ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା

0 65

ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ଆଉ ଦୁଇଦିନ ଜାଡ଼ରେ ଥରିବ ସାରା ରାଜ୍ୟ । ୨/୩ ଦିନ ଯାଏ ରାତି ତାପମାତ୍ରା ସ୍ୱ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି କମିବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ସକାଳ ସାଢେ଼ ୮ଟା ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ତାରିଖ ସକାଳ ସାଢେ଼ ୮ଟାରୁ ୮ ତାରିଖ ସକାଳ ସାଢେ଼ ୮ଟା ଯାଏ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଛି । ଏଣେ ୮ ତାରିଖ ସକାଳ ସାଢେ଼ ୮ଟାରୁ ୯ ତାରିଖ ସକାଳ ସାଢେ଼ ୮ଟା ଯାଏ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । କିନ୍ତୁ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ କଥା କହିଛନ୍ତି । ତାଙ୍କ ଆକଳନ କହୁଛି, ଆସନ୍ତା ୮ତାରିଖରୁ ରାଜ୍ୟରେ ଶୀତ କମିବ । ଏହାପରେ ସପ୍ତାହେ ପର୍ଯ୍ୟନ୍ତ ଶୀତ ବଢ଼ିବାର ସମ୍ଭାବନା ନାହିଁ । ଦିନର ତାପମାତ୍ରା ମଧ୍ୟ ବଢ଼ିବ । ପାଗ ଶୁଖିଲା ଓ ଖରାଟିଆ ରହିବ । ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବାୟୁର ଆର୍ଦ୍ରତା ବଢ଼ିବା ସହିତ କୁହୁଡ଼ି ହେବ । ଭୁବନେଶ୍ୱର ସମେତ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ୧ରୁ ୧୦ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ଡିଗ୍ରି ବଢ଼ିବ । ଦକ୍ଷିଣ ଆଭ୍ୟନ୍ତରରେ ୮ରୁ କ୍ରମଶଃ ବୃଦ୍ଧି ହୋଇ ୧୨ତାରିଖ ସୁଦ୍ଧା ତାପମାତ୍ରା ୪ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି । ଉପକୂଳରେ ୯ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବ । ୧୩ ସୁଦ୍ଧା ପାରଦ ୩ରୁ ୪ଡିଗ୍ରି ବଢ଼ିପାରେ । କିନ୍ତୁ ଉତ୍ତର ଆଭ୍ୟନ୍ତରରେ ୯ ତାରିଖ ପରେ ତାପମାତ୍ରା ବଢ଼ିବାର ସମ୍ଭାବନା ପ୍ରାୟ ନାହିଁ । ଉପକୂଳ ଓ ସଂଲଗ୍ନ ଜିଲ୍ଲା ସହ ରାଜ୍ୟର ଅନେକ ଜିଲ୍ଲାରେ ୮ ତାରିଖରୁ କୁହୁଡ଼ି ପଡ଼ିବ । ୧୧ରୁ ୧୫ ତାରିଖ ଭିତରେ କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଶୀତ ପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ପୋରେସନ୍‌କୁ ଏସ୍‌ଆରସି ଚିଠି ଲେଖିଛନ୍ତି । ସ୍କୁଲ ଓ କଲେଜଗୁଡ଼ିକରେ ରାତି ଆଶ୍ରୟସ୍ଥଳ ଖୋଲିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ମହିଳା ଓ ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କହିଛନ୍ତି । ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ଶୀତ ପ୍ରବାହ ଆଶଙ୍କା ଥିବାରୁ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ସତର୍କତା ଜାରି କରିଛି । ଅଧିକ ରାତିରେ ଘରେ ରହିବା ସହିତ ବୟସ୍କ ଓ ଶିଶୁଙ୍କ ପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଛି । ଯାତାୟାତ ସମୟରେ ଯଥେଷ୍ଟ ଶୀତବସ୍ତ୍ର ପିନ୍ଧିବା ସହିତ ଗରମ ଖାଦ୍ୟ ଓ ଉଷୁମ ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି । ଅତ୍ୟଧିକ ଥଣ୍ଡା ପାଣି ବ୍ୟବହାର ନ କରିବାକୁ କୁହାଯାଇଥିବା ବେଳେ ଗୃହପାଳିତ ପଶୁ ଓ ପକ୍ଷୀମାନଙ୍କ ଯତ୍ନ ନେବା ପାଇଁ କୁହାଯାଇଛି । ଏଥିସହିତ ଅସୁସ୍ଥ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ଜାରି ରହିଛି । ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨.୨ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଛି । ଲଗାତାର ଥଣ୍ଡା ସହର ଭାବେ ରହିଆସିଥିବା ଦିଲ୍ଲୀରେ ଏବେ ୫ ଡିଗ୍ରୀ ତଳକୁ ଆଭେରେଜ ରହୁଛି । ବର୍ତ୍ତମାନ ସୁଦ୍ଧା ତାପମାତ୍ରା ଅତି ନିମ୍ନସ୍ତରରେ ପହଞ୍ଚିଛି । ଅତ୍ୟଧିକ ଥଣ୍ଡାରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେତେକ ଅଞ୍ଚଳରେ ତୁଷାରପାତ ଜାରି ରହିଛି । ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ସକାଳ ବେଳା ରାସ୍ତାଘାଟ ଅନ୍ଧାର ହୋଇଯାଉଛି । ପ୍ରାୟ ୫୦ ମିଟର ଯାଏ କିଛି ଦିଶୁନି । ପ୍ରବଳ କୁହୁଡ଼ି ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରାୟ ୩୬ଟି ଟ୍ରେନ୍‌ ବିଳମ୍ବରେ ·ଲୁଛି ।

Leave A Reply

Your email address will not be published.