ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଉରକେଲା ଓ କଟକର ଶତାଧିକ ହକିପ୍ରେମୀ

0 97

ଭୁବନେଶ୍ୱର, ୧୦ା୧(ଡିକେ ନ୍ୟୁଜ): ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା । କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ·ଲିଛି । ଏଥର ପ୍ରଥମ ଥର ପାଇଁ ହକିର ଅନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ୱକପ୍‌ ଆୟୋଜନ କରାଯାଇଛି । ତା ସହିତ ରାଉରକେଲାରେ ବିଶ୍ୱର ବୃହତ୍ତମ ହକି ଷ୍ଟାଡିଅମ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ମଧ୍ୟ ନିର୍ମିତ ହୋଇଛି । ସେଠାରେ ଖେଳାଯିବ ବିଶ୍ୱକପର ଉଦ୍‌ଘାଟନୀ ମ୍ୟାଚ । ତେଣୁ ପୁରା ସୁନ୍ଦରଗଡ ଜିଲ୍ଲାରେ ବିପୁଳ ଉତ୍ସାହ ଦେଖାଦେଇଛି । ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌ରେ ଚଳିତ ଥର ବିଶ୍ୱକପର ଆୟୋଜନ କରାଯାଇଥିବାରୁ ସାରା ସୁନ୍ଦରଗଡ ଉତ୍ସବ ମୁଖର ହୋଇଉଠିଛି । ସମସ୍ତେ ବିଶେଷକରି ଯୁବସମାଜ ମଧ୍ୟରେ ଦେଖାଦେଇଛି ଅପୂର୍ବ ଉତ୍ସାହ । ବିଶ୍ୱକପ୍‌ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଆଜି ଶହ ଶହ ଯୁବକ ସାଇକେଲ ଯୋଗେ ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହ ରାଉରକେଲାରେ ବିଶ୍ୱକପର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସେମାନଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଓ ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ଆସନ୍ତାକାଲି କଟକରେ ଆୟୋଜିତ ହେଉଛି ହକି ବିଶ୍ୱକପର ଉଦ୍‌ଘାଟନୀ ସମାରୋହ । ଐତିହ୍ୟ ସହର କଟକକୁ ବିଶ୍ୱକପ୍‌ ହକି ଆୟୋଜନରେ ସିଧାସଳଖ ଯୋଡି ଥିବାରୁ ପୂର୍ବତନ ବିଧାୟକ ତଥା କଟକ ନଗର ଶାନ୍ତି କମିଟିର ଅଧ୍ୟକ୍ଷ ପ୍ରଭାତ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ । ବିଶ୍ୱକପ୍‌ ହକି ଉଦ୍‌ଘାଟନୀ ସମାରୋହ ସଫଳ ଭାବେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ କଟକ ସହରବାସୀଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.