ସରକାରୀ ସ୍କୁଲରେ ବଢ଼ୁଛି ନାମଲେଖା ହାର

0 78

ଭୁବନେଶ୍ୱର, ୧୯ା୧(ଡିକେ ନ୍ୟୁଜ): ସରକାରୀ ବିଦ୍ୟାଳୟରେ ବଢୁଛି ନାମଲେଖା ହାର । କୋଭିଡ ପୂର୍ବ ସ୍ଥିତି ତୁଳନାରେ କୋଭିଡ ପରେ ସରକାରୀ ସ୍କୁଲରେ ନାମଲେଖା ହାର ବୃଦ୍ଧି ପାଇଛି । ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଅସର ବା ଆନୁଆଲ ଷ୍ଟାଟସ ଏଜୁକେଶନ ରିପୋର୍ଟ ୨୦୨୨ରେ । ଅସର ଦ୍ୱାରା କରାଯାଇଥିବା ସର୍ଭେରେ ରାଜ୍ୟରେ ୨୦୧୮ ମସିହାରେ ୬ବର୍ଷରୁ ୧୪ବର୍ଷ ବୟସ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡିକରେ ପଢୁଥିବା ପିଲା ୮୮.୦ ପ୍ରତିଶତ ଥିଲା । ହେଲେ ୨୦୨୨ରେ ଏହି ଅନୁପାତ ବୃଦ୍ଧି ପାଇ ୯୨.୧ ପ୍ରତିଶତରେ ପହଞ୍ଚିଛି । ଅଙ୍ଗନୱାଡି କେନ୍ଦ୍ରରେ ୨୦୧୮ରେ ୩ବର୍ଷ ବୟସର ଛାତ୍ରଛାତ୍ରୀ ୯୦.୩ ପ୍ରତିଶତ ଥିଲା ଏବଂ ୨୦୨୨ରେ ଏଥିରେ ବୃଦ୍ଧ ପାଇ ୯୪.୪ ପ୍ରତିଶତରେ ପହଞ୍ଚିଛି । ୪ ବର୍ଷର ପିଲାମାନଙ୍କ ନାମଲେଖାରେ ବି ୬ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ରେ ୮୭.୩ପ୍ରତିଶତ ଥିଲାବେଳେ ୨୦୨୨ରେ ଏହା ୯୩.୧ ପ୍ରତିଶତରେ ପହଞ୍ଚିଛି । ଲକ୍‌ଡାଉନ୍ କାରଣରୁ ଦୂର ସ୍ଥାନରୁ ନିଜ ଘରକୁ ଫେରିବା ପରେ ଆଉଥରେ ନଫେରି ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢାଉଥିବା ପ୍ରମୁଖ କାରଣ ବୋଲି ଜଣାପଡିଛି । ସେହିପରି କୋଭିଡ ସମୟରେ ଆର୍ଥିକ ସଙ୍କଟରେ ପଡିଯାଇଥିବା ପରିବାର ଲୋକେ ଇଂରାଜୀ ମିଡିୟମ ପରିବର୍ତ୍ତେ ସରକାରୀ ବିଦ୍ୟାଳୟରେ ନିଜ ପିଲାଙ୍କୁ ପଢାଇବାକୁ ବାଛୁଛନ୍ତି । ଏହାସହ ସରକାରୀ ବିଦ୍ୟାଳୟରେ ମାଗଣା ସୁବିଧା ଅଭିଭାବକଙ୍କୁ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ପଢାଇବାକୁ ଉତ୍ସାହ ଯୋଗାଉଛି । ଅସର ଦ୍ୱାରା ରାଜ୍ୟର ୩୦ଟି ଜିଲ୍ଲାର ୯୦୦ଟି ଗ୍ରାମରେ ୩ରୁ ୧୬ ବର୍ଷ ବୟସର ୨୮ହଜାର ୭୮୦ ପିଲାମାନଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରକାରୀ ସ୍କୁଲର ଭିତ୍ତିଭୂମିର ଯେଉଁ ବିକାଶ ହୋଇଛି, ତାହାର ପ୍ରଭାବ ପଡିଛି । ୭ ଲକ୍ଷରୁ ଅଧିକ ପିଲା ଆଡ଼ମିସନ ନେଇଛନ୍ତି । ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି ହୋଇଛି ଓ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ସୁଫଳ ହୋଇଛି ।

Leave A Reply

Your email address will not be published.