ତୁର୍କୀରୁ ଫେରିଲେ ‘ଅପରେସନ ଦୋସ୍ତ’ ହିରୋ

0 86

ଅଙ୍କାରା : ଭୂକମ୍ପ ପ୍ରପୀଡ଼ିତ ତୁର୍କୀରେ ୧୦ ଦିନ ଧରି ଉଦ୍ଧାର କାର୍ଯ୍ୟ ପରେ ଭାରତୀୟ ଉଦ୍ଧାରକାରୀ ଦଳ ସ୍ୱଦେଶ ଫେରିଆସିଛନ୍ତି । ସେମାନଙ୍କୁ ଉସିତ ସ୍ୱାଗତ କରାଯାଇଛି । ତୁର୍କୀ ସରକାର ଭାରତକୁ ପୁଣି ଭୂୟସୀ ପ୍ରଶଂସା କରିଛନ୍ତି । ଉଦ୍ଧାର ଅଭିଯାନରେ ଏନ୍‌ଡିଆରଏଫ୍‌ ଏବଂ ଡଗ୍‌ ସ୍କ୍ୱାଡ୍‌ ସଦସ୍ୟ ସାମିଲ ହୋଇଥିଲେ । ମେଡିକାଲ ଟିମ୍‌ ବି ତୁର୍କୀ ଗସ୍ତ କରିଥିଲେ । ଭାରତ ଏହାର “ଅପରେସନ୍‌ ଦୋସ୍ତ’ ଜରିଆରେ ତୁର୍କୀବାସୀଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରିଥିଲା । ତୁର୍କୀରେ ଅଭିଯାନ ବେଳେ ଏନ୍‌ଡିଆରଏଫ୍‌ ଟିମ୍‌ ଭଗ୍ନାବଶେଷ ମଧ୍ୟରୁ ଜଣେ ୬ ବର୍ଷୀୟା ଝିଅକୁ ଉଦ୍ଧାର କରି ଫୋକସ୍‌କୁ ଆସିଥିଲା । ଏନ୍‌ଡିଆରଏଫ୍‌ର ଡଗ୍‌ ସ୍କ୍‌ୱାଡ୍‌ “ରୋମିଓ’ ଏବଂ “ଜୁଲି’ର ସଦସ୍ୟମାନେ ଦୁଃସାହିକ ପଦକ୍ଷେପ ନେଇ ପିଲାଟିକୁ ଉଦ୍ଧାର କରିଥିଲେ । ତୁର୍କୀ ଓ ସିରିୟାରେ ଭୂକମ୍ପକୁ ଆଜି ୧୧ ଦିନ ବିତିଥିବା ବେଳେ ଜଣେ ୧୪ ବର୍ଷୀୟ କିଶୋର ଏବଂ ଦୁଇଜଣ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ପ୍ରାୟ ୨୬୦ ଘଣ୍ଟା ପରେ ୧୪ ବର୍ଷୀୟ ଓସ୍‌ମାନ୍‌ଙ୍କୁ ଉଦ୍ଧାର କରାଯାଇ ଅନ୍ତକ୍ୟାସ୍ଥିତ ହସ୍ପିଟାଲ ନିଆଯାଇଛି । ତୁର୍କୀର ହତାୟ ପ୍ରଦେଶରେ ଏହି ଘଟଣା ଘଟିଛି । ସିରିୟାରେ ସରକାର ଏବଂ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଉଦ୍ଧାର କାର୍ଯ୍ୟ ଅତିମାତ୍ରାରେ ପ୍ରଭାବିତ ହୋଇଛି । ଭଗ୍ନାବଶେଷ ତଳୁ ଉଦ୍ଧାର ହେଉଥିବା ଶବ ସଂଖ୍ୟା ବଢ଼ିଚାଲିଛି । ଏଭଳି ସ୍ଥିତିରେ ଭୂକମ୍ପ ପୀଡ଼ିତଙ୍କ ସହାୟତା ନିମନ୍ତେ ୧୦୦ କୋଟି ଡଲାର ଜୁଟାଇବା ପାଇଁ ଜାତିସଂଘ ପକ୍ଷରୁ ଅପିଲ୍‌ କରାଯାଇଛି । ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୪୪,୦୦୦ ଛୁଇଁଛି । ତୁର୍କୀରେ ୩୮,୦୫୦ ଓ ସିରିୟାରେ ପ୍ରାୟ ୫,୮୦୦ ଲୋକ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.