ଦେୟମୁକ୍ତ ଚିକିତ୍ସାରେ ୪୧୩ ପ୍ରତିଶତ ଅଭିବୃଦ୍ଧି, ବିଏସ୍‌କେୱାଇ ପାଲଟିଛି ସଞ୍ଜିବନୀ

0 68

ଭୁବନେଶ୍ୱର, ୧୨ା୧(ଡିକେ ନ୍ୟୁଜ): ବିଗତ ୨ ବର୍ଷ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲୋକପ୍ରିୟତାରେ ଅଭୁତପୂର୍ବ ଅଗ୍ରଗତି ଘଟିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ତଥା ଓଡ଼ିଶା ହେଲଥ୍‌ ଆସୁରାନସ୍‌ ସୋସାଇଟି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ସୋସାଇଟିର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ଜଣାଇଥିଲେ ଯେ ୨୦୨୧ କ୍ୟାଲେଣ୍ଡର ବର୍ଷରେ ବିଭିନ୍ନ ଘରୋଇ ହସପିଟାଲ୍‌ ମାନଙ୍କରେ ବି.ଏସ୍‌.କେ.ୱାଇ. ଅନ୍ତର୍ଭୁକ୍ତ ପ୍ରାୟ ୧.୨୬ ଲକ୍ଷ ଲୋକ ସୁପର ସ୍ପେସାଲିଟି କ୍ରିଟିକାଲ୍‌ ଭେଷଜ ଚିକିତ୍ସା ଓ ଔଷଧ ସଂପୂର୍ଣ ଦେୟମୁକ୍ତ ଭାବେ ଲାଭ କରିଥିଲେ । ୨୦୨୨ କ୍ୟାଲେଣ୍ଡର ବର୍ଷରେ ଏହି ସଂଖ୍ୟା ୬.୪୫ ଲକ୍ଷକୁ ବୃଦ୍ଧିପାଇ ଏ କ୍ଷେତ୍ରରେ ପ୍ରାୟ ୪୧୩ ଶତକଡ଼ା ଅବିବୃଦ୍ଧି ହାସଲ କରାଯାଇଥିଲା । ୨୦୨୧ ମସିହାରେ ଦେୟମୁକ୍ତ ଚିକିତ୍ସା ବାବଦକୁ ରାଜ୍ୟ ସରକାର ପ୍ରାୟ ୨୨୪.୮୭ କୋଟି ଟଙ୍କାର ବିଲ୍‌ ଘରୋଇ ହସ୍ପିଟାଲମାନଙ୍କୁ ପୈଠ କରିଥିବାବେଳେ ୨୦୨୨ ମସିହାରେ ଏହା ୧୪୫୬.୪୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ବି.ଏସ୍‌.କେ.ୱାଇ. ଯୋଜନା ମାଧ୍ୟମରେ ଚିକିତ୍ସା ବାବଦ ପାଣ୍ଠି ବିନିଯୋଗରେ ୫୪୮ ଶତକଡ଼ା ବୃଦ୍ଧି ହୋଇଥିଲା । ଏହି ସମୟ ମଧ୍ୟରେ ତାଲିକାଭୁକ୍ତ ହସ୍ପିଟାଲ ସଂଖ୍ୟାରେ ମଧ୍ୟ ୩୩୩ ଶତକଡ଼ା ବୃଦ୍ଧି ହୋଇଥିଲା । ୨୦୨୧ ମସିହା ଆରମ୍ଭରେ ୧୮୭ ଟି ହସ୍ପିଟାଲ ତାଲିକାଭୁକ୍ତ ଥିବାବେଳେ ୨୦୨୨ ଶେଷସୁଦ୍ଧା ଏହି ସଂଖ୍ୟା ୫୫୪ କୁ ବୃଦ୍ଧି ପାଇଥିଲା । ବି.ଏସ୍‌.କେ.ୱାଇ. କାର୍ଯ୍ୟାନ୍ୱୟନ ସମୀକ୍ଷାକରି ହସ୍ପିଟାଲ ମାନେ ଦେଉଥିବା ବିଲର ଅନୁମୋଦନ ପୂର୍ବରୁ ଅନଲାଇନ୍‌ ୱେବସାଇଟରେ ଦାଖଲ ହୋଇଥିବା ଦସ୍ତାବିଜ୍‌ ଓ ଚିକିତ୍ସା ପ୍ରମାଣ ଆଦିକୁ ସଠିକ ଭାବେ ତନଖି କରିବା ପାଇଁ ଡ଼ାକ୍ତର ବୃନ୍ଦା ବିଭିନ୍ନ ବେସରକାରୀ ହସ୍ପିଟାଲ ଦାୟିତ୍ୱରେ ଥିବା ନୋଡ଼ାଲ୍‌ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଡ଼ାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ର, ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ରାଉତରାୟ, ଡେ଼ପୁଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ସମ୍ବିତ ବେହେରାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.