକ କୋଟି ଟଙ୍କା ଦିଆଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଉପସ୍ଥିତ ଜନସାଧାରଣ ଓ କ୍ରୀଡାପ୍ରେମୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ଓଡିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର । ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ ଶକ୍ତି ଭାବରେ ଗଢି ତୋଳିବ ଏବଂ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ମଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ । ମୁଖ୍ୟମନ୍ତ୍ରୀ କହିଥିଲେ ହକିର ସ୍ୱର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ୍‌ ଓଡିଶା ମାଟିର ଗୌରବ ଗାନ କରୁଛି । ଏହି ଷ୍ଟାଡିୟମ ସାରା ବିଶ୍ୱ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇରହିବ ଏବଂ ଦେଶର ପ୍ରମୁଖ ଟିମ୍‌ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇ·ଲିବ । ଆମର ଏହି ଉଦ୍ୟମ ଦେଶର ଯୁବ ଖେଳାଳି ମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ । ଦେଶରେ ଅନେକ ଚାମ୍ପିଅନ ସୃଷ୍ଟି କରିବ ଏବଂ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରି·ଲିବ ବୋଲି ସେ କହିଥିଲେ । ମହାପ୍ରଭୁଙ୍କ ଆଶୀର୍ବାଦ, ସମସ୍ତଙ୍କ ସଦିଚ୍ଛା ଓ ଭଲପାଇବା ଯୋଗୁ ଆମର ସ୍ୱପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବାର ଉଦ୍ୟମର ଏହା ପ୍ରତିଫଳନ । ଦେଶର କ୍ରୀଡା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଷ୍ଟାଡିୟମ ଓଡିଶାର ଛବିକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆଗାମୀ ଅନେକ ଯୁଗ ପର୍ଯ୍ୟନ୍ତ ଏହି ଷ୍ଟାଡିୟମ ଆମର ମୁକୁଟମଣି ହୋଇ ହକି ପ୍ରତି ଭାରତୀୟ ମାନଙ୍କର ଭାବାବେଗ ଓ ଭଲପାଇବାକୁ ପରିପ୍ରକାଶ କରି·ଲିବ । ଏହା ଭାରତୀୟ ହକିର ଅନ୍ତୁଡିଶାଳ ହୋଇ ରହିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଓ ହକି ଇଣ୍ଡିଆର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ଷ୍ଟାଡିୟମ୍‌ରେ ଏକାଠି ୨୦ହଜାରରୁ ଅଧିକ ଦର୍ଶକ ବସି ଖେଳ ଦେଖିପାରିବେ । ୨୦୨୧ ଫେବୃଆରୀରୁ ଆରମ୍ଭ ହୋଇଥିବା ନିର୍ମାଣ କାମ ମାତ୍ର ୧୫ ମାସ ମଧ୍ୟରେ ଶେଷ ହେବା ଏକ ଆଶ୍ଚର୍ଯ୍ୟକର ଘଟଣା । ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ ରହିବା ପାଇଁ ୨୨୫ଟି କୋଠରି ନିର୍ମାଣ ହୋଇଛି । ଷ୍ଟାର ହୋଟେଲର ସୁବିଧା ଏଠି ମିଳିପାରିବ । ବିଶ୍ୱକପ୍‌ ହକି ଗ୍ରାମ ମଧ୍ୟ ନିର୍ମାଣ କରାଯାଇଛି । ଭିନ୍ନକ୍ଷମଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ସୁଗମ୍ୟ ବ୍ୟବସ୍ଥା ହୋଇଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହୋଇଛି ଷ୍ଟାଡିୟମ୍‌ । ହକି ୱାର୍ଲ୍ଡକପ୍‌ ଭିଲେଜର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଇଣ୍ଡିଆ ଏ ଓ ଇଣ୍ଡିଆ ବି ଟିମ୍‌ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦ୍‌ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରି ସେଠାରେ ଭାରତୀୟ ହକି ଟିମ୍‌ର ଖେଳାଳୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ୪୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁନ୍ଦରଗଡ ମେଡିକାଲ କଲେଜ ଉଦ୍‌ଘାଟନ କରିବା ସହିତ ପିଲାଙ୍କ ସହ ବାର୍ତ୍ତାଳାପ କରିଥିଲେ । ୫-ଟି ମନ୍ତ୍ରରେ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ସେବା
ଯୋଗାଇବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ରାଉରକେଲାରେ ଆରମ୍ଭ ହେଲା ମୋ ବସ୍‌ ସେବା । ୩୦ଟି ମୋ ବସ୍‌କୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ସ୍ୱତନ୍ତ୍ର ଆପ୍‌ ଦ୍ୱାରା ମୋ ବସ୍‌ ପରିଚାଳିତ ହେବ । ସହରର ପ୍ରମୁଖ ସ୍ଥାନ ସହିତ ଏୟାରପୋର୍ଟ ଏବଂ ରେଳଷ୍ଟେସନ୍‌ରୁ ଏହା ଚଳାଚଳ କରିବ ।

Leave A Reply

Your email address will not be published.