ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆନ୍ତର୍ଜାତିକ ହକି ମହାସଂଘ ସଭାପତି

0 85

ଭୁବନେଶ୍ୱର, ୨୭ା୧(ଡିକେ ନ୍ୟୁଜ): ହକି ବିଶ୍ୱକପ ଅବସରରେ ଓଡ଼ିଶା ଆସିଥିବା ଆନ୍ତର୍ଜାତିକ ହକି ମହାସଂଘ ଏଫ୍‌ଆଇଏଚ୍‌ ସଭାପତି ତୟାବ ଇକ୍ରାମ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସଫଳତାର ସହ ବିଶ୍ୱକପ ହକି ଆୟୋଜନ କରିଥିବାରୁ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ଏଫ୍‌ଆଇଏଚ୍ ସଭାପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫ୍‌ଆଇଏଚ୍ ସଭାପତିଙ୍କ ମଧ୍ୟରେ ହକିର ଆହୁରି ବିକାଶ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା ହୋଇଛି । ଏହି ସାକ୍ଷାତ ଆଲୋଚନା ବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ବେଶ କିଛି ବର୍ଷ ଉପେକ୍ଷିତ ଓ ଅବହେଳିତ ଅବସ୍ଥାରେ ରହିବା ପରେ ହକି ପ୍ରତି ଭାରତରେ ପୁଣି ଉତ୍ସାହ ବଢିବାରେ ଲାଗିଛି । ଭାରତୀୟ ହକି ଏକ ନୂଆ ଯୁଗ ଦେଇ ଗତି କରୁଛ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ ହକି ପ୍ରତି ଏହି ନବ ଉତ୍ସାହର ଶ୍ରେୟ ନିଶ୍ଚିତ ଭାବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିବ । ପ୍ରତିଭା ଅନ୍ୱେଷଣ, ତୃଣମୂଳସ୍ତରରେ ହକିର ପ୍ରସାର ଓ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ଉନ୍ନତ ପ୍ରଶିକ୍ଷଣ ସହ ଜାତୀୟ ଓ ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ବର୍ତ୍ତମାନ ଉଦାହରଣ ପାଲଟିଛି ଓଡିଶା । ହକି ପ୍ରତି ପୂର୍ବାପେକ୍ଷା ଆଗ୍ରହ ବଢିଛି । କଳିଙ୍ଗ ହକି ଷ୍ଟାଡିୟମ ବିଶ୍ୱର ଶ୍ରେଷ୍ଠ ହକି ଷ୍ଟାଡିୟମ ମଧ୍ୟରେ ପରିଗଣିତ ହେଉଥିବା ବେଳେ ରାଉରକେଲାରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ଯାହା କି ଓଡିଶା ହକି ପାଇଁ ସୃଷ୍ଟି କରିଛି ନୂଆ ଅଧ୍ୟାୟ । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ କେବଳ ଯେ ବିଶ୍ୱକପ ମ୍ୟାଚ ଖେଳାଯିବ ତାହା ନୁହେଁ, ଏହା ସ୍ଥାନୀୟ ପ୍ରତିଭାମାନଙ୍କ ପାଇଁ ମଧ୍ୟ ଏକ ଆଶୀର୍ବାଦ ସଦୃଶ ହୋଇଛି । ଏମିତି ତ ହକିର ଅନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାରେ ୧୭ଟି ଅଷ୍ଟ୍ରୋଟର୍ଫ ପଡିଆ ନିର୍ମାଣ କରି ଆଉ ହକିର ପ୍ରସାର ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ଓଡିଶା ସରକାର ।

Leave A Reply

Your email address will not be published.