୯ ବୃହତ୍ ପ୍ରକଳ୍ପକୁ ଏଚ୍‌ଏଲ୍‌ସିଏ କମିଟିର ଅନୁମୋଦନ, ପାରାଦୀପରେ ହେବ ଷ୍ଟିଲ ପ୍ଲାଣ୍ଟ

0 71

ଭୁବନେଶ୍ୱର, ୧୯ା୧(ଡିକେ ନ୍ୟୁଜ): ଓଡ଼ିଶାରେ ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ । ଜଗତସିଂହପୁର ଜିଲ୍ଳା ପାରାଦୀପରେ ୭ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର । ୩୮ ହଜାର କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ୧୧,୪୯୫ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି(ଏଚ୍‌ଏଲସିଏ) ବୈଠକରେ ଅନୁମୋଦନ ମିଳିଛି । ଏଥିସହ ଆଉ ୮ଟି ବୃହତ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ମୋଟ ୧ଲକ୍ଷ ୫୩ହଜାର ୭୪କୋଟିର ୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ୨୭ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ଏହାଦ୍ୱାରା ସୃଷ୍ଟି ହେବ । ଅନୁମୋଦନ ମିଳିଥିବା ଏହିସବୁ କମ୍ପାନୀ ଏମ୍‌ଆଇଓ ୨୦୨୨ରେ ଯୋଗ ଦେଇଥିଲେ । ଏଥିରେ ୪ଟି ସବୁଜ ଶକ୍ତି ପ୍ରକଳ୍ପ, ଦୁଇଟି କାଗଜ ଶିଳ୍ପ, ଦୁଇଟି ଧାତବ ଓ ଗୋଟିଏ ଆଇଟି ଶିଳ୍ପ ରହିଛି । ଏହି ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ଥାପିତ ହେବ ।ଜଗତସିଂହପୁର କୁଜଙ୍ଗରେ ହେବ ଆମୋନିଆ ପ୍ଲାଣ୍ଟ । କୋରାପୁଟ ଓ କଳାହାଣ୍ଡିରେ ହେବ ସୌରଶକ୍ତି ପ୍ରକଳ୍ପ । ଏହି ତିନୋଟି ପ୍ରକଳ୍ପ କରିବ ଏଏସ୍‌ଏମ୍‌ଇ ଗ୍ରୀନ୍ ଏନର୍ଜି । ବିନିଯୋଗ ହେବ ୫୮ହଜାର ୨୦୯ କୋଟି ଟଙ୍କା । ତିନୋଟି ଶକ୍ତି ପ୍ରକଳ୍ପରେ ୭ହଜାର ୪୦୦ ଲୋକଙ୍କୁ ମିଳିବ ନିଯୁକ୍ତି । ଗଞ୍ଜାମରେ ଅବଢ଼ା ଗ୍ରୀନ୍ କରିବ ହାଇଡ୍ରୋଜେନ୍‌ ପ୍ରକଳ୍ପ । ଏଥିପାଇଁ ୨୩ହଜାର ୫୦୦ କୋଟି ଟଙ୍କା ନିବେଶ କରାଯିବ । ଏହାଦ୍ୱାରା ୧୫ଶହ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ବାଲେଶ୍ୱରରେ ହେବ ବ୍ୟାଙ୍କ ନୋଟ୍ ଛପା କାରଖାନା । ଅଢ଼େଇ ହଜାର
କୋଟି ବିନିଯୋଗରେ ବ୍ୟାଙ୍କ ନୋଟ୍‌ ପେପର ମିଲ୍ କରିବ ଏହି କାରଖାନା । ଏଥିରେ ୮୦୦ଜଣଙ୍କୁ ମିଳିବ ନିଯୁକ୍ତି । ସେହିପରି ଢେଙ୍କାନାଳରେ ଦିବ୍ୟଶକ୍ତି କରିବ କାଗଜ କାରଖାନା । ଏଥିପାଇଁ ୧ହଜାର କୋଟି ଟଙ୍କା ବିନିଯୋଗ ହେବ । ୩ହଜାର ଜଣଙ୍କୁ ମିଳିବ ନିଯୁକ୍ତି । ସେହିପରି ରୁଙ୍ଗଟା ମେଟାଲସ ପ୍ରାଃ ଲିମିଟେଡ୍ ୧୧୪୦କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜରେ ନିଜର ଷ୍ଟିଲ ପ୍ଲାଣ୍ଟକୁ ବାର୍ଷିକ ୦.୫ ନିୟୁତ ଟନରୁ ଏକ ନିୟୁତ ଟନ କ୍ଷମତାକୁ ସମ୍ପ୍ରସାରଣ କରିବ । ଏହାଦ୍ୱାରା ଅଧିକ ୧୦୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଭୁବନେଶ୍ୱରରେ ଆଉ ଏକ ଆଇଟି ଶିଳ୍ପକୁ ଅନୁମୋଦନ ମିଳିଛି । ମାଇଁ ହୋମ୍ କନ୍‌ଷ୍ଟ୍ରକ୍ସନ୍ କମ୍ପାନୀ ବିନିଯୋଗ କରିବ ୧୫ଶହ ୨୫ କୋଟି । ଏଥିରେ ଅଢ଼େଇ ହଜାର ଜଣଙ୍କୁ ମିଳିବ ନିଯୁକ୍ତି ।

Leave A Reply

Your email address will not be published.