ଠାକୁର ଅନୁକୁଳଚନ୍ଦ୍ରଙ୍କ ଶତବାର୍ଷିକୀ ସମାରୋହ ସୁନ୍ଦର ଓଡ଼ିଶା ଗଠନ ପାଇଁ ମୁଖମନ୍ତ୍ରୀଙ୍କ ଆହ୍ୱାନ

0 71

ପୁରୀ, ୮ା୧(ଡିକେ ନ୍ୟୁଜ): ସତ୍‌ସଙ୍ଗ ଆଜି ଦେଶର ଏକ ବଡ଼ ଆଧ୍ୟାତ୍ମିକ ଏବଂ ସାମାଜିକ-ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି । ସତ୍‌ସଙ୍ଗର ଲକ୍ଷ ଲକ୍ଷ ଅନୁଗାମୀ ସମାଜ କଲ୍ୟାଣ ଲାଗି କାମ କରୁଛନ୍ତି । ଏକ ସୁନ୍ଦର ଓଡ଼ିଶା ଓ ସୁନ୍ଦର ଭାରତ ଗଠନ ଲାଗି ଏକାଠି କାମ କରିବାକୁ ପୁରୀଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କ ୧୦୧ତମ ଉକ୍ରଳ ଆଗମନର ସ୍ମୃତି ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ପ୍ରଥମେ ଜୟ ଜଗନ୍ନାଥ ଓ ଜୟଗୁରୁ କହି ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଆରମ୍ଭ କରି କହିଥିଲେ ଯେ, ୧୦୦ ବର୍ଷ ତଳେ ଠାକୁର ଅନୁକୁଳଚନ୍ଦ୍ର ପୁରୀ ଆସିଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପାଙ୍କ ଅନୁରୋଧ କ୍ରମେ ଠାକୁର ଅନୁକୁଳଚନ୍ଦ୍ର ଓ ତାଙ୍କର ବହୁ ଅନୁଗାମୀ ମଧ୍ୟ ପୁରୀ ଆସିଥିଲେ । ସୁନ୍ଦର ଓ ସୁସ୍ଥ ଓଡ଼ିଶା ଗଠନରେ ସେମାନଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ତେଣୁ ସମସ୍ତେ ମିଶି ସୁନ୍ଦର ରାଜ୍ୟ ଗଠନ କରିବା । ଏଭଳି ଏକ ଖୁସି ମୁହୂର୍ତ୍ତରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ତାଳବଣିଆ ସ୍ପୋଟ୍ସ୍‌ର୍ କମ୍ପେ୍ଲକ୍ସ ଉତ୍ସବରେ ମୁଖ୍ୟବକ୍ତା ଭାବେ ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଯୋଗଦେଇ ଜୀବନରେ ଗୁରୁଗ୍ରହଣର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ସାଧାରଣ ସଭା ପ୍ରାରମ୍ଭରେ ମହୋତ୍ସବ କମିଟିର ଆବାହକ ଡକ୍ଟର ବିନାୟକ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ । ସତ୍‌ସଙ୍ଗର ବରିଷ୍ଠ କର୍ମକର୍ତ୍ତା ଡକ୍ଟର ନୃସିଂହ ତ୍ରିପାଠୀ, ଯତିନ୍ଦ୍ର ନାଥ ମହାନ୍ତି ଓ ଡମ୍ବରୁଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.