ତେଜିଲା କେନ୍ଦ୍ରାପଡ଼ାରେ ମେଡ଼ିକାଲ ଦାବି, ରାଜ୍ୟପାଳଙ୍କୁ ଭେଟିଲେ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧ

0 100

କେନ୍ଦ୍ରାପଡ଼ା,୧୬ା୨(ଡିକେ ନ୍ୟୁଜ): କେନ୍ଦ୍ରାପଡା ମେଡିକାଲ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏକ ୭ଜଣିଆ ପ୍ରତିନିଧି ଦଳ ବୁଧବାର ଅପରାହ୍ନରେ ଭୁବନେଶ୍ୱର ରାଜଭବନରେ ପହଞ୍ଚିରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ବିଜେପି ନେତା ମହମ୍ମଦ ସଲିମ ଖାନ, ସିପିଏମ ନେତା ଗୟାଧର ଧଳ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, କାଉନସିଲର ରଶ୍ମୀତା ସିଂ, ଜିଲ୍ଲା କଂଗ୍ରେସ ଉପସଭାପତି ସୈାମେନ୍ଦ୍ର ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ହେମନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ । ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ କୈାଣସି ବିକଳ୍ପ ବ୍ୟବସ୍ଥା ନକରି ସରକାରଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରାପଡା ସହର ବାହାର ଶ୍ୟାମଗୁଡିଆକୁ ସ୍ଥାନାନ୍ତର ନିଷ୍ପତ୍ତି ଯୋଗୁଁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ସହରର ତିନି ଚତୁର୍ଥାଂଶ ଲୋକଙ୍କ ସମେତ ପଡୋଶୀ କେନ୍ଦ୍ରାପଡା ବ୍ଲକର ୧୩ଟି ଗ୍ରାମପଞ୍ଚାୟତର ଲୋକସଂଖ୍ୟା ମିଶି ପ୍ରାୟ ୧.୧୫ଲକ୍ଷ ଲୋକେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମହା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେଥିନିମନ୍ତେ ଗୋଟିଏ ଅର୍ବାନ ସିଏଚସି ବା ସିଟି ହସପିଟାଲ ସେହି ଡିଏଚଏଚ ଚାଲୁଥିବା ସ୍ଥାନ ଖଡିଅଙ୍ଗରେ ପ୍ରତିଷ୍ଠା କରାଯାଉ । ସିଟି ହସପିଟାଲ ସପକ୍ଷରେ ଯୁକ୍ତି ଦର୍ଶାଯାଇଛି ଯେ କେନ୍ଦ୍ରାପଡା ପୈାର ପରିଷଦର ଅଧ୍ୟକ୍ଷାଙ୍କ ସମେତ ସମସ୍ତ ୨୧ଜଣ କାଉନସିଲର ଏକାଠି ହୋଇ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି ଓ ଏସଂକ୍ରାନ୍ତରେ ପରିଷଦରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ମଧ୍ୟ ଦାବି ସପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କୁ ଚିଠି ଲେଖି ଅନୁକୂଳ ମତ ରଖିଛନ୍ତି । ବରଗଡରେ ଅନୁରୂପ ପରିସ୍ଥିତିରେ ସରକାର ୨୦ହଜାର ୨୨୦ ଅର୍ବାନ ସିଏଚସି ପ୍ରତିଷ୍ଠା କରିଥିବା ସ୍ଥଳେ ରାଜ୍ୟର ସର୍ବପୁରାତନ ୧୫୪ବର୍ଷର କେନ୍ଦ୍ରାପଡା ପୈାରପରିଷଦକୁ ଅଣଦେଖା କରିବା ଘୋର ଅବିଚାର ବ୍ୟତିତ କଣ ହୋଇପାରେ ବୋଲି ପ୍ରଶ୍ନ କରାଯାଇଛି । ହସପିଟାଲର ଯଥାର୍ଥତା ହେତୁ ଗତ ଜାନୁଆରୀ ୧୭ରେ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା କେନ୍ଦ୍ରାପଡା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଛି ଓ ଜାନୁଆରୀ ୨୪ରୁ ଆରମ୍ଭ ହୋଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣ ଧାରଣାରେ ଜନ ସମର୍ଥନ ବଢି ଚାଲିଛି । ସୁତରାଂ ସର୍ବନିମ୍ନ ୫ଜଣ ବିଶେଷଜ୍ଞ, ୩୦ ଶଯ୍ୟା ସମେତ ଅନୁସାଙ୍ଗିକ ସ୍ୱାସ୍ଥ୍ୟସେବା ଥାଇ ସେହି ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନରେ ତୁରନ୍ତ ସିଟି ହସପିଟାଲ ପ୍ରତିଷ୍ଠା କରାଯିବାକୁ ରାଜ୍ୟପାଳ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଛି ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରତିନିଧି ଦଳଙ୍କ ଠାରୁ ଧର୍ଯ୍ୟର ସହ ଶୁଣି ଦାବି ପ୍ରତି ସହାନୁଭୂତି ଜଣାଇଥିଲେ ଓ ସରକାରଙ୍କୁ ଅନୁକୂଳ ସୁପାରିଶ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ୨୧ଦିନରେ ପହଞ୍ଚିଛି । ଆମ ଆଦମୀ ପାର୍ଟିର ଜିଲ୍ଲା ଆବାହକ ସଂଦୀପ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହିଫଜୁର ରହେମାନ, ଉମେଶ ସିଂହ, ବିଜେପି ନେତା ପଦ୍ମଲୋଚନ ମହାପାତ୍ର, ସୟଦ ଅକମଲ ଅଲ୍ଲୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.