ଚୀନ୍ ରେ କରୋନା ବିସ୍ଫୋରଣ, ସପ୍ତାହକରେ ହସ୍ପିଟାଲରେ ୧୩ ହଜାର ଲୋକଙ୍କ ମୃତ୍ୟୁ

0 45

ବେଜିଂ,୨୨ା୧ : ସପ୍ତାହକ ଭିତରେ ଚୀନ ହସ୍ପିଟାଲଗୁଡ଼ିକରେ କୋଭିଡ-୧୯ ଯୋଗୁ ୧୩ ହଜାର ରୋଗୀଙ୍କର ମୃତ୍ୟୁ ହୋଇଛି । ଜାନୁଆରୀ ୧୩ ତାରିଖରୁ ୧୯ ତାରିଖ ମଧ୍ୟରେ ଏତେ ସଂଖ୍ୟକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ଚୀନର ଅଧିକାଂଶ ଲୋକେ ସଂକ୍ରମିତ ହୋଇଥିବା ଚୀନ ସରକାର ସୂଚନା ଦେଇସାରିଛନ୍ତି । ଏବେ ମୃତ୍ୟୁ ସଂଖ୍ୟାର ହିସାବ ଚୀନକୁ ଚିନ୍ତାରେ ପକାଇଛି । ସପ୍ତାହେ ପୂର୍ବରୁ ଚୀନ କହିଥିଲା ଯେ ଜାନୁଆରୀ ୧୨ ତାରିଖ ପୂର୍ବରୁ ଦେଶରେ ୬୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏହି ତଥ୍ୟ ଆହୁରି ଅଧିକ ବୋଲି କୁହାଯାଉଛି । କାରଣ ଚୀନ ସରକାର କେବଳ ହସ୍ପିଟାଲ୍ରେ ମୃତ୍ୟୁ ହୋଇଥିବା ରୋଗୀ ସଂଖ୍ୟାକୁ କହୁଛନ୍ତି । ହେଲେ କରୋନାରେ ଘରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ଉହ୍ୟ ରହିଯାଉଛି । କରୋନା ସଂକ୍ରମଣ ପରଠାରୁ ଚୀନ କଡ଼ା କଟଣା ଲଗାଇଥିଲା । ହେଲେ କଟକଣା ଲୋକେ ଅତିଷ୍ଟ ହୋଇ ରାସ୍ତାକୁ ଓହ୍ଲାଇବା ପରେ ଡିସେମ୍ବର ମାସରେ ଏଥିରେ କୋହଳ କରାଯାଇଥିଲା । କଟକଣା କୋହଳ ହେବା ପରେ ଦେଶରେ ସଂକ୍ରମଣ ବଢ଼ିଛି । ଶନିବାର ଚୀନ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ(ଚୀନ ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି)) ପକ୍ଷରୁ କରୋନାରେ ମୃତ୍ୟୁ ସଂଖ୍ୟା ଉପରେ ସୂଚନା ଦିଆଯାଇଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୬୮୧ କରୋନା ରୋଗୀଙ୍କର ସ୍ୱାସକ୍ରିୟା ଜନିତ ସମସ୍ୟା ପାଇଁ ମୃତ୍ୟୁ ହୋଇଥିବା ବେଳେ ୧୧,୯୭୭ ଜଣ ସଂକ୍ରମଣ ସହ ଥିବା ଅନ୍ୟାନ୍ୟ ରୋଗ ପାଇଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି ବୋଲି ସିଡିସି କହିଛି । ତେବେ ଯେଉଁମାନଙ୍କର ଘରେ ମୃତ୍ୟୁ ହୋଇଛି ସେମାନଙ୍କୁ ଏହି ତାଲିକାରେ ଯୋଡ଼ାଯାଇ ନାହିଁ । ଏପଟେ ଦେଶରେ ଲୁନାର ନ୍ୟୁୟର ପାଳନ କରାଯାଉଥିବାରୁ ମୃତ୍ୟୁ ସଂଖ୍ୟାରେ ଆହୁରି ବୃଦ୍ଧି ହେବ । ଦୈନିକ ମୃତ୍ୟୁ ସଂଖ୍ୟା ୩୬ ହଜାର ଉପରେ ରହିବ ବୋଲି ବ୍ରିଟେନ୍ର ଏୟାରଫିନିଟି ନାମକ ଏକ ପୂର୍ବାନୁମାନକରିଛି । ସଂସ୍ଥା କହିଛି ଯେ ଚୀନ ଡିସେମ୍ବର ମାସରୁ କୋଭିଡ କଟକଣା କୋହଳ କରିବା ପରେ ଦେଶରେ ୬୦୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ସଂଖ୍ୟା ଆହୁରି ବଢ଼ିପାରେ । କାରଣ ଲୁନାର ନ୍ୟୁୟର ପାଳନ ପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ଚୀନ ନାଗରିକ ପରିବାରକୁ ଛୁଟି କାଟିବାକୁ ଫେରୁଛନ୍ତି । ଚୀନ ଜନସଂଖ୍ୟାର ୮୦ ପ୍ରତିଶତ କରୋନା ପଜିଟିଭ୍ । କୋଭିଡ ଭୂତାଣୁ ସଂକ୍ରମଣକୁ ନେଇ ବିଗୁଡ଼ୁଛି ଚୀନ ସ୍ଥିତି । ଏବେସୁଦ୍ଧା ଦେଶର ପ୍ରାୟ ୮୦ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇସାରିଛନ୍ତି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ଆଗାମୀ ଦୁଇ ତିନି ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ସତର୍କ ରହିବାକୁ ଦେଶବାସୀଙ୍କୁ ପରାମର୍ଶ ଦିଆଯାଇଛି । ଚୀନ ନୂଆ ବର୍ଷ ଛୁଟିରେ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି ବୋଲି ଚୀନ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଓ ପ୍ରିଭେନସନର ମୁଖ୍ୟ ମହାମାରୀ ବିଶେଷଜ୍ଞ ଉ ଜୁନୟୁ । ନୂଆବର୍ଷ ଛୁଟି ଯୋଗୁ ଲୋକମାନେ ବିଭିନ୍ନ ସ୍ଥାନକୁ ଛୁଟି ମନାଇବାକୁ ଯାଉଥିବା ବେଳେ ଅନେକ ସ୍ଥାନରେ ଜନସମାଗମ ମଧ୍ୟ ହେଉଛି । ଯାହା ଆଗାମୀ ଦିନରେ କରୋନା ଭୂତାଣୁ ସଂକ୍ରମଣ ବଢ଼ାଇବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି । ଗତ ୫ ସପ୍ତାହ ମଧ୍ୟରେ ହସ୍ପିଟାଲରେ ୬୦ହଜାର କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଚୀନ ରିପୋର୍ଟ ଦେଇଛି । ଚୀନରେ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ପ୍ରତିଶତ ଅତି କମ୍ ଯୋଗୁ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢୁଥିବା ବିଶେଷଜ୍ଞ ଅନଚମାନ କରିଛନ୍ତି । ୬୦ରୁ ଊର୍ଦ୍ଧ୍ୱ ବୟସ୍କ ମାତ୍ର ୩୦ ପ୍ରତିଶତ କରୋନା ଟିକା ନେଇଛନ୍ତି । ପ୍ରାୟ ୮୦ ଲକ୍ଷ ଲୋକ ଏବେ ବି କରୋନା ଟିକା ନେଇନାହାନ୍ତି ।

Leave A Reply

Your email address will not be published.