ଫେବୃଆରୀରେ ଅଗ୍ନିବର୍ଷା, ୪୦ ଡିଗ୍ରୀ ଟପିପାରେ ପାରଦ

0 72

ଭୁବନେଶ୍ୱର, ୨ା୨ (ଡିକେ ନ୍ୟୁଜ୍‌): ମାଘରେ ବାଘ ଭଳିଆ ତାତି ଅନୁଭୂତ ହେଉଥିବା ଫେବୃଆରୀରେ ଆକାଶରୁ ଅଗ୍ନିବର୍ଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ । ଫେବୃଆରୀର ଆକଳନ ଅନୁସାରେ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା । ଏଥିପାଇଁ ଏସବୁ ରାଜ୍ୟ ରେଡ୍ ଏବଂ ଅରେଞ୍ଜ ଆଲର୍ଟରେ ରହିଛି । ସୂର୍ଯ୍ୟଙ୍କ ତେଜ କିରଣ, ମେଘମୁକ୍ତ ଆକାଶ ଏବଂ ଦୀର୍ଘଦିନ ବର୍ଷା ନ ହେବାରୁ ଦେଶରେ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଜାନୁଆରୀରେ ସମ୍ବଲପୁରର ତାପମାତ୍ରା ୨୦୦୯ର ସର୍ବକାଳୀନ ତାପମାତ୍ରା ୩୯.୯ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ୱର ନବମ ସର୍ବକାଳୀନ ରେକର୍ଡ ହୋଇଛି । ଗତ ୨୦୨୧ ମସିହାରେ ତାପମାତ୍ରା ବୃଦ୍ଧିରେ ରେକର୍ଡ କରିଥିଲା ଓଡ଼ିଶା । ବିଶେଷକରି ଭୁବନେଶ୍ୱର ଏବଂ ବାରିପଦା ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା । ଏଥର ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ହେବା ଆଶା କରାଯାଉଛି । ଅନ୍ୟପକ୍ଷରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିବ ଶୀତ ଲହରୀ । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବ । ବିଶେଷକରି ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ଶୀତ ଲହରୀ ପାଇଁ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟକୁ ପ୍ରବାହିତ ହେଉଥିବା ଶୁଷ୍କ ଏବଂ ଥଣ୍ଡାବାୟୁ ପ୍ରବାହ ଯୋଗୁ ପୁଣି ଶୀତ ଲେଉଟାଣି କରିବ । ଜାନୁଆରୀରେ ଦୁଇଦିନ ଶୀତଲହରୀ ଅନୁଭୂତ ହୋଇଥିବା ବେଳେ ଫେବୃଆରୀରେ ମଧ୍ୟ କିଛି ଅଞ୍ଚଳରେ ଶୀତ ଲହରୀ ଅନୁଭୂତ ହେବ । ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ସର୍ବାଧିକ ୭ ଡିଗ୍ରୀ ତାପମାତ୍ରା ଖସିଥିବା ବେଳେ ଝାରସୁଗୁଡ଼ାରେ ୮.୮, ଫୁଲବାଣୀରେ ୪.୫ ଏବଂ ଭୁବନେଶ୍ୱରରେ ୩.୭ ଡିଗ୍ରୀ କମିଛି ପାରଦ ।

Leave A Reply

Your email address will not be published.