ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡ଼ିଶା ମନ୍ତ୍ରକୁ ବୁଝିଲେଣି ବିରୋଧୀ, ଓଡ଼ିଶାର ବିକାଶ ପୁରୁଷ ନବୀନ

0 77

ଭୁବନେଶ୍ୱର, ୪ା୨ (ଡିକେ ନ୍ୟୁଜ୍‌): ଗଠନ ହେବ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା । ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ସବୁଠି ଗଡ଼ିବ ବିକାଶର ରଥ । ବିକାଶମୂଳକ କାମରେ ରହିବନି ରାଜନୈତିକ ବାଛବିଚାର । ୨୫ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତ୍ରକୁ ବିରୋଧୀ ବୁଝିଲେଣି । ଖୋଲାମଞ୍ଚରେ ବିରୋଧୀ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୋରାପୁଟ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଭୂୟସୀ ପ୍ରଶଂସା କରିଛନ୍ତି । କୋରାପୁଟର ବିକାଶ ରଥକୁ ଦ୍ରୁତ ଗତିରେ ନବୀନ ଆଗକୁ ନେଉଥିବାରୁ ଖୋଲା ହୃଦୟରେ ନବୀନଙ୍କ ଗୁଣଗାନ କରିଛନ୍ତି ତାରା । ତାରାଙ୍କ ଏହି ଜୟଗାନ ରାଜ୍ୟ ରାଜନୀତିକୁ ଏକ ଭିନ୍ନ ସଂକେତ ଓ ନୂଆ ଦିଗ ଦେଇଛି । ବିରୋଧୀ ଦଳରେ ରହି ମଧ୍ୟ ନବୀନଙ୍କ ବିକାଶମୂଳକ ଏଜେଣ୍ଡାକୁ ତାରା ପ୍ରଶଂସା କରି ସକାରାତ୍ମକ ରାଜନୀତି ପାଇଁ ଆହ୍ୱାନ ଦେଇଛନ୍ତି । ଖାଲି ସେତିକି ନୁହେଁ, ତାରାଙ୍କ ବୟାନକୁ ସମର୍ଥନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି କୋରାପୁଟ ବିକାଶ ପାଇଁ ତାରା ଉତ୍ସାହିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ବିଜେପି ରାଜନୀତିକୁ ଜୟଦେବ କଡ଼ା ସମାଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି କହିଛି, ଓଡ଼ିଶାର ବିକାଶ ପୁରୁଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ । ସବୁ କ୍ଷେତ୍ରରେ ଓଡ଼ିଶାକୁ ଦେଶରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ବିଶ୍ୱ ଦରବାରରେ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ପାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ସମସ୍ତେ ପ୍ରଶଂସା କରୁଛନ୍ତି । ସେହିପରି ବିକାଶ ପାଇଁ ନବୀନଙ୍କୁ ପ୍ରଶଂସା କରିବା ଉଚିତ ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି । ବିକାଶମୂଳକ କାର୍ଯ୍ୟ ଓ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ରାଜନୀତି ନ କରିବା ଉଚିତ୍ ବୋଲି ସେମାନେ ମତ ଦେଇଛନ୍ତି । ଜାତିସଂଘ ଏବଂ ଆନ୍ତର୍ଜାତିକ ସଂସ୍ଥାଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣତନ୍ତ୍ରର ମନ୍ଦିର ସଂସଦରେ ଓଡ଼ିଶାକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏବେ ବିରୋଧୀ ବିଧାୟକ ରାଜ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ନବୀନଙ୍କୁ ପ୍ରଶଂସା କରିବା ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.