ପେନ୍‌ସିଲ କଟର-ପାଣିଗୁଡ଼ ଓ ଟ୍ରାକିଂ ଡିଭାଇସ୍‌ ଉପରେ ଜିଏସ୍‌ଟି ହ୍ରାସ, ୬ ରାଜ୍ୟ ପାଇଁ ୧୬ହଜାର ୯୮୨ କୋଟି ଟଙ୍କା ମଞ୍ଜୁର ରାଜ୍ୟମାନଙ୍କୁ ପ୍ରଦାନ କରାଯିବ ବକେୟା ଜିଏସ୍‌ଟି କ୍ଷତିପୂରଣ

0 91

ନୂଆଦିଲ୍ଲୀ, ୧୮ା୨: ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି କାଉନସିଲର ୪୯ ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପେନସିଲ୍‌ କଟର ବା ପେନସିଲ କଳ ଓ ପାଣିଗୁଡ଼ ଉପରେ ଜିଏସଟି ହ୍ରାସ କରିବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପେନସିଲ୍‌ କଳ ଉପରେ ଜିଏସଟି ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଥିବା ବେଳେ ପାଣିଗୁଡ଼ ଉପରେ ୧୮ ପ୍ରତିଶତରୁ ଶୂନ କିମ୍ବା ୫ ପ୍ରତିଶତକୁ ଜିଏସ୍‌ଟି ହ୍ରାସ କରାଯାଇଛି । ଜିଏସ୍‌ଟି ହ୍ରାସ ପରେ ପେନସିଲ କଟର ଓ ପାଣିଗୁଡ଼ର ଦାମ କମିବ । ଆଜିର ବୈଠକରେ ଯୋଗ ଦେଇ ନିର୍ମଳା ସୀତାରମଣ କହିଛନ୍ତି ପାନ ମସଲା ଓ ଗୁଟଖା ବ୍ୟବସାୟ ଉପରେ ହେଉଥିବା ଟ୍ୟାକ୍ସ ଚୋରି ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଏକ ଅପିଲେଟ୍‌ ଟ୍ରିବ୍ୟୁନାଲ କମିଟି ଗଠନ କରି ଏହା ଉପରେ ନଜର ରଖିବାକୁ ଅର୍ଥମନ୍ତ୍ରୀ କହିଛନ୍ତି । ଅପିଲେଟ ଟ୍ରିବ୍ୟୁନାଲ ଗଠନ ନେଇ ମନ୍ତ୍ରିମଣ୍ଡଳର ରିପୋର୍ଟ(ଜିଓଏମ୍‌)ରେ ସହମତି ରହିଛି । ତେବେ ଏଥିରେ କିଛି ପରିବର୍ତ୍ତନର ଆବଶ୍ୟକତା ପଡ଼ୁଛି ବୋଲି ସୀତାରମଣ କହିଛନ୍ତି । ବୈଠକ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ପେନସିଲ କଟର ଉପରେ ଜିଏସ୍‌ଟି ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି ଟ୍ରାକିଂ ଡିଭାଇସ ଓ କଣ୍ଟେନର ଉପରେ ଲଗାଯାଉଥିବା ଡାଟା ଲଗର ଉପରେ ଜିଏସ୍‌ଟିକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ତେବେ ଏହା କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଲାଗୁ ହେବ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ରାବ ବା ପାଣିଗୁଡ ଉପରେ ଜିଏସ୍‌ଟିକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ତେବେ ଖୋଲାରେ ବିକ୍ରି ହେଉଥିବା ପାଣିଗୁଡ଼ ଉପରେ ଜିଏସ୍‌ଟି ଛାଡ଼ କରାଯାଇଥିବା ବେଳେ ପ୍ୟାକ୍‌ ଓ ଲେବଲ୍ଡ ହୋଇଥିବା ପାଣିଗୁଡ଼ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି । ସୀତାରମଣ କହିଛନ୍ତି ଯେ ରାଜ୍ୟ ମାନଙ୍କର କେନ୍ଦ୍ର ଉପରେ ଗତ ୫ ବର୍ଷ ଧରି ପଡ଼ିଥିବା ସମସ୍ତ ଜିଏସ୍‌ଟି କ୍ଷତିପୂରଣ ରାଶି ଆଜିଠାରୁ ଦିଆଯିବ । ଏଥିରେ ମୋଟ ୧୬,୯୮୨ କୋଟି ଟଙ୍କା ମଞ୍ଜୁର କରାଯିବ । ଏନେଇ ମନ୍ତ୍ରୀ କହିଛନ୍ତି ଯେ ଜୁନ ୨୦୨୨ ପାଇଁ ଜିଏସଟି କ୍ଷତିପୂରଣ ରାଶିର ୫୦ ପ୍ରତିଶତ ଅର୍ଥ ପୂର୍ବରୁ ଜାରି କରାଯାଇଥିଲା । ବାକି ୧୬,୯୮୨ କୋଟି ଟଙ୍କାର ୫୦ ପ୍ରତିଶତ ରାଶି ଜାରି କରାଯାଉଛି । ତେବେ ବର୍ତ୍ତମାନ ଏତେ ବଡ଼ ରାଶି ଜିଏସଟି କ୍ଷତିପୂରଣ କୋଷରେ ଉପଲବ୍ଧ ନାହିଁ । କିନ୍ତୁ ଏହି ସମସ୍ତ ରାଶିକୁ ଆମେ ଆମ ସମ୍ବଳରୁ ଏହା ଜାରି କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ପରେ କ୍ଷତିପୂରଣ ରାଶିକୁ ସଂଗ୍ରହ କରାଯିବ ।

Leave A Reply

Your email address will not be published.