୪ ଜିଲ୍ଲାରେ ୫ ଗ୍ରୀଡ୍‌ ସବ୍‌ଷ୍ଟେସନ୍‌ ଲୋକାର୍ପିତ, ବିଦ୍ୟୁତ ଅପଚୟ ନକରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

0 68

ଭୁବନେଶ୍ୱର, ୧୬ା୧(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ୍‌ ସବେ୍‌ଷ୍ଟସନ ଉଦ୍‌ଘାଟନ କରିଛନ୍ତି । ଏଥିପାଇଁ ୨୫୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ସ୍ଥାନଗୁଡିକ ହେଲା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ମାଲକାନଗିରିର କାଲିମେଳା, ସୁବର୍ଣ୍ଣପୁରର ବୀରମହାରାଜପୁର ଓ କଟକ ଜିଲ୍ଲାର ଗୋଡିସାହି ଓ ବହୁଗ୍ରାମ । ଏହାଦ୍ୱାରା ଏହି ୪ ଜିଲ୍ଲାର ୨ ଲକ୍ଷ ଲୋକ ଉପକାର ପାଇବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଉତ୍ତମ ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ ଓ ଆବଣ୍ଟନ ଭିତ୍ତିଭୂମିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୃଷି, ଶିଳ୍ପ ଓ ସାଧାରଣ ଜୀବନଯାପନ ସବୁ କ୍ଷେତ୍ରରେ ଉତ୍ତମ ଓ ନିରବଚ୍ଛିନ୍ନ ବିଦ୍ୟୁତର ଆବଶ୍ୟକତା ରହିଛି । ବିଜୁଳି ଶକ୍ତି ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହାକୁ ଅଯଥାରେ ନଷ୍ଟ ନ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ କ୍ଷେତ୍ରରେ ଏକ ଦୃଢ ଭିତ୍ତିଭୂମିର ବିକାଶ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ୧୮୫ଟି ଏକ୍ସଟ୍ରା ହାଇ ଭୋଲଟେଜ୍‌ ଗ୍ରୀଡ଼୍‌ ସବ୍‌ଷ୍ଟେସନ ଥିବାବେଳେ ୧୬,୦୦୦ ସର୍କିଟ କିଲୋମିଟର ନେଟୱାର୍କ ରହିଛି । କାର୍ଯ୍ୟକ୍ରମରେ ଯୋଗଦେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଓଡିଶା ବିଦ୍ୟୁତ ଶକ୍ତିରେ ଏକ ବଳକା ରାଜ୍ୟ ହୋଇପାରିଛି । ଓଡିଶାର ଶକ୍ତି ବିତରଣ ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଫଳ ହେଉଛି ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ମୁଖ୍ୟ ଶାସନ ସଚିବଙ୍କୁ ଏହି ପରିମାଣର ଚେକ୍‌ ପ୍ରଦାନ କରାଯାଇଥିଲା । ଅତି ଅଳ୍ପ ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଏହି ସଂସ୍ଥା ଲାଭ କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ଏହାର ଉଚ୍ଚପ୍ରଶଂସା କରିଥିଲେ । ୨୦୨୨- ୨୩ର ପ୍ରଥମ ୬ ମାସ ମଧ୍ୟରେ ଓପିସିଏଲ ୬୨୬ କୋଟି ଟଙ୍କା ଲାଭ କରିଛି ଏବଂ କୋଇଲା ଉତ୍ପାଦନରେ ୬୦ ପ୍ରତିଶତ ବୃଦ୍ଧି ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ପ୍ରମୁଖ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ରାଜ୍ୟରେ ବିଦ୍ୟୁତ ଶକ୍ତିର ବିକାଶ ଓ ଶିଳ୍ପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଲାଗି ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ସଂ·ଳନ କରିଥିଲେ । ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସକ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓପିଟିସିଏଲର ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଶକ୍ତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.