ଦୀର୍ଘଦିନ ହେଲା ସ୍କୁଲ ମାଟି ମାଡ଼ୁନାହାନ୍ତି, ୯୬ ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

0 195

ଭୁବନେଶ୍ୱର, ୭ା୧(ଡିକେ ନ୍ୟୁଜ): ଶିକ୍ଷକ ଭାବେ ନିଯୁକ୍ତି ପାଇ ବି ଦୀର୍ଘ ଦିନ ହେଲା ସ୍କୁଲ ମାଟି ମାଡ଼ୁ ନାହାନ୍ତି । ଏପରି ଶିକ୍ଷକଙ୍କୁ ଟାର୍ଗେଟ କରିଛି ଶିକ୍ଷା ବିଭାଗ । ଏଯାବତ୍‌ ପ୍ରାୟ ୪୦ ଜଣ ଶିକ୍ଷକ ନିଲମ୍ବିତ ହୋଇ ସାରିଥିବା ବେଳେ ଆଉ ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ । ସେମାନଙ୍କ ପତ୍ତା ମିଳୁନଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ସାରା ରାଜ୍ୟରେ ପାଖାପାଖି ୯୬ ଶିକ୍ଷକ ଦୀର୍ଘଦିନ ହେଲା ସ୍କୁଲରେ ଅନୁପସ୍ଥିତ ରହିଛନ୍ତି । ୨ଥର ନୋଟିସ ଦିଆଯିବା ପରେ ବି ସେମାନେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି । କେବଳ ସେତିକି ନୁହେଁ, ଜିଲ୍ଲାପାଳଙ୍କ ଦ୍ୱାରା ଯେଉଁମାନେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛନ୍ତି, ଚୁକ୍ତି ସରିଯିବା ପରେ ପୁନଃ ଚୁକ୍ତି କରିବାକୁ ସେମାନେ ଆସୁନାହାନ୍ତି । ଏପରି ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ଦୀର୍ଘଦିନ ହେଲା କାର୍ଯ୍ୟରେ ଅନୁପସ୍ଥିତି ହେତୁ କିଛିଦିନ ପୂର୍ବରୁ ମାଲକାନଗିରି ଜିଲ୍ଲାର ୧୦ କନିଷ୍ଠ ଶିକ୍ଷକଙ୍କ ସହିତ ନବରଙ୍ଗପୁର ଜିଲ୍ଲାର ୨୪ ଶିକ୍ଷକ ଓ ସୁନ୍ଦରଗଡ଼ ଜିଲ୍ଲାର ୨ ଶିକ୍ଷକଙ୍କୁ ·କିରିରୁ ବିଦା କରାଯାଇଛି । ଏହାବାଦ ବହୁ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ତେଣୁ ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହି ପ୍ରକ୍ରିୟାକୁ ଏବେ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ରାଜ୍ୟରେ ଶିକ୍ଷକ ଅଭାବ ହେତୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବ ବେଳେ ଶିକ୍ଷକମାନେ ବର୍ଷ ବର୍ଷ ଧରି ସ୍କୁଲ ନ ଆସିବା ଘଟଣାକୁ ନେଇ ଶିକ୍ଷାବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏହାପରେ ଶିକ୍ଷା ବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇ ସମଗ୍ର ରାଜ୍ୟରେ ଥିବା ସ୍କୁଲମାନଙ୍କରେ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ତାଲିକା ମଗାଯାଇଥିଲା ।

Leave A Reply

Your email address will not be published.