ଚୈତ୍ର ଓ ବୈଶାଖରେ ଜଳିବ ଅଧିକ ଜଙ୍ଗଲ

0 85

ଭୁବନେଶ୍ୱର, ୬ା୨(ଡିକେ ନ୍ୟୁଜ): ଏବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଆଶଙ୍କା ରହିଛି । ବଢ଼ୁଥିବା ତାପମାତ୍ରା ଓ ଦୀର୍ଘଦିନ ହେବ ବର୍ଷା ହୋଇନଥିବାରୁ ଏଭଳି ମତ ପ୍ରକାଶ କରିଛନ୍ତି ପିସିସିଏଫ୍‌ (ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ) ଦେବୀଦତ୍ତ ବିଶ୍ୱାଳ । ସେ କହିଛନ୍ତି, ୨୦୨୧ରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସବୁଠାରୁ ଅଧିକ ଚିହ୍ନଟ ହୋଇଥିଲା । ୨୦୨୨ରେ ଏହି ଏହି ଘଟଣା ପ୍ରାୟ ଅଧା କମିଥିଲା । ଏବର୍ଷ ଜାନୁଆରୀ ଚତୁର୍ଥ ସପ୍ତାହରୁ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି । ଗଛ ପତ୍ର ଝଡ଼ା ଦେଇଥିବା ବେଳେ ଅନ୍ୟପଟେ ତାପମାତ୍ରା ବଢ଼ିବାରେ ଲାଗିଛି । ଦୀର୍ଘ ଦିନ ହେଲା ବର୍ଷା ନଥିବାରୁ ଜଙ୍ଗଲ ନିଆଁ ଅଧିକ ବ୍ୟାପିବା ଆଶଙ୍କା କରାଯାଉଛି । ଯଦି ନିକଟ ଭବିଷ୍ୟତରେ ବର୍ଷା ନହୁଏ, ତେବେ ଜଙ୍ଗଲ ନିଆଁ ଅଧିକ ଲାଗିବ । ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବନ ବିଭାଗ ଅନେକ ପଦକ୍ଷେପ ନିଏ, କିନ୍ତୁ ମନୁଷ୍ୟକୃତ ନିଆଁ ଯୋଗୁ ଜଙ୍ଗଲ ଓ ଜଙ୍ଗଲୀ ପ୍ରାଣୀଙ୍କ ବିଶେଷ କ୍ଷତି ହୋଇଥାଏ । ଅନେକ ଲୋକ ବିଡି ଓ ସିଗାରେଟ ଖାଇବା ପରେ ନ ଲିଭାଇ ଜଙ୍ଗଲରେ ପକାଇ ଦିଅନ୍ତି । ଅନେକ ଦୁର୍ବୃତ୍ତ ପଶୁ ଶିକାର ନିମନ୍ତେ ଜଙ୍ଗଲରେ ନିଆଁ ଲଗାଇ ଦିଅନ୍ତି । ସେହିପରି ହରିଆନା, ପଞ୍ଜାବ ଭଳି ଓଡ଼ିଶାରେ ଏବେ ମେସିନ୍‌ ମାଧ୍ୟମରେ ବ୍ୟାପକ ଫସଲ କଟା ଯାଉଥିବାରୁ ଜମିରେ ରହି ଯାଉଥିବା ପାଳ ଓ ପାଳ ବୁଦାକୁ ପୋଡ଼ିବା ନିମନ୍ତେ ଲୋକେ ନିଆଁ ଲଗାଇ ଦେଉଛନ୍ତି । ଏହା ମଧ୍ୟ କେତେକାଂଶରେ ଜଙ୍ଗଲରେ ନିଆଁ ଲାଗିବାର କାରଣ ହେଉଛି । ଜଙ୍ଗଲରେ ନିଆଁ ଲାଗିବା ଜଣାପଡ଼ିବା ପରେ ବୈଷୟିକ ଜ୍ଞାନକୌଶଳର ସାହାଯ୍ୟ ନିଆଯାଉଛି । ସାଟେଲାଇଟ୍‌ ଫଟୋ ଆଧାରରେ ଜଙ୍ଗଲ ନିଆଁକୁ ଲିଭାଇବାକୁ ପ୍ରୟାସ କରାଯାଉଛି । ସୂଚନା ମିଳିବା ପରେ ଜଙ୍ଗଲ ନିଆଁ ଲିଭାଇବାରେ ବିଭାଗ ୯୦ ପ୍ରତିଶତ ସଫଳ ହେଉଛି । ଏବେ ଦିନକୁ ୧୦୦ରୁ ଅଧିକ ଜାଗାରେ ନିଆଁ ଲାଗିବା ଖବର ଆସୁଛି । ତେବେ ଆଗକୁ ଯଦି ଜଙ୍ଗଲରେ ନିଆଁ ଲାଗିବା ଘଟଣା ବଢେ଼ ତେବେ ଏହାକୁ କାବୁ କରିବା ବନ ବିଭାଗ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିବ । ତେବେ ଜଙ୍ଗଲ ନିଆଁ କାବୁ କରିବାକୁ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ବିଭାଗୀୟ କର୍ମ·ରୀ ଓ ସ୍କ୍ୱାଡ୍‌ ପ୍ରସ୍ତୁତ ଅଛନ୍ତି । ଜଙ୍ଗଲ ଭିତରେ ଥିବା ଗାଁଗୁଡ଼ିକରେ ନିଆଁ ନ ଲଗାଇବା ପାଇଁ ଓ ନିଆଁ ଦେଖିଲେ ତୁରନ୍ତ ସୂଚନା ଦେବାକୁ ସଚେତନତା କରାଯାଉଛି । ବିଦେଶରେ ବିଭିନ୍ନ ଜଙ୍ଗଲ କିମ୍ବା ହିମାଳୟାନ୍‌ ଜଙ୍ଗଲରେ ନିଆଁ ଲାଗିଲେ ଏହା ଖୁବ୍‌ଶୀଘ୍ର ବ୍ୟାପିଥାଏ । କାରଣ ଏହି ଜଙ୍ଗଲରେ ଥିବା ଗଛଗୁଡ଼ିକରେ ଅଧିକ ତେଲ ଅଂଶ ଥାଏ । କିନ୍ତୁ ଉପକୂଳିଆ ଜଙ୍ଗଲରେ ଏଭଳି ଆଶଙ୍କା ନ ଥାଏ । କାରଣ ଗଛରେ ତେଲ ଅଂଶ ନ ଥାଏ । ତେବେ ବି ନିଆଁ ଲାଗିବା ଦ୍ୱାରା ଜଙ୍ଗଲରେ କିଛି ଗଛ ପୋଡ଼ି ନଷ୍ଟ ହୁଏ । ଝଡ଼ି ପଡ଼ିଥିବା ପତ୍ର ପୋଡ଼ିବା ଯୋଗୁଁ ମାଟି ଭିତରେ ଗାତ କରି ବସବାସ କରୁଥିବା ବନ୍ୟ ପ୍ରାଣୀଙ୍କ ମୃତ୍ୟୁ ହୋଇଥାଏ । ତାପମାତ୍ର ବଢ଼ୁଥିବାରୁ ଆଗକୁ ଜଙ୍ଗଲରେ ନିଆଁ ଲାଗିବା ଘଟଣା ହଜାରେ ପାର କରିପାରେ । ବାଲିଗୁଡ଼ା, ଫୁଲବାଣୀ, ବୌଦ୍ଧ, ସୁନ୍ଦରଗଡ଼, ଶିମିଳିପାଳ ଜଙ୍ଗଲରେ ସବୁଠାରୁ ଗୁରୁତର ନିଆଁ ଲାଗିଥାଏ । ତେବେ ବନ ବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ସଜାଗ ଅଛି । ଅନ୍ୟପଟେ ଲୋକଙ୍କୁ ସଚେତନତା କରିବା ନିମନ୍ତେ ଏସ୍‌ଏଚ୍‌ଜିକୁ ପଥପ୍ରାନ୍ତ ନାଟକ କରିବାକୁ ଦାୟିତ୍ୱ ଦିଆଯାଇଛି ବୋଲି ପିସିସିଏଫ୍‌ ଶ୍ରୀ ବିଶ୍ୱାଳ କହିଛନ୍ତି ।

Leave A Reply

Your email address will not be published.