ଶୀତୁଆ ସକାଳରେ ମନମୋହିଲା ପଥୋତ୍ସବ

0 70

ଭୁବନେଶ୍ୱର,୧୫ା୧(ଡିକେ ନ୍ୟୁଜ): ରବିବାର ରଥରୋଡ଼ରେ ଅନୁଷ୍ଠିତ ହୋଇଛି ପଥ ଉତ୍ସବ । ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ୍‌ ଓ ଶିଖରଚଣ୍ଡୀରେ ଏହି ଉତ୍ସବ ଆୟୋଜିତ ହୋଇଥିବା ବେଳେ ଏଥର ଏକାମ୍ର ବିଧାନସଭା ମଣ୍ଡଳୀର ରଥ ରୋଡ଼ରେ କରାଯାଇଛି । ରବିବାର ଛୁଟିଦିନ ସହ ଶୀତୁଆ ସକାଳରେ ପଥୋତ୍ସବ ପାଇଁ ରଥ ରୋଡ୍‌ରେ ପ୍ରବଳ ଜନସମାଗମ ହୋଇଥିଲା । ରଥରୋଡ୍‌ରେ ଏତେ ମାତ୍ରାରେ ଜନସମାଗମ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେଉଥିବାର ଭ୍ରମ ସୃଷ୍ଟି କରିଥିଲା । ସକାଳ ସାଢେ଼ ୬ଟାରୁ ସାଢେ଼ ୯ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଲୋକମାନେ ଭୋରୁ ଆସି ଭିଡ ଜମାଇଥିଲେ । ମାଉସୀ ମା’ ଛକରେ ମୁଖ୍ୟ ମଞ୍ଚ ହୋଇଥିବା ବେଳେ ସମ୍ପୂର୍ଣ୍ଣ ରଥ ରୋଡରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଇଥିଲା । ଏହା ବିଏମସିର ୧୦୦ ତମ ପଥୋତ୍ସବ ହୋଇଥିବା କାରଣରୁ କେକ୍‌ କାଟି ବିଏମସି ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ, ଏକାମ୍ର ବିଧାୟକ ଅଶୋକ ପଣ୍ଡା ଓ ଜଟଣୀ ବିଧାୟକ ସୁର ରାଉତରାୟ ଲୋକ ସହ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଓଡ଼ିଶୀରୁ ଆରମ୍ଭ କରି ରକ୍‌ ବ୍ୟାଣ୍ଡ ପର୍ଯ୍ୟନ୍ତ ଓ ଭଜନରୁ ଆରମ୍ଭ କରି ରିମିକ୍ସ ଗୀତରେ ରଥରୋଡ୍‌ ଦୁଲୁକିଥିଲା । ଛୁଟି ଦିନ ପାଇଁ ଲୋକମାନେ ମଧ୍ୟ ପ୍ରବଳ ମାତ୍ରାରେ ଉପସ୍ଥିତ ରହି ଏହି କର୍ଯ୍ୟକ୍ରମର ମଜା ନେବା ସହ ଧୁମ୍‌ ମସ୍ତି କରିଥିଲେ । ମାଉସୀ ମା’ ଛକରେ ମୁଖ୍ୟ ମଞ୍ଚରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ ସହ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥବା ବେଳେ ଦ୍ୱିତୀୟ ମଞ୍ଚରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ତୃତୀୟ ମଞ୍ଚଟି ଭୁବନେଶ୍ୱରର ପ୍ରତିଭାଙ୍କ ପାଇଁ ସମର୍ପିତ ଥିବା ବେଳେ ଏଠାରେ ୪୦ରୁ ଊର୍ଦ୍ଧ୍ୱ ପ୍ରତିଭା ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଏହାଛଡ଼ା ପୂର୍ବରୁ ରହିଥିବା ସମସ୍ତ ଇଭେଣ୍ଟ ଯଥା ଯୋଗ, ସ୍ୱାସ୍ଥ୍ୟ ପରୀକ୍ଷା, ଲାଇଭ୍‌ ପେଣ୍ଟିଂ ପ୍ରଭୃତି କର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.