ଜାଗା ମିଶନ ପାଇଁ ଆସିବ ସାଟେଲାଇଟ୍‌ ଇମେଜ

0 95

ଭୁବନେଶ୍ୱର,୨୦ା୨(ଡିକେ ନ୍ୟୁଜ): ଜାଗା ମିଶନରେ ଡ୍ରୋନ୍‌ ସର୍ଭେ ପାଇଁ ହେଉଥିବା ସମସ୍ୟାର ସମାଧାନ କରିବ ଓଡ଼ିଶା ସ୍ପେସ ଆପ୍ଲିକେସନ ସେଣ୍ଟର (ଓରସାକ) । ବର୍ତ୍ତମାନ କିଛି ସହରାଞ୍ଚଳରେ ବିଭିନ୍ନ କଟକଣା ପାଇଁ ଡ୍ରୋନ୍‌ ଉଡ଼ାଇବା ସମ୍ଭବ ହେଉନାହିଁ । ଏହାଦ୍ୱାରା ଡ୍ରୋନ୍‌ ସର୍ଭେ କାମ ଅଟକି ରହୁଛି । ବିଶେଷ କରି ଭୁବନେଶ୍ୱରରେ ବିମାନ ବନ୍ଦର ଓ ୧୨୦ ବାଟାଲିୟନ ଆଦି ଅଞ୍ଚଳରେ ଏହି ସମସ୍ୟା ଅଧିକ ରହିଛି । ମାତ୍ର ରାଜ୍ୟ ସରକାର ଏହି ଡ୍ରୋନ୍‌ ସର୍ଭେ ତୁରନ୍ତ ଶେଷ କରିବାକୁ ଯୋଜନା କରିଥିବାରୁ ଓରସାକଠାରୁ ସାଟେଲାଇଟ୍‌ ଇମେଜ ଆଣିବେ ବୋଲି ସୂଚନା ମିଳିଛି । ଡ୍ରୋନ୍‌ ସର୍ଭେରେ ବସ୍ତିରେ ଥିବା ଘର ଗୁଡ଼ିକର ଛବି ମିଳୁଥିବା ବେଳେ ସାଟେଲାଇଟ୍‌ ଇମେଜ ଜରିଆରେ ସମାନ ପନ୍ଥା ଗ୍ରହଣ କରିବ ବୋଲି ସୂଚନା ମିଳିଛି । ଜାଗା ମିଶନ ଜରିଆରେ ୫ ମହାନଗର ନିଗମ ଅଞ୍ଚଳରେ ଭୂମିହୀନ ଗରିବଙ୍କୁ ଜମି ଅଧିକାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇ ରାଜ୍ୟ ସରକାର ଏହି ସର୍ଭେ କରୁଛନ୍ତି । ପ୍ରଥମ ପଦକ୍ଷେପ ସ୍ୱରୂପ ଡ୍ରୋନ୍‌ ସର୍ଭେ କରାଯାଉଥିବା ବେଳେ ଗତ ନଭେମ୍ବର ୧୦ ତାରିଖରୁ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବସ୍ତିରେ ଡ୍ରୋନ୍‌ ସର୍ଭେ କାମ ଆରମ୍ଭ ହୋଇଛି । ଏବେ ସୁଦ୍ଧା ପ୍ରାୟ ୮୦ ହଜାର ଭୂମିହୀନ ଚିହ୍ନଟ ହୋଇସାରିଥିବା ଜଣାପଡ଼ିଛି । ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ୧ ଲକ୍ଷ ହିତାଧିକାରୀ ଚିହ୍ନଟ ହୋଇ ସର୍ଭେ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ଜାଗା ମିଶନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଏ ପର୍ଯ୍ୟନ୍ତ ବିଏମ୍ସି ଅଞ୍ଚଳରେ ୩୦ ହଜାର, ବ୍ରହ୍ମପୁର ମହାନଗର ଅଞ୍ଚଳରେ ୨୦ ହଜାର, ସମ୍ବଲପୁରରେ ୧୦ ହଜାର, ରାଉରକେଲାରେ ୮ ହଜାର ଓ କଟକ ମହାନଗର ଅଞ୍ଚଳରେ ୧୨ ହଜାର ଭୂମିହୀନ ଚିହ୍ନଟ ହୋଇଛନ୍ତି ବୋଲି ଜାଗା ମିଶନ ଦାୟିତ୍ୱରେ ଥିବା ଅତିରିକ୍ତ ସଚିବ ସୌରୀନ୍ଦ୍ର କୁମାର ରାଉତରାୟ କହିଛନ୍ତି । ୨୦୨୩ ଶେଷ ସୁଦ୍ଧା ୧ ଲକ୍ଷ ହିତାଧିକାରୀଙ୍କୁ ଜମି ଅଧିକାର ଦେବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଲକ୍ଷ୍ୟ ରଖିଛି । ୨୦୧୯ଟି ବସ୍ତିରୁ ଏବେ ସୁଦ୍ଧା ୭୦୦ରୁ ଅଧିକ ବସ୍ତି ଆଦର୍ଶ କଲୋନୀରେ ପରିଣତ ହୋଇ ସାରିଥିବା ବେଳେ ପୌରାଞ୍ଚଳରେ ଗରିବ ଓ ଭୂମିହୀନଙ୍କୁ ଜମି ଅଧିକାରେ ଦେବାରେ ଓଡ଼ିଶା ସରକାରଙ୍କ ଏହି ଯୋଜନା ଜାତୀୟ ସ୍ତରରେ ରେକର୍ଡ କରିଛି ।

Leave A Reply

Your email address will not be published.