୩୧ରୁ ସଂସଦ ଅଧିବେଶନ ଫେବୃଆରୀ ୧ରେ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

0 49

ନୂଆଦିଲ୍ଲୀ, ୧୩ା୧: ଆର୍ଥିକବର୍ଷ ୨୦୨୩-୨୪ ନିମନ୍ତେ ସଂସଦର ବଜେଟ୍‌ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ । ଆର୍ଥିକ ସର୍ଭେ ସହିତ ଏହି ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପରଦିନ ଅର୍ଥାତ ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବାର୍ଷିକ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ । ଉଲ୍ଲେଖଯୋଗ୍ୟ ଯେ, ସଂସଦର ବଜେଟ୍‌ ଅଧିବେଶନ ୨ଟି ଭାଗରେ ଅନୁଷ୍ଠିତ ହୋଇଥାଏ । ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ । ତେବେ ସେତେବେଳକୁ ସଂସଦର ନୂଆ ଭବନ ମଧ୍ୟ ଉଦଘାଟିତ ହୋଇସାରିଥିବ ବୋଲି ଆଶା କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ନୂଆ ସଂସଦ ଭବନରେ ହୋଇପାରେ । ଏଣୁ ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଅଧିକାରୀମାନେ କହିଛନ୍ତି । ପୂର୍ବରୁ କେନ୍ଦ୍ର ଆବାସ ଓ ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଏହି ସୂଚନା ଦେଇଥିଲେ । ସାଧାରଣତଃ ସଂସଦର ବଜେଟ୍‌ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ । ଏଥିରେ ଅଧିବେଶନର ଆରମ୍ଭ ୩୦ ଅଥବା ୩୧ ଜାନୁଆରୀରେ ହୋଇଥାଏ । ୮ ଓ ୯ ଫେବୃଆରୀରେ ସମାପ୍ତ ହୋଇଥାଏ । ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନରେ ରାଷ୍ଟ୍ରପତି ସଂସଦର ଉଭୟ ସଦନକୁ ସମ୍ବୋଧିତ କରିଥାନ୍ତି । ଏହି ପର୍ଯ୍ୟାୟରେ ଫେବୃଆରୀ ୧ ତାରିଖ ଦିନ ବାର୍ଷିକ ସାଧାରଣ ବଜେଟ୍‌ ସଂସଦରେ ଉପସ୍ଥାପନ ହୋଇଥାଏ । ବଜେଟର ଦ୍ୱିତୀୟ ଅଧିବେଶନ ସାଧାରଣତଃ ମାର୍ଚ୍ଚର ପ୍ରଥମ ପକ୍ଷ ଅର୍ଥାତ ୧୫ ତାରିଖ ପରେ ଅନୁଷ୍ଠିତ ହୋଇଥାଏ ଓ ମେ ମାସ ଆରମ୍ଭ ପର୍ଯ୍ୟନ୍ତ ଚାଲିଥାଏ । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ କାଳରେ ବିଭିନ୍ନ ବିଭାଗଙ୍କ ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ ହୋଇଥାଏ ।

Leave A Reply

Your email address will not be published.