ଆଉ କେତେ ଭୋଗିଲେ ଚେତିବ, ସଂକଟରେ ଥାଇ ମଧ୍ୟ ଭାରତର ପିଛା ଛାଡ଼ୁନି ପାକ୍‌

0 81

ନୂଆଦିଲ୍ଲୀ, ୨୪ା୧: ଶ୍ରୀଲଙ୍କା ରାସ୍ତାରେ ପାକିସ୍ତାନ । ଅର୍ଥ ସଂକଟରେ ବୁଡ଼ିଥିବା ପାକିସ୍ତାନ ଏବେ ଘୋର ଅନ୍ଧାରରେ । ପାର୍ଲାମେଣ୍ଟ, ବିଧାନସଭା ଓ ସେକ୍ରେଟେରିଏଟ୍ ସମେତ ପୂରା ଦେଶରେ ଏବେ ଅନ୍ଧାରର ରାଜୁତି । ପ୍ରଥମେ ଅଟା ପରେ ଗ୍ୟାସ୍ ଆଉ ପେଟ୍ରୋଲ ମିଳିଲାନି । ଆଉ ଏବେ ସାଂଘାତିକ ବିଜୁଳି ସଂକଟ । କିଟିମିଟି ଅନ୍ଧାରରେ କଲବଲ ହେଉଛି ପୂରା ଦେଶ । ଘରେ ଘରେ ଜଳୁଛି ଲଣ୍ଠନ । ସଟ୍‌ସର୍କିଟ୍ କାରଣରୁ ତିନିଦିନ ବିଦ୍ୟୁତ୍ ସେବା ବନ୍ଦ ରହିଛି । ବିନା ଆଲୁଅରେ ଦିନ କାଟୁଛନ୍ତି ୨୨ କୋଟି ଲୋକ । ରାଜଧାନୀ ଇସ୍‌ଲାମାବାଦ, କରାଚି, ଲାହୋର, ପେଶାୱାର ଆଦି ପ୍ରମୁଖ ସହରର କିଛି ଅଂଶରେ ବିଜୁଳି ମରାମତି ହୋଇଛି । ପାକିସ୍ତାନ ଜାତୀୟ ଗ୍ରୀଡ଼୍‌ରେ ବିଭ୍ରାଟ ଯୋଗୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ବିଦ୍ୟୁତ୍ ନଥିବାରୁ ଦେଶବ୍ୟାପୀ ବିଭିନ୍ନ ଜରୁରି ସେବା ପ୍ରଭାବିତ ହେବା ସହିତ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ସରକାରଙ୍କ ପକ୍ଷରୁ ଲୋକଙ୍କୁ ପାୱାର ସେଭିଂ ପାଇଁ ଅନୁରୋଧ କରାଯାଉଛି । ପାକ୍ ଶକ୍ତିମନ୍ତ୍ରୀ କହିଛନ୍ତି ଗ୍ରୀଡ୍ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ଆଉ କିଛିଦିନ ଲାଗିବ । ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ପରେ ସୋସିଆଲ ମିଡିଆରେ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ଲୋକେ ସରକାରଙ୍କୁ ଟାର୍ଗେଟ୍ କରି ଦେଶରେ ପାୱାର ସିଷ୍ଟମ ଫେଲ୍ ମାରିଥିବା ନେଇ ବିଭିନ୍ନ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପରମାଣୁ ଶକ୍ତିସମ୍ପନ୍ନ ପାକିସ୍ତାନ ପାଖରେ ଏବେ ଖାଇବାକୁ ନାହିଁ । ଗହମ ପାଇଁ ଲୋକେ ମାରପିଟ୍ ହେଉଥିବାର ଦୃଶ୍ୟ ସାମ୍‌ନାକୁ ଆସିଛି । ଗ୍ୟାସ୍ ଆଉ ପେଟ୍ରୋଲ ମଧ୍ୟ ସରିଗଲାଣି । ଗ୍ୟାସ୍ ଓ ପେଟ୍ରୋଲ ପରେ ଏବେ ବିଜୁଳି ସଂକଟ ଲୋକଙ୍କୁ ଆହୁରି ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛି । ଏତେ ଅସୁବିଧାରେ ଥିଲେ ବି ନିଜର ପ୍ରକୃତି ଛାଡ଼ୁନି ପାକିସ୍ତାନ । ସବୁବେଳେ ଭାରତ ପଛରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବିସି ପ୍ରସ୍ତୁତ ବିବାଦୀୟ ଡକ୍ୟୁମେଣ୍ଟାରୀ ଉପରେ ପାକ୍ ସାମ୍ବାଦିକଙ୍କୁ ଚୁପ୍ କରାଇଛନ୍ତି ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ନେଟ୍ ପ୍ରାଇସ୍ । ସୋମବାର ଡକ୍ୟୁମେଣ୍ଟାରୀ ନେଇ ପ୍ରାଇସ୍‌ଙ୍କୁ ପାକ୍ ସାମ୍ବାଦିକ ପ୍ରଶ୍ନ କରିଥିଲେ । ଜବାବରେ ପ୍ରାଇସ୍ କହିଥିଲେ ଡକ୍ୟୁମେଣ୍ଟାରୀ ସହିତ ସେ ପରିଚିତ ନୁହନ୍ତି । ସେ କେବଳ ଭାରତ ଏବଂ ଆମେରିକାର ଗଣତନ୍ତ୍ର ସହିତ ପରିଚିତ । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସିଥିବା ପାକିସ୍ତାନର ସ୍ଥିତି ଆଗକୁ କ’ଣ ହେବ ତା’ ଉପରେ ପୂରା ବିଶ୍ୱର ନଜର ରହିଛି । ଏତେ ଦୁର୍ଦ୍ଦିନରେ କାଳାତିପାତ କରୁଥିଲେ ମଧ୍ୟ ନିଜର ପ୍ରକୃତିକୁ ଛାଡ଼ିପାରୁନାହାନ୍ତି ପାକ୍ ସାମ୍ବାଦିକମାନେ । ସେମାନେ ନିଜ କଥା ଭାବିବା ବଦଳରେ ଭାରତ କିପରି ବିପଦରେ ପଡ଼ିବ ସେହି ଚିନ୍ତା କରିବାରେ ଲାଗିଛନ୍ତି । ତେଣୁ ଓଡ଼ିଆରେ ଥିବା ଉକ୍ତି “ଯେପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ଏହି ଦେଶ ପାଇଁ ହିଁ ପ୍ରଯୂଜ୍ୟ ।

Leave A Reply

Your email address will not be published.