ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ, ସାଉଣ୍ଟିବେ ଆଧ୍ୟାତ୍ମିକ ଚେତନାର ଦିବ୍ୟ ଅନୁଭୂତି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

0 85

ଭୁବନେଶ୍ୱର, ୨୭୧(ଡିକେ ନ୍ୟୁଜ): ଆଜି “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା\’ରେ ଭୁବନେଶ୍ୱରଠାରୁ ଆଲ୍ଲାବାଦ (ପ୍ରୟାଗରାଜ)- ବାରଣାସୀ ଅଭିମୁଖୀ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରାର ଶୁଭାରମ୍ଭ ହୋଇଛି । ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ଲକ୍ଷ୍ୟ ନେଇ ଯାତ୍ରା କରୁଥିବା ଏହି ତୀର୍ଥଯାତ୍ରା ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ଯାତ୍ରା କରୁଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନା ଯୋଗୁଁ ଗତ ୨ବର୍ଷରୁ ଊର୍ଦ୍ଧ୍ୱ ଧରି ବନ୍ଦ ଥିବା ବରିଷ୍ଠ ନାଗରିକମାନଙ୍କ ପାଇଁ ତୀର୍ଥଯାତ୍ରା ପୁଣି ଆରମ୍ଭ ହୋଇଛି । ଚଳିତ ବର୍ଷ ଆମେ ୭୦୦୦ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ବ୍ୟବସ୍ଥା କରିଛୁ । ପ୍ରୟାଗରାଜ-ବାରଣାସୀକୁ ଯାଉଥିବା ଏହି ତୀର୍ଥଯାତ୍ରୀମାନେ ଭଗବାନ ବିଶ୍ୱନାଥଙ୍କ ଦର୍ଶନ କରି ନିଜ ପାଇଁ, ପରିବାର ପାଇଁ ଓ ଓଡିଶା ପାଇଁ ବାବାଙ୍କର ଆଶୀର୍ବାଦ ନେଇ ଆସିବେ ବୋଲି କହିଥିଲେ । ବରିଷ୍ଠ ନାଗରିକଙ୍କ ପାଇଁ ଯିବାଆସିବା, ରହିବା, ଖାଇବା, ସ୍ୱାସ୍ଥ୍ୟସେବା ଓ ସବୁ ପ୍ରକାର ସୁବିଧା ସରକାର କରିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରି ସେମାନଙ୍କ ଯାତ୍ରାର ଶୁଭମନାସି ଥିଲେ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ରେଳଷ୍ଟେସନର ୧ନମ୍ବର ପ୍ଲାଟଫର୍ମରୁ ଆଜି ନିର୍ଦ୍ଧାରିତ ଦିନ ୧୨.୪୫ ମିନିଟ୍ ସମୟରେ ଛାଡିଥିଲା । ଏହି ଯାତ୍ରାରେ ଆଜି ବରିଷ୍ଠ ନାଗରିକ ଓ ସେମାନଙ୍କ ପାଇଁ ସୁରକ୍ଷା ଅଧିକାରୀମାନଙ୍କୁ ମିଶାଇ ମୋଟ ୯୮୨ ଜଣ ଯାତ୍ରୀ ଆଲ୍ଲାବାଦ (ପ୍ରୟାଗରାଜ) ଏବଂ ବାରଣାସୀକୁ ଯାତ୍ରା କରିଛନ୍ତି । ଏହି ଯୋଜନାରେ ଚୟନ କରାଯାଇଥିବା ଖୋର୍ଦ୍ଧା, ନୟାଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଆଦି ୭ଟି ଜିଲ୍ଲାରୁ ବରିଷ୍ଠ ନାଗରିକମାନେ ଏହି ତୀର୍ଥଯାତ୍ରାରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ରେଳଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସ୍ୱତନ୍ତ୍ର ଟ୍ରେନ୍‌କୁ ଆକର୍ଷଣୀୟ ଭାବରେ ସଜ୍ଜିତ କରାଯାଇଥିଲା । ଏଠାରେ ସଂପୃକ୍ତ ବିଭିନ୍ନ ଜିଲ୍ଲାରୁ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥିମାନେ ରେଳ ବଗି ନିକଟରେ ଫିତାକାଟି ଏବଂ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଉପଲକ୍ଷେ ଏଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଯୋଗେ ଶୁଭେଚ୍ଛା ବାର୍ତ୍ତା ପ୍ରଦର୍ଶନ କରିଥିଲା । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ରାଜ୍ୟ କ୍ରୀଡା, ଯୁବସେବା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଅରବିନ୍ଦ ଢାଲି, ବିଧାୟକ ସମ୍ବିତ ରାଉତରାୟ, ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିଃ.ର ଅଧ୍ୟକ୍ଷ ଡଃ ଲେନିନ୍ ମହାନ୍ତି, ବରିଷ୍ଟ ନାଗରିକ ତୀର୍ଥଯାତ୍ରା ଯୋଜନା କାର୍ଯ୍ୟକ୍ରମର ଉପଦେଷ୍ଟା ଦୁର୍ଗା ପ୍ରସାଦ ସାମନ୍ତରାୟ ପ୍ରମୁଖ ଯୋଗଦେଇ ରାଜ୍ୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ବୋଲି ଅଭିହିତ କରିବା ସହ ସମସ୍ତ ତୀର୍ଥଯାତ୍ରୀଙ୍କୁ ସେମାନଙ୍କର ଯାତ୍ରାର ଶୁଭେଚ୍ଛା ଜ୍ଞାପନ କରିଥିଲେ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ସମାଜର ସବୁବର୍ଗର ଜନସାଧାରଣଙ୍କ ପାଇଁ ଯୋଜନା ପ୍ରଣୟନ କରାଯାଇଛି ଏବଂ ସବୁସ୍ତରରେ ଯୋଜନାର ସୁଫଳ ପହଞ୍ôଚବା ପାଇଁ ପ୍ରୟାସ ଜାରି ରହିଛି । ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟ ସରକାରଙ୍କ ଏହି ଯୋଜନା ଅନ୍ୟ ରାଜ୍ୟରେ ଅନୁକରଣୀୟ ହୋଇଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅତିଥି ଭାବେ ଉପସ୍ଥିତ ଥିଲେ । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଭୁବନେଶ୍ୱର ବ୍ଲକ ବିଡିଓ ସମ୍ପଦ କୁମାର ଦଳାଇଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ପୌରପାଳିକା ନିର୍ବାହୀ ଅଧିକାରୀ ଓ ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ବରିଷ୍ଠ ନାଗରିକମାନଙ୍କର ସାମୟିକ ରହଣୀ ଓ ଯାତ୍ରାର ସୁବ୍ୟବସ୍ଥା କରିଥିଲେ । ତୀର୍ଥଯାତ୍ରାର ଶୁଭାରମ୍ଭ ପରିପ୍ରେକ୍ଷୀରେ ଆଜି ତୀର୍ଥଯାତ୍ରା କରିଥିବା ବରିଷ୍ଠ ନାଗରିକ ରବୀନ୍ଦ୍ର ନାଥ ନାୟକ, ଗେଲ୍ଲି ସାହୁ, ରାଜକିଶୋର ବରାଳ, ସ୍ୱର୍ଣ୍ଣଲତା ନାୟକ, ପ୍ରଦୀପ କେଇଙ୍କୁ ପ୍ରତୀକାତ୍ମକ ଭାବେ ଡମି ରେଳ ଟିକେଟ୍ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଉପସ୍ଥାପକ ଡଃ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.