ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ରାଉରକେଲା ଉଡ଼ିଲା ବିମାନ

0 76

ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ଭୁବନେଶ୍ୱରରୁ ରାଉରକେଲାକୁ ଉଡିଲା ବିମାନ । ଆଲଏନ୍ସ ଏୟାର ବିମାନ ଉଡାଣ ଆରମ୍ଭ କରିଛି । ପତାକା ଦେଖାଇ ଉଡ଼ାଣର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଭର୍ଚ୍ଚୁଆଲରେ ଉଦ୍‌ଘାଟନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଯେ, ଏହି ବିମାନ ଭୁବନେଶ୍ୱର ବିମାନବନ୍ଦର ଛାଡ଼ିଲା ପରେ ରାଉରକେଲାରେ ୫୫ ମିନିଟ ପରେ ଅର୍ଥାତ ୧୧ଟା ୪୦ ମିନିଟରେ ପହଞ୍ଚିବ । ଏହାପରେ ୧୨ଟା ୫ ମିନିଟରେ ରାଉରକେଲା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରରେ ଅପରାହ୍ଣ ୧ଟାରେ ପହଞ୍ଚିବ । ତେବେ ଆସନ୍ତା ୧୨ ତାରିଖରୁ ଦୈନିକ ଉଡ଼ାଣ ଜାରି ରହିବ ବୋଲି ସୂଚନା ମିଳିଛି । ପ୍ରତିଦିନ ବିମାନ ଭୁବନେଶ୍ୱରରୁ ୨ଟା ୫୫ ମିନିଟରେ ଛାଡ଼ିବ ଏବଂ ରାଉରକେଲା ବିମାନବନ୍ଦରରେ ୩ଟା ୫୦ ମିନିଟରେ ପହଞ୍ଚିବ । ରାଉରକେଲାରୁ ୪ଟା ୧୫ ମିନିଟରେ ବାହାରି ଭୁବନେଶ୍ୱରରେ ୫ଟା ୧୦ ମିନିଟରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱରରୁ ରାଉରକେଲା ପର୍ଯ୍ୟନ୍ତ ବିମାନରେ ଟିକେଟ ମୂଲ୍ୟ ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ୱର ବିମାନର ଟିକେଟ ମୂଲ୍ୟ ୨୮୨୧ ଟଙ୍କା ରହିଥିବା ସୂଚନା ମିଳିଛି । ଟର୍ମିନାଲ ସେଣ୍ଟର, ରନ୍‌ୱେ, ଏୟାର ସିଗ୍ନାଲ ଆଦିର ନବୀକରଣ ସରିଯାଇଛି । ଏହି ବିମାନରେ ୭୨ ସିଟ୍‌ ରହିଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ଏହି ବିମାନ ସେବା ଆରମ୍ଭ ହେବା ପରେ ବହୁ ଦିନର ଆଶା ପୂରଣ ହୋଇଛି ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.