କଲବଲ କରୁଛି କୁହୁଡ଼ି: ୧୭ରୁ ବର୍ଷା

0 81

ଭୁବନେଶ୍ୱର, ୧୩ା୧(ଡିକେ ନ୍ୟୁଜ): ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଆରମ୍ଭ ହୋଇଯାଇଛି । ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଭୁବନେଶ୍ୱର ଓ କଟକରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୧୦୦ ମିଟରକୁ ଖସିଆସିଥିବା ବେଳେ ଯାନବାହନ ଚଳାଚଳ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ପାଣିପାଗ କେନ୍ଦ୍ରର ସୂଚନା
ଅନୁଯାୟୀ ଭାରତର ମଧ୍ୟ ଭାଗରେ ଥିବା ଗୁରୁ·ପ ବଳୟ ବର୍ତ୍ତମାନ ଉପକୂଳ ନିକଟବର୍ତ୍ତୀ ରହିଛି । ଏହା ପ୍ରଭାବରେ ରାଜ୍ୟକୁ ଯଥେଷ୍ଟ ପରିମାଣରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଯାହା ରାଜ୍ୟରେ ତାପମାତ୍ରା ବୃଦ୍ଧି କରାଇବା ସହ କୁହୁଡ଼ି ପାଇଁ ସହାୟକ ହେଉଛି । ଏହାର ପ୍ରଭାବ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅଧିକ ରହିବାକୁ ଥିବାବେଳେ ଘନ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଶନିବାର ସକାଳ ସୁଦ୍ଧା କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ ଆଦିରେ ଘନ କୁହୁଡ଼ି ଆଶଙ୍କା ଥିବାବେଳେ ୧୫ ତାରିଖ ସକାଳ ସୁଦ୍ଧା ଅନୁଗୁଳ, ଢେଙ୍କାନାଳ, କଟକ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ କୁହୁଡ଼ି ସହିତ ରାଜ୍ୟରେ ଶନିବାର ସୁଦ୍ଧା ଆହୁରି ତାପମାତ୍ରା ବଢ଼ିବ ଓ ଶୀତ କମିବ । ଆଗାମୀ ୨ଦିନ ମଧ୍ୟରେ ରାତ୍ରି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବା ସହ ଶୀତ ପ୍ରକୋପ କମିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ୬ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ୭ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି । ସେହିପରି ଆସୁଛି ପଶ୍ଚିମା ଝଡ । ଆସନ୍ତା ୧୭ ତାରିଖ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.