ମରାମତି କାମ ଆରମ୍ଭ, ଜୀବନ୍ତ ହେବ ଡାକୋଟା କାହାଣୀ

0 67

ଭୁବନେଶ୍ୱର, ୨୦ା୧ (ଡିକେ ନୁ୍ୟଜ୍): ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ କୋଲକାତାରୁ ଓଡ଼ିଶା ଅଣାଯିବା ପରେ ପେଣ୍ଟିଂ ଓ ଡେଣ୍ଟିଂ କାମ ଆରମ୍ଭ ହୋଇଛି । ଡାକୋଟା ବିମାନର ବଡ଼ି, ଇଞ୍ଜିନ୍, ୱିଙ୍ଗ ଓ ବିଭିନ୍ନ ପାର୍ଟ୍ସ ନଷ୍ଟ ହୋଇଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ଷ୍ଟେଟ ହ୍ୟାଙ୍ଗରରେ ବିଜୁବାବୁଙ୍କ ଡାକୋଟାର ମରାମତି କାମ ଚାଲିଛି । ଏହାପରେ ଡାକୋଟାର ବିଭିନ୍ନ ଅଂଶକୁ ପୁଣିଥରେ ଷ୍ଟେଟ ହ୍ୟାଙ୍ଗରରୁ ଟ୍ରେଲର ଜରିଆରେ ଟର୍ମିନାଲ ୱାନ୍ ସମ୍ମୁଖକୁ ଅଣାଯିବ । ସେଠାରେ ଏହାକୁ ରି-ଆସେମ୍ଲର କରାଯିବ । ଟର୍ମିନାଲ୧ ବିର୍ଲ୍ଡିଂ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ୧.୧ ଏକର ଜାଗା ଉପରେ ଏହାକୁ ରଖାଯିବ । ଆସନ୍ତା ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିବେ । ତିନୋଟି ଲରି ମାଧ୍ୟମରେ କୋଲକାତାରୁ ଡାକୋଟା ବିମାନକୁ ଭୁବନେଶ୍ୱର ଅଣାଯାଇଛି । ଏହାକୁ ଦେଖି ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ । ବିଜୁବାବୁଙ୍କୁ ଏହି କିମ୍ବଦନ୍ତୀ ବିମାନ ଶେଷରେ ଓଡ଼ିଶା ଫେରିଆସିଛି । ଏହି ବିମାନ ବିଜୁବାବୁଙ୍କ ଅନେକ ଦୁଃସାହସିକ କାର୍ଯ୍ୟର ମୁକସାକ୍ଷୀ । ଏହା ମଧ୍ୟରେ ସବୁଠୁ ଶ୍ରେଷ୍ଠ ହେଉଛି ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀଙ୍କୁ ଡଚ୍ଙ୍କ କବଳରୁ ମୁକ୍ତ କରିବାରେ ଅପାର ସଫଳତା । ଏଥିରେ ବିଜୁବାବୁଙ୍କ ସହ ଜଣେ କୋ-ପାଇଲଟ୍ ଥିଲେ । ସେ ମୋ ମା’ ଜ୍ଞାନ ପଟ୍ଟନାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଣିକି ଡାକୋଟାକୁ ଆଉ ବହିରେ ନୁହେଁ, ସିଧାସଳଖ ଦେଖିବାର ସୁଯୋଗ ପାଇବେ ଓଡ଼ିଶାବାସୀ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀଙ୍କୁ ଡଚ୍ଙ୍କ କବଳରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ ବିଜୁ ପଟ୍ଟନାୟକ । ଏଥିସହ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଡାକୋଟା ବିମାନରେ ସେ ଚୀନ୍ ସମେତ ବିଭିନ୍ନ ଦେଶକୁ ଯାଇଥିଲେ । ଆଜିର ଯୁବପିଢ଼ିଙ୍କ ପାଇଁ ଏହି ଡାକୋଟା ଅନେକ କିଛି ବାର୍ତ୍ତା ଦେବ ।

Leave A Reply

Your email address will not be published.