ପଦ୍ମପୁରରୁ ମିଶନ ପଶ୍ଚିମ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

0 97

ଭୁବନେଶ୍ୱର/ବରଗଡ଼, ୧୮ା୨(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିନିକିଆ ବରଗଡ଼ ଗସ୍ତରେ ଯିବେ । ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସେହିପରି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଚେକ୍‌ ହସ୍ତାନ୍ତର କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି
ଚାଲିଛି । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ହେବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ପୂର୍ବାହ୍ଣ ୧୧ଟାରେ ପଦ୍ମପୁରସ୍ଥିତ ସତୀଭଟା ଏୟାରଷ୍ଟ୍ରିପରେ ପହଞ୍ଚିବେ । ସେଠାରୁ ସେ ହେଲିକପ୍ଟର ଯୋଗେ ଝାରବନ୍ଧ ଅଭିମୁଖେ ବାହାରିବେ । ଝାରବନ୍ଧର ଶକ୍ତି ଛକ ହେଲିପ୍ୟାଡ଼ରେ ଅବତରଣ କରି କାର୍ଯ୍ୟକ୍ରମସ୍ଥଳୀକୁ ଯିବେ । ମୁଖ୍ୟମନ୍ତ୍ରୀ ଝାରବନ୍ଧ ବ୍ଲକରେ ନିର୍ମାଣ ହୋଇଥିବା କିଛି ପ୍ରକଳ୍ପର ଲୋକାର୍ପଣ କରିବେ ଏବଂ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ । କାର୍ଯ୍ୟକ୍ରମସ୍ଥଳୀରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେବେ । ଏହି ଅବସରରେ ଝାରବନ୍ଧ ବ୍ଲକରେ ନିର୍ମାଣ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପ ନେଇ ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶିତ ହେବ । କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟକ ବର୍ଷା ସିଂହ ବରିହା ତାଙ୍କର ଅଭିଭାଷଣ ରଖିବେ । ଏହି ଅବସରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଉପସ୍ଥିତ ରହିବେ । ଭଟଲ ବିଧାୟକ ସୁଶାନ୍ତ ସିଂହ ଧନ୍ୟବାଦ ଜ୍ଞାପନ କରିବେ । ଝାରବନ୍ଧ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ୧୨ଟା ୧୫ରେ ହେଲିକପ୍ଟରରେ ପାଇକମାଳ ଅଭିମୁଖେ ବାହାରିବେ । ପାଇକମାଳ ଏମ୍‌ଇ ସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରୁ ଅବତରଣ କରି ସେଠାରୁ କାର୍ଯ୍ୟକ୍ରମସ୍ଥଳୀକୁ ଯିବେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ । ଏହି
କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ସ୍ୱାଗତ ଭାଷଣ ଦେବେ । କାର୍ଯ୍ୟକ୍ରମରେ ହସ୍ତତନ୍ତ୍ର ମନ୍ତ୍ରୀ ରୀତା ସାହୁ, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ବର୍ଷା ସିଂହ ବରିହା ପ୍ରମୁଖ ଉପସ୍ଥିତ ରହିବା ସହ ଜନତାଙ୍କୁ ସମ୍ବୋଧିତ କରିବେ । ମନ୍ତ୍ରୀ ତଥା ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ ଧନ୍ୟବାଦ ଜ୍ଞାପନ ଜଣାଇବେ । ଏଠାରେ କାର୍ଯ୍ୟକ୍ରମ ଶେଷ ହେଲା ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଅଭିମୁଖେ ଦିନ ୧ଟା ୨୦ରେ ବାହାରିବେ । ପଦ୍ମପୁରସ୍ଥିତ ଆରଏଲ୍‌ କଲ୍ୟାଣ ମଣ୍ଡପ ପରିସରରେ ମୁଖ୍ୟମନ୍ତ୍ରୀ ୧ଟା ୪୦ରେ ପହଞ୍ଚିବେ । ଏଠାରେ ମଧ୍ୟାହ୍ନରେ ପ୍ରାୟ ୨ ଘଣ୍ଟାର ବିଶ୍ରାମ ନେଲା ପରେ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳକୁ ୩ଟା ୫୫ରେ ପହଞ୍ଚିବେ । କାର୍ଯ୍ୟକ୍ରମରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗ୍ରୁପ ତରଫରୁ ସମ୍ମାନିତ କରାଯିବ । କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାଗତ ଭାଷଣ ଦେବେ । ଏହାପରେ ପଦ୍ମପୁରରେ ନିର୍ମାଣ ହୋଇଥିବା ଉନ୍ନୟନ ପ୍ରକଳ୍ପ ନେଇ ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶିତ ହେବ । ସେହିପରି ବିକାଶମୂଳକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । କାର୍ଯ୍ୟକ୍ରମ ଶେଷରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରିବେ । ସାଢେ଼ ୪ଟାରେ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ସତୀଭଟା ଏୟାରଷ୍ଟ୍ରିପ ଅଭିମୁଖେ ବାହାରିବେ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ସମୟରେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଏହି ଦିନିକିଆ ଗସ୍ତ କରୁଛନ୍ତି । ପଦ୍ମପୁରବାସୀ ସ୍ୱର୍ଗତ ମନ୍ତ୍ରୀ ବିଜୟ ରଂଜନ ସିଂହ ବରିହାଙ୍କ ଝିଅ ବର୍ଷା ସିଂହ ବରିହାଙ୍କୁ ଭୋଟ ଦେଇ ବିପୁଳ ବ୍ୟବଧାନରେ ନିର୍ବାଚନରେ ବିଜୟୀ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଡିସେମ୍ବର ୨ ତାରିଖରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ପ୍ରଚାର କରିଥିଲେ । ପଦ୍ମପୁର ଉପନିର୍ବାଚନ ଡିସେମ୍ବର ୫ ତାରିଖରେ ହୋଇଥିଲା ।

Leave A Reply

Your email address will not be published.