ବିଜୁ ଜୟନ୍ତୀରେ ଡାକୋଟାର ଲୋକାର୍ପଣ, ଯୁବପିଢ଼ିଙ୍କୁ ଦେବ ଅନେକ ବାର୍ତ୍ତା

0 72

ଭୁବନେଶ୍ୱର, ୧୯ା୧ (ଡିକେ ନ୍ୟୁଜ୍‌): ଭୁବନେଶ୍ୱର ଏୟାରପୋର୍ଟରେ ବିଜୁବାବୁଙ୍କ ଐତିହାସିକ ଡାକୋଟା ଯନ୍ତ୍ରାଂଶଗୁଡ଼ିକ ଖଞ୍ଜାଯିବା ସହ ବିମାନଟିକୁ ଯଥାସମ୍ଭବ ନୂଆ ରୂପ ଦିଆଯିବ । ଆସନ୍ତା ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିବେ । ଗତକାଲି ତିନୋଟି ଲରି ମାଧ୍ୟମରେ କୋଲକାତାରୁ ଡାକୋଟା ବିମାନକୁ ଭୁବନେଶ୍ୱର ଅଣାଯାଇଛି । ଏହାକୁ ଦେଖି ଗତକାଲି ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ । ବିଜୁବାବୁଙ୍କୁ ଏହି କିମ୍ବଦନ୍ତୀ ବିମାନ ଶେଷରେ ଓଡ଼ିଶା ଫେରିଆସିଛି । ଏହି ବିମାନରେ ବିଜୁବାବୁ ଅନେକ ଦୁଃସାହସିକ କାର୍ଯ୍ୟ କରିଛନ୍ତି । ଏହା ମଧ୍ୟରେ ସବୁଠୁ ଶ୍ରେଷ୍ଠ ହେଉଛି ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀଙ୍କୁ ଡଚ୍‌ଙ୍କ କବଳରୁ ମୁକ୍ତ କରିବାରେ ଅପାର ସଫଳତା । ଏଥିରେ ବିଜୁବାବୁଙ୍କ ସହ ଜଣେ କୋ-ପାଇଲଟ୍ ଥିଲେ । ସେ ମୋ ମା’ ଜ୍ଞାନ ପଟ୍ଟନାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାର ପୋର୍ଟର ଟର୍ମିନାଲ ୱାନ୍ ସମ୍ମୁଖରେ ଡାକୋଟା ପ୍ରଦର୍ଶିତ ହେବ । ଏଥିପାଇଁ ଏୟାରପୋର୍ଟ ଅଥରିଟି ରାଜ୍ୟ ସରକାରଙ୍କୁ ୧.୧ ଏକର ଜମି ପ୍ରଦାନ କରିଛନ୍ତି । ଏଣିକି ଡାକୋଟାକୁ ଆଉ ବହିରେ ନୁହେଁ, ସିଧାସଳଖ ଦେଖିବାର ସୁଯୋଗ ପାଇବେ ଓଡ଼ିଶାବାସୀ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀଙ୍କୁ ଡଚ୍‌ଙ୍କୁ କବଳରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ ବିଜୁ ପଟ୍ଟନାୟକ । ଏଥିସହ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଡାକୋଟା ବିମାନରେ ସେ ଚୀନ୍ ସମେତ ବିଭିନ୍ନ ଦେଶକୁ ଯାଇଥିଲେ । ଆଜିର ଯୁବପିଢ଼ିଙ୍କ ପାଇଁ ଏହି ଡାକୋଟା ଅନେକ କିଛି ବାର୍ତ୍ତା ଦେବ । ବହୁବର୍ଷ ହେବ ବିଜୁବାବୁଙ୍କ ଡାକୋଟା ବିମାନ କୋଲାକାତାରେ ପଡ଼ିରହିଥିଲା । ଏବେ ଓଡ଼ିଶା ମାଟିକୁ ଫେରିଆସିଛି । ଏଥିସହ ଡାକୋଟା ବିଜୁବାବୁଙ୍କ ସେହି ପୁରୁଣା ସ୍ମୃତିକୁ ପୁଣି ତାଜା କରିଛି ।

Leave A Reply

Your email address will not be published.