କମିବ ଶୀତ: ବଢ଼ିବ କୁହୁଡ଼ି

0 94

ଭୁବନେଶ୍ୱର, ୧୦ା୧(ଡିକେ ନ୍ୟୁଜ): ବିଗତ ୩ ଦିନର ଶୀତ ଲହରି ପରେ ରାଜ୍ୟବାସୀଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିବ । ମଙ୍ଗଳବାରଠାରୁ ରାଜ୍ୟରେ ଶୀତ କମିବ । ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରବାହ କମିବା ଆରମ୍ଭ ହୋଇଥିବା ବେଳେ ରାଜ୍ୟକୁ ଏବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ବୃଦ୍ଧି ହେଉଛି । ଏହାଦ୍ୱାରା ତାପମାତ୍ରା ବଢ଼ିବା ଆରମ୍ଭ ହୋଇଛି । ତାପମାତ୍ରା ବଢ଼ିବା ଯୋଗୁଁ ୩ ଦିନ ହେବ ଜାରି ରହିଥିବା ଶୀତ ଲହରୀ ଜନିତ ସତର୍କତାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପ୍ରତ୍ୟାହାର କରି ନେଇଥିବା ବେଳେ ଶୀତର ପ୍ରକୋପ କମିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଏହା ଯୋଗୁ ଜାରି ରହିଥିବା ଶୀତର ପ୍ରକୋପରେ ହ୍ରାସ ହେବ । ଅନ୍ୟପଟେ ଶୀତ କମିବା ସହିତ ରାଜ୍ୟକୁ ପ୍ରବେଶ କରୁଥିବା ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁ ପୁଣି ଥରେ ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରକୋପ ଦେଖାଯିବ । ବିଶେଷ କରି କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ କୁହୁଡ଼ିର ପ୍ରକୋପ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ରବିବାର ତୁଳନାରେ ସୋମବାର ଶୀତର ପ୍ରକୋପ କମିଥିଲେ ମଧ୍ୟ ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । କୋରାପୁଟର ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୪.୯, କିରେଇରେ ୪.୩ ଡିଗ୍ରୀ ରେକର୍ଡ କରାଯାଇଛି । ମୋଟ୍‌ ୧୪ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି ।

Leave A Reply

Your email address will not be published.