ଆଇପିଏଲ ପୂର୍ବରୁ ଚେନ୍ନାଇକୁ ଶକ୍ତ ଝଟକା, ବାଦ୍‌ ପଡ଼ିଲେ ଜେମିସନ୍‌

0 87

ନୂଆଦିଲ୍ଲୀ, ୨୦ା୨: ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର ୨୦୨୩ ସଂସ୍କରଣ ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ଶକ୍ତ ଝଟକା । ଦଳ କିଣିଥିବା ଷ୍ଟାର ଅଲରାଉଣ୍ଡର କାଇଲ ଜେମିସନ ଆହତ ସମସ୍ୟା ଯୋଗୁ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି । ଜେମିସନ ବ୍ୟାକ ଇଞ୍ଜୁରୀ ସମସ୍ୟାରେ ପଡ଼ିଛନ୍ତି । ଏଥିପାଇଁ ତାଙ୍କ ସର୍ଜରୀ କରିବାକୁ ପଡ଼ିବ । ତେଣୁ ସେ ଅତିକମରେ ୪ ମାସ କ୍ରିକେଟ ଠାରୁ ଦୂରେଇ ରହିବେ । ଜେମିସନ ୭ ମାସ ହେଲା ବ୍ୟାକ ଇଞ୍ଜୁରୀ ସମସ୍ୟାରୁ ଦୂରେଇ ରହିଥିଲେ । ଏଥିସହ ଇଂଲଣ୍ଡ ବିପକ୍ଷରେ ·ଲିଥିବା ୨ଟିକିଆ ଟେଷ୍ଟ ସିରିଜରେ କମବ୍ୟାକ୍‌ ଲକ୍ଷ୍ୟରେ ରହିଥିଲେ । ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ସ୍କ୍ୱାଡରେ ମଧ୍ୟ ସାମିଲ କରାଯାଇଥିଲା । ହେଲେ ପିଙ୍କ ବଲ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ତାଙ୍କୁ ସାମିଲ କରାଯାଇ ନଥିଲା । ନ୍ୟୁଜିଲ୍ୟାଣ୍ଡ ଏହି ଟେଷ୍ଟ ମ୍ୟାଚ୍‌ଟି ହାରି ଯାଇଥିବାରୁ ଜେମିସନ ଦ୍ୱିତୀୟ ମ୍ୟାଚରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ହେଲେ ଏବେ ସେ ଆହତ ସମସ୍ୟା ଯୋଗୁ କ୍ରିକେଟରୁ ହିଁ ବାଦ ପଡ଼ିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଟିମର ମୁଖ୍ୟ କୋଚ୍‌ ଗ୍ୟାରୀ ଷ୍ଟେଡ କହିଛନ୍ତି, ଜେମିସନ ବ୍ୟାକ ଇଞ୍ଜୁରୀରେ ପଡ଼ିଛନ୍ତି । ଏଥିପାଇଁ ତାଙ୍କର ସର୍ଜରୀ ଆବଶ୍ୟକ । କ୍ରିକେଟରୁ ଦୂରେଇ ରହି ସେ ନିଶ୍ଚିତ ଭାବେ କମବ୍ୟାକ୍‌ ପାଇଁ ଯୋଜନା କରିବେ । ଆମର ଆଶା ସେ ଖୁବ୍‌ଶୀଘ୍ର ଫିଟ୍‌ ହୋଇଯିବ । ଜେମିସନ ନ୍ୟୁଜିଲ୍ୟାଣ୍ଡ ପାଇଁ ଶେଷଥର ୨୦୨୨ ଜୁଲାଇରେ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ । ସେବେଠାରୁ ସେ କେତେବେଳେ ଆହତ ହେଉଛନ୍ତି ତ ଆଉ କେତେବେଳେ ଖରାପ ଫର୍ମ ପାଇଁ ଦଳରୁ ବାଦ ପଡ଼ିଥିଲେ । ଜାନୁଆରୀ ମାସରୁ ସେ ଅନ୍ତର୍ଜାତୀୟ କମବ୍ୟାକ ପାଇଁ ଘରୋଇ ଲିଷ୍ଟ ଏ ଓ ଟି-୨୦ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ । ହେଲେ ପୁଣି ଆହତ ସମସ୍ୟାରେ ପଡ଼ିଥିଲେ । ସେ ଆହତ ହୋଇଥିବାରୁ ଫେବୃଆରୀ ୨୪ରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ । ଜେମିସନ ୨୦୨୧ରେ ଆରସିବି ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ । ସେ ୯ଟି ମ୍ୟାଚରେ ୯ଟି ୱିକେଟ ମଧ୍ୟ ନେଇଥିଲେ । ୨୦୨୩ ଆଇପିଏଲ ଅକ୍ସନ ବେଳେ ୨୮ ବର୍ଷୀୟ ଜେମିସନଙ୍କୁ ଚେନ୍ନାଇ ୧ କୋଟି ଟଙ୍କାରେ କିଣିଥିଲା । ହେଲେ ଏବେ ସେ ପୂରା ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି ।

Leave A Reply

Your email address will not be published.