ବିଶ୍ୱ ପାଣିପାଗ ସଂସ୍ଥାର ସତର୍କବାଣୀ ପରେ ଛନକା ସମୁଦ୍ରରେ ବୁଡ଼ିଯିବ ଉପକୂଳ ଓଡ଼ିଶା !, ଗୋପାଳପୁର-ପାରାଦୀପ-ଭଦ୍ରକ ଓ ବାଲେଶ୍ୱର ପାଇଁ ବିପଦ

0 73

ଭୁବନେଶ୍ୱର, ୧୮ା୨(ଡିକେ ନ୍ୟୁଜ): ଓଡ଼ିଶା ଉପକୂଳ ପାଇଁ ବଢ଼ୁଛି ବିପଦ । ବଙ୍ଗୋପସାଗର ଉପକୂଳରେ ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି । ଅଧିକାଂଶ ଉପକୂଳିଆ ଜିଲ୍ଲା ଆଗକୁ ଜଳମଗ୍ନ ହେବାକୁ ଯାଉଛି । ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁ ରାଜ୍ୟର ଅନେକ ଉପକୂଳିଆ ଜିଲ୍ଲା ପାଇଁ ଆସନ୍ନ ବିପଦ ଚିନ୍ତା ବଢ଼ାଇଛି । ମୁଖ୍ୟତଃ ଗୋପାଳପୁର-ପାରାଦୀପ ଓ ଭଦ୍ରକ ବାଲେଶ୍ୱର ଆଦି ଉପକୂଳ ପାଇଁ ବଙ୍ଗୋପାସଗର ବଡ଼ ଆହ୍ୱାନ ନେଇ ଆସୁଛି । ୧୯୯୩-୨୦୨୧ ମଧ୍ୟରେ ବିଶ୍ୱରେ ସମୁଦ୍ର ଜଳସ୍ତର ୦.୮ ମିଲିମିଟର ବୃଦ୍ଧି ହୋଇଛି । ମାତ୍ର ଭାରତ ଉପକୂଳରେ ଗୋପାଳପୁରରୁ-ପାରାଦୀପ ଓ ଭଦ୍ରକ ବାଲେଶ୍ୱର ଉପକୂଳରେ ଜଳସ୍ତର ଗୁରୁତର ଭାବେ ବୃଦ୍ଧି ହୋଇଛି । ଗୋପାଳପୁର-ପୁରୀ ଉପକୂଳରେ ଜଳସ୍ତର ପ୍ରାୟ ୫ ମିଲିମିଟର ବୃଦ୍ଧି ହୋଇଥିବା ବେଳେ ବାଲେଶ୍ୱର-ଭଦ୍ରକ ଉପକୂଳରେ ଏହା ପ୍ରାୟ ୨-୩ ମିଲିମିଟର ବୃଦ୍ଧି ହୋଇଛି । ଯାହାର ପରିଣାମ ସ୍ୱରୂପ ଗଞ୍ଜାମ ଜିଲ୍ଲାର ପଡ଼ମପେଟା ଓ ଜଗତସିଂହପୁର ଜିଲ୍ଲାର ଶିଆଳୀ ଆଦିରେ ସମୁଦ୍ର ଅବକ୍ଷୟ ବଢ଼ି ·ଲିଛି । ଆଗାମୀ ଦିନରେ ସମୁଦ୍ରର ଏଭଳି ଆଚରଣ ଆହୁରି ବଢ଼ିବା ସହିତ ଗଞ୍ଜାମ, ପୁରୀ, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଭଳି ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକ ପାଇଁ ବଡ଼ ବିପଦ ସାଜିବାର ଆଶଙ୍କା ସୃଷ୍ଟି ହୋଇଛି । ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍‌ଓ) ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱ ଜଳ ପତ୍ତନ ବୃଦ୍ଧି ଓ ପ୍ରଭାବ ରିପୋର୍ଟରେ ଏହା ପ୍ରକାଶ ପାଇବା ପରେ ରାଜ୍ୟର ଏହି ଜିଲ୍ଲାଗୁଡ଼ିକ ପାଇଁ ଚିନ୍ତା ବଢ଼ିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍ଟିକାରେ ବରଫ ଖଣ୍ଡ ତରଳିବାରେ ଲାଗିଛି । ଏହା ସମୁଦ୍ର ଜଳସ୍ତର ବୃଦ୍ଧି କରାଇବାରେ ବଡ଼ କାରଣ ସାଜିଛି । ଅନ୍ୟପଟେ ସମୁଦ୍ର ଅଞ୍ଚଳରେ ତାପମାତ୍ରା ଅଧିକ ରହିଲେ ସମୁଦ୍ର ଜଳ ଫୁଲିବା ଭଳି ରହୁଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷର ଅଧିକାଂଶ ସମୟରେ ସମୁଦ୍ର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସହ ଦକ୍ଷିଣ ଆଣ୍ଡାମାନ ସାଗରରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଆଣ୍ଡାମାନ ସାଗରରେ ସମୁଦ୍ର ଜଳସ୍ତର ବୃଦ୍ଧି ସାଙ୍ଗକୁ ତାପମାତ୍ରା ଅଧିକ ରହୁଥିବାରୁ ଓଡ଼ିଶା ଉପକୂଳ ପାଇଁ ବଡ଼ ବିପଦ ସାଜିବ ବୋଲି ଆକଳନ କରାଯାଇଛି । କାରଣ ଏହିସବୁ କାରକଗୁଡ଼ି ବାତ୍ୟାକୁ ସଂଗଠିତ କରାଇବା ଓ ଶକ୍ତିଶାଳୀ କରାଇବାରେ ସହାୟକ ହୋଇଥାନ୍ତି । ଯେହେତୁ ଆଣ୍ଡାମାନରେ ସୃଷ୍ଟି ହେଉଥିବା ଅଧିକାଂଶ ବାତ୍ୟା ଓଡ଼ିଶା ମୁହାଁ ହେଉଛି । ତେଣୁ ଆଗାମୀ ଦିନରେ ଓଡ଼ିଶା ଶକ୍ତିଶାଳୀ ବାତ୍ୟାଗୁଡ଼ିକର ସମ୍ମୁଖୀନ ହେବାର ଆଶଙ୍କା ବଢ଼ି ଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ସାଧାରଣତଃ ବାତ୍ୟା ସମୟରେ ସମୁଦ୍ର ପାଣି ମାଡ଼ି ଆସିବା ଯୋଗୁଁ ସର୍ବାଧିକ ଲୋକ ପ୍ରାଣ ହରାଇଥାନ୍ତି । ୧୯୯୯ ମହାବାତ୍ୟା ଓ ୧୯୭୧ରେ ବାଂଲାଦେଶରେ ମାଡ଼ ହୋଇଥିବା “ଭୋଲା’କୁ ଏହାର ଉଦାହରଣ ରୂପେ ନିଆଯାଇପାରେ । ଏହି ଦୁଇ ବାତ୍ୟାରେ ବହୁ ଲୋକ ସମୁଦ୍ର ଜଳ ମାଡ଼ି ଆସିବାରୁ ପ୍ରାଣ ହରାଇଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେଉଛି । ଯେହେତୁ ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି, ଏହି ଶକ୍ତିଶାଳୀ ବାତ୍ୟାଗୁଡ଼ିକ ଆଗକୁ ଅଧିକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି କରୁଛି ବୋଲି ଶ୍ରୀ ଦାସ କହିଛନ୍ତି । ସମୁଦ୍ର ଜଳପତ୍ତନ ବୃଦ୍ଧି ପାଉଥିବାରୁ ଆଗକୁ କୋଟି କୋଟି ଲୋକଙ୍କର ଧନଜୀବନ ନଷ୍ଟ ହେବ ବୋଲି ପୂର୍ବରୁ ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି । ଏଥିଯୋଗୁଁ ଅନେକ ଲୋକ ବାସହରା ଓ ବୃତ୍ତିହରା ହେବେ ବୋଲ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଖାଦ୍ୟ ଉତ୍ପାଦନ ହ୍ରାସ ହେବା ସହ ଅନେକ ଅଞ୍ଚଳରେ ଖାଦ୍ୟ ସଂକଟ ସୃଷ୍ଟି ହେବ । ସୁନାମି, ଉପକୂଳୀୟ ବନ୍ୟା, ଉପକୂଳୀୟ ମୃତ୍ତିକା କ୍ଷୟ ଏବଂ ଜୁଆର ମାଡ଼ିଆସିବା ଭଳି ଘଟଣା ବୃଦ୍ଧି ବହୁଗୁଣିତ ହେବାର ଆଶଙ୍କା ରହିଛି । ଏମିତି କି ଓଡ଼ିଶାର ପାରାଦୀପ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବା ନେଇ ମଧ୍ୟ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.