ଆଜି ସାଧାରଣ ବଜେଟ୍‌

0 84

ନୂଆଦିଲ୍ଲୀ, ୩୧ା୧: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ ୨୦୨୩- ୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ୍ । ଆୟକର ରିହାତି ଓ ଛାଡ଼ ସୀମାରେ ହୋଇପାରେ ବୃଦ୍ଧି । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହା ଶେଷ ସମ୍ପୂର୍ଣ୍ଣ ବଜେଟ୍ । ଚଳିତ ବର୍ଷ ୯ ରାଜ୍ୟ ଓ ଆସନ୍ତାବର୍ଷ ଲୋକସଭା ନିର୍ବାଚନ । ତେଣୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ ସହ ପପୁଲିଷ୍ଟ ପଦକ୍ଷେପ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ । ଶ୍ରୀମତୀ ସୀତାରମଣ ପଞ୍ଚମଥର ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହି ବଜେଟ୍‌ରେ ମଧ୍ୟବିତ୍ତ ବର୍ଗ ଅନେକ ଆଶା ରଖିଛନ୍ତି । ଆୟକର ରିହାତି ଓ ଛାଡ଼ ସୀମାରେ ବୃଦ୍ଧି ହୋଇପାରେ । ବର୍ତ୍ତମାନ ୮୭(ଏ)ରେ ରିହାତି ସୀମା ୫ଲକ୍ଷ ରହିଛି । ଏହାକୁ ୬ଲକ୍ଷ କରିବାକୁ ଅନେକ ଆଶା ରଖିଛନ୍ତି । କୃଷକଙ୍କଠୁ ନେଇ ଉଦ୍ୟୋଗପତିଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ଏହି ବଜେଟ ଉପରେ ନଜର ରହିଛି । ଏହି ବଜେଟ୍ ଏମିତି ସମୟରେ ଉପସ୍ଥାପିତ ହେଉଛି ଯେଉଁ ସମୟରେ ଋଷ ଏବଂ ୟୁକ୍ରେନ ଯୁଦ୍ଧ କାରଣରୁ ଅନେକ ଦେଶର ଆର୍ଥିକ ସ୍ଥିତି ଦୟନୀୟ ରହିଛି । ୟୁକେ ସହିତ ଅନେକ ୟୁରୋପୀୟ ଦେଶର ଦରବୃଦ୍ଧି ଲୋକଙ୍କ ଅଣ୍ଟା ଭାଙ୍ଗି ସାରିଲାଣି । ଜିରୋ କୋଭିଡ୍ ନୀତି ଯୋଗୁଁ ଚୀନର ମ୍ୟାନୁଫେକଚର ସେକ୍ଟର ଉପରେ ବ୍ୟାପକ ପ୍ରଭାବ ପଡିଛି । ଏହି ସମସ୍ତ ପରିସ୍ଥିତି ମଧ୍ୟରେ ଦୁନିଆ ଭାରତକୁ ସମ୍ଭାବନା ଦୃଷ୍ଟିରେ ଦେଖୁଛି । ଯେବେ ବି ଦେଶରେ ବଜେଟ୍ ଉପସ୍ଥାପନ ହୁଏ, ସବୁ ବର୍ଗର ନଜର ଏହା ଉପରେ ରହିଥାଏ ଯେ ସରକାର ଟ୍ୟାକ୍ସ ସ୍ଲାବରେ କିଛି ପରିବର୍ତ୍ତନ କଲେ କି ନାହିଁ । କୋଭିଡ୍ କାରଣରୁ ସମସ୍ତ କ୍ଷେତ୍ର ଏବଂ ସବୁ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଏମିତିରେ ଦେଶର ମଧ୍ୟମ ଶ୍ରେଣୀର ଲୋକେ ଟ୍ୟାକ୍ସରେ ରିହାତି ଆଶା ରଖିଛନ୍ତି । ବଜେଟ୍‌ରୁ ଓଡ଼ିଶା ମଧ୍ୟ ଅନେକ କିଛି ଆଶାରଖିଛି । ଫୋକସ୍ ଷ୍ଟେଟ୍‌ ମାନ୍ୟତା ଦେଇ ଅଧିକ ଅନୁଦାନ, ଆବାସରେ ଅଧିକ ଘର, ନିର୍ମାଣାଧୀନ ରେଳ ପ୍ରକଳ୍ପକୁ ଅଧିକ ଅନୁଦାନ ସହ ନୂଆ ପ୍ରକଳ୍ପ ଆଶା କରାଯାଉଛି । ମୁଦ୍ରାସ୍ଫୀତି ଏବଂ ଦରବୃଦ୍ଧି ନିୟନ୍ତ୍ରଣ, ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି, ନିମ୍ନମଧ୍ୟବିତ୍ତଙ୍କ କ୍ରୟଶକ୍ତି ବୃଦ୍ଧି କରିବା ଏଥର ଅର୍ଥମନ୍ତ୍ରୀଙ୍କ ପାଇଁ ନିଶ୍ଚିତ ଚ୍ୟାଲେଞ୍ଜ ହେବ । ଆୟକର ସ୍ଲାବରେ ପରିବର୍ତ୍ତନ ହେଲେ ନିମ୍ନମଧ୍ୟବିତଙ୍କ କ୍ରୟଶକ୍ତି ବଢ଼ିବା ସହିତ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହେବ ଏବଂ ଜିଡିପି ଅଭିବୃଦ୍ଧି ଲକ୍ଷ୍ୟ ହାସଲ ସହଜ ହେବ ବୋଲି ଅର୍ଥନୀତି ବିଶାରଦ ମତପ୍ରକାଶ କରିଛନ୍ତି । ଗମନାଗମନ, ଅଣପାରମ୍ପରିକ ଶକ୍ତି ଭଳି ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶର ଆଶା ରହିଛି । ଖାଲି ଆୟକର ସ୍ଲାବରେ ପରିବର୍ତ୍ତନ ସହ କେନ୍ଦ୍ର ସରକାର ନିଜସ୍ୱ ଟିକସ ସଂଗ୍ରହ ଉପରେ ଫୋକସ୍‌ କରିବେ । ଗତ ୫ବର୍ଷରେ ପ୍ରାୟ ୫ଲକ୍ଷ ଭାରତୀୟ ନାଗରିକତ୍ୱ ସରେଣ୍ଡର କରି ବିଦେଶକୁ ଚାଲିଯାଇଛନ୍ତି । ସେମାନଙ୍କ ସମ୍ପତ୍ତି ଉପରେ ଅଧିକ ଏକ୍‌ଜିଟ୍ ଟିକସ୍‌ ଲଗାଇବା ସପକ୍ଷରେ ବିଶେଷଜ୍ଞ ମତ ରଖିଛନ୍ତି । ସେହିପରି ନାଗରିକଙ୍କ ସୁନା ଡିସ୍‌କ୍ଲୋଜନ୍ ସ୍କିମ୍ ପ୍ରଚଳନ ହେଲେ ପ୍ରାୟ ଦୁଇଲକ୍ଷ କୋଟି ଟଙ୍କାର ଟିକସ ସରକାର
ପାଇପାରିବେ । ନିଜସ୍ୱ ଟିକସ ବୃଦ୍ଧି ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିକ୍ଷେତ୍ରକୁ ପ୍ରାଥମିକତା ଦେବାକୁ ପଡ଼ିବ । ନିଯୁକ୍ତି ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ କ୍ୟାପିଟାଲ ଏକ୍ସପେଣ୍ଡିଚର ବଢ଼ିପାରେ । ଯେଉଁ ରାଜ୍ୟଗୁଡ଼ିକରେ ନିର୍ବାଚନ ରହିଛି ତାକୁ ଅଧିକ ଫୋକସ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନାଥାଉ କି, ଗତ ୯ବର୍ଷରେ ଆୟକର ସ୍ଲାବ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଶେଷ ଥର ୨୦୧୪ରେ ସରକାର ଆୟକର ଛାଡ଼ ସୀମା ବଢ଼ାଇଥିଲେ ।

Leave A Reply

Your email address will not be published.