ସରିଲା ଦୀର୍ଘଦିନର ଅପେକ୍ଷା ଆସୁଛି ବିଜୁବାବୁଙ୍କ ‘ଡାକୋଟା’

0 72

ଭୁବନେଶ୍ୱର, ୧୦ା୧(ଡିକେ ନ୍ୟୁଜ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ଭିଟି-ଏୟୁଆଇ ବିମାନ ଓଡ଼ିଶା ଆସୁଛି । ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବ । ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଉଛି । “ଡାକୋଟା’ ବିମାନକୁ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଅବସ୍ଥାପିତ କରାଯିବ । ଖୁବ୍‌ଶୀଘ୍ର ଏକ ସ୍ୱତନ୍ତ୍ର ଗାଡ଼ିରେ ଭୁବନେଶ୍ୱର ଅଣାଯିବ । ଏହାପରେ ପୁନର୍ବାର ଏହାର ଅଂଶକୁ ସଂଲଗ୍ନ କରାଯାଇ ପୂର୍ଣ୍ଣ ସ୍ଥାପନ କରାଯିବ । ୬୪ଫୁଟ୍‌ ୮ ଇଞ୍ଚ ଲମ୍ବ ଏବଂ ୯୫ଫୁଟ୍‌ ଡେଣା ବିଶିଷ୍ଟ ଏହି ବିମାନକୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସଂରକ୍ଷିତ କରି ରଖାଯିବ । ବିଜୁବାବୁ ଏବଂ ଡାକୋଟା ସାହସର ପ୍ରତୀକ । ୧୯୪୭ ଜୁଲାଇ ୨୨ରେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକ ଏହି ଡାକୋଟାକୁ ଉଡ଼ାଇ ଯାଇଥିଲେ ଇଣ୍ଡୋନେସିଆ । ସେ ସମୟରେ ସ୍ୱାଧୀନତା ପାଇଁ ଡଚ୍‌ମାନଙ୍କ ସହ ଇଣ୍ଡୋନୋସିଆ ଲଢ଼ୁଥିଲା । ପ୍ରଧାନମନ୍ତ୍ରୀ ନେହରୁଙ୍କ ପରାମର୍ଶରେ ବିଜୁବାବୁ ଜାକର୍ତ୍ତା ଯାଇଥିଲେ । ଶତ୍ରୁର ଗୁଳିଗୋଳାକୁ ନଡରି ଇଣ୍ଡୋନେସିଆର ତକ୍ରାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ସାହରିର ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଉଦ୍ଧାର କରି ଭାରତ ଆଣିଥିଲେ । ଦେଶ ସ୍ୱାଧୀନତା ସମୟରେ ବିଜୁବାବୁ ପ୍ରତିଷ୍ଠା କରିଥିବା କଳିଙ୍ଗ ଏୟାରଲାଇନ୍ସରେ ମୋଟ ୧୫ଟି ଡାକୋଟା ବିମାନ ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ “ଡାକୋଟା’ ବିମାନକୁ କୋଲକାତାରୁ ଓଡ଼ିଶା ଫେରେଇ ଆଣିବାକୁ ସରକାର ୨୦୨୦ ଜାନୁଆରୀ ମାସଠାରୁ ଉଦ୍ୟମ ଆରମ୍ଭ କରିଥିଲେ । ତକ୍ରାଳୀନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନୀତିଗତ ନିଷ୍ପତ୍ତି ହୋଇଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ଡାକୋଟା ବିମାନକୁ ଭୁବନେଶ୍ୱର ଫେରାଇ ଆଣିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅବଗତ କରିଥିଲେ ।

Leave A Reply

Your email address will not be published.