ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଦାବି, ଅବହେଳିତ ଅନନ୍ତେଶ୍ୱର ମହାଦେବ

0 108

ନିଶ୍ଚିନ୍ତକୋଇଲି ,୨୦ା୨(ଡିକେ ନ୍ୟୁଜ): ଅଷ୍ଟମ ଶତାବ୍ଦୀରେ ଯେତେବେଳେ ସମଗ୍ର ଓଡିଶା ନିଜର ଅସ୍ମିତା, ଗର୍ବୀତ ପ୍ରାଦେଶିକତା, ସାଂସ୍କୃତିକ ଆରୋହଣ ତଥା ସୃଜନ ଶୀଳ ପ୍ରତିଭାର ବିକାଶ ପାଇଁ ସଙ୍ଘର୍ଷ କରୁଥିଲା ଠିକ୍‌ ସେତିକିବେଳେ ମହାନଦୀ ଚିତ୍ରୋତ୍ପଳା ତ୍ରିକୋଣ ଭୂମି ଅଞ୍ଚଳ ନିଜର ଏକ ସ୍ପର୍ଦ୍ଧିତ ପରିଚୟ ସୃଷ୍ଟି ପାରିଥିଲା । ସେହି ସମୟରେ ପ୍ରତିଷ୍ଠା ହୋଇଥିଲା ଅନନ୍ତେଶ୍ୱର ଶିବ ମନ୍ଦିର । ଯାହାକି ଭୁବନେଶ୍ୱରସ୍ଥିତ ପରଷୁରାମେଶ୍ୱର ମନ୍ଦିରର ସମସାମୟିକ । ଏହାର ସ୍ଥାପତ୍ୟ ଭାଷ୍କର୍ଯ୍ୟ ,ତାଳମାଣ,କାରୁକାର୍ଯ୍ୟ,ଶିଳ୍ପ ଶାସ୍ତ୍ର ଆଦି ଦୃଷ୍ଟିରୁ ଭିନ୍ନ ସ୍ୱାଦର ତଥା ନୁଖୁଣ ସୃଜନଶିଳତାର ପରିଚୟ ଦିଏ । ତେବେ ଏହି ପ୍ରାଚୀନ କର୍ତ୍ତୀରାଜିର ସମ୍ଭାର ପାଲଟିଥିବା ଅନନ୍ତେଶ୍ୱର ମହାଦେବ ପୀଠ ଆଜି ଚିର ଅବହେଳିତ । ଯେ ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରୀ ଗ୍ରାମପଞ୍ଚାୟତ ଲେଣ୍ଡୁରା ଭଗବାନପୁରସ୍ଥିତ ପ୍ରସିଦ୍ଧ ଅନନ୍ତେଶ୍ୱର ମହାଦେବ ମନ୍ଦିର ପ୍ରଶାସନର ଆଢୁଆଳରେ ରହିଯାଇଛି । ଏହି ଐତିହାସିକ ମନ୍ଦିର ପୀଠ ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିରହିଛି । ଏହାର ପ୍ରତିକାର ନିମନ୍ତେ ପ୍ରଶାସନିକ ସ୍ତରରେ କୌଣସି ସମୁଚିତ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ହେତୁ ଶ୍ରଦ୍ଧାଳୁ ଭକ୍ତ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀ ଶ୍ରୀ ଅନନ୍ତେଶ୍ୱର ମହାଦେବ ମନ୍ଦିର ବହୁ ପୁରାତନ ଅଟେ । ଗତ ଅଷ୍ଟମ ଶତାବ୍ଦୀରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଏହି ମନ୍ଦିରର ମୂର୍ତି ଗୁଡିକ ମୂଲ୍ୟବାନ ମୁଗୁନି ପଥରରେ ନିର୍ମାଣ କରାଯାଇଥିଲା । ପ୍ରତିଦିନ ଏହି ମନ୍ଦିରକୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ପରିଦର୍ଶନ ଓ ପୁଜାର୍ଚ୍ଚନା କରିବା ନିମନ୍ତେ ଆସିଥାନ୍ତି । ଦୀର୍ଘ ବର୍ଷ ଧରି ଏହି ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏପରିକି ମନ୍ଦିର ପରିସରକୁ ଯିବା ନିମନ୍ତେ ଭଲ ରାସ୍ତାଟିଏ ନାହିଁ । ମନ୍ଦିର ପରିସରରେ
ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ସ୍ନାନାଗାରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ସ୍ନାନାଗାର କୌଣସି କାର୍ଯ୍ୟରେ ଆସୁନଥିବାର ଅଭିଯୋଗ ହୋଇଛି । ସେହିପରି ଭାବେ ମନ୍ଦିରର ରୋଷ ଶାଳା ଟି ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏହି ଗୃହର ଆଜବେଷ୍ଟ ଗୁଡିକ ଭାଙ୍ଗିରୁଜି ଯାଇଛି । ଟିକିଏ ବର୍ଷା ହେଲେ ଏହି ଗୃହରେ ପାଣି ଲହଡି ମାରୁଛି । ଫଳରେ ରୋଷେଇ ନିମନ୍ତେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ସେହିପରି ଭାବେ ଏହି ମନ୍ଦିର ଚତୁଃପାଶ୍ୱର୍ରେ ବେଢା ବା ପାଚେରୀ ନଥିବା କାରଣରୁ ବହୁ ସମୟରେ ବୁଲା ଗାଈଗୋରୁ, ଛେଳିମେଣ୍ଢା ଓ ବୁଲା ଷଣ୍ଢ, କୁକୁର ମାନେ ମନ୍ଦିର ପରିସରକୁ ଅବାଧରେ ପ୍ରବେଶ କରୁଛନ୍ତି । ମନ୍ଦିର ପରିସରରେ ଥିବା ବହୁ ପୁରାତନ ବୃକ୍ଷର ସୁରକ୍ଷା ନିମନ୍ତେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ଓ ଯାତ୍ରୀ ମାନଙ୍କ ରହଣି ନିମନ୍ତେ କୌଣସି ଯାତ୍ରୀ ନିବାସ କିମ୍ବା ପାନ୍ଥଶାଳା ନାହିଁ । ଫଳରେ ଏହି ମନ୍ଦିର ପରିଦର୍ଶନରେ ଆସୁଥିବା ଭକ୍ତ ଓ ଦୂର ଦୂରାନ୍ତର ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହୋଇଥାନ୍ତି । ସେହିପରି ଭାବେ ଏହି ସ୍ଥାନରେ କୌଣସି ସୁଲଭ ଶୌଚାଳୟ ନଥିଲା ବେଳେ ପାନୀୟ ଜଳର ମଧ୍ୟ କୌଣସି ସୁବନ୍ଦୋବସ୍ତ ନାହିଁ । ସେହିପରି ଭାବେ ପ୍ରତିବର୍ଷ ପଣା ସଂକ୍ରାନ୍ତି ଦିନ ଏହି ସ୍ଥାନରେ ୭ ଦିନ ବ୍ୟାପି ପ୍ରସିଦ୍ଧ ମହାଯଜ୍ଞ ଓ ପାଟୁଆ ଯାତ୍ରା ହୋଇଥାଏ । ପାଟୁଆ ଯାତ୍ରା ନିମନ୍ତେ କୌଣସି ପୁଷ୍କରିଣୀ ମଧ୍ୟ ନାହିଁ । ଏହି ମନ୍ଦିରର ପୁନରୁଦ୍ଧାର ଓ ପୁନ ନିର୍ମାଣ କାର୍ଯ୍ୟରେ ଶ୍ରୀ ଶ୍ରୀ ଅନନ୍ତେଶ୍ୱର ସାଂସ୍କୃତିକ ପରିଷଦ ଅଣ୍ଟା ଭିଡିଛି । କେନ୍ଦ୍ର ପତ୍ନତତ୍ୱ ବିଭାଗ ଏହି ମନ୍ଦିରର ସୁରକ୍ଷା ଓ ରକ୍ଷଣା ବେକ୍ଷଣ ଦାୟୀତ୍ୱ ନେଇଛି । ଏଥିନିମନ୍ତେ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଥିବାର କରିଥିବାର ସାଧାରଣରେ କୁହାଯାଉଛି । ତେବେ ଏହି ମଞ୍ଜୁର ଅର୍ଥ ଏପର୍ଯ୍ୟନ୍ତ ବିନିଯୋଗ ହୋଇପାରିନଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସରକାରଙ୍କ ତରଫରୁ ଜଣେ କର୍ମଚାରୀଙ୍କୁ ଏଠାରେ ନାମକୁ ମାତ୍ର ନିଯୁକ୍ତି ପ୍ରଦାନ କରାଯାଇଛି । ସମ୍ପୃକ୍ତ କର୍ମଚାରୀ ଜଣକ କେବଳ ବସି ବସି ଦରମା ନେଉଥିଲେ ମଧ୍ୟ ମନ୍ଦିରର ରକ୍ଷଣା ବେକ୍ଷଣା ଦିଗରେ କୌଣସି ପଦକ୍ଷେପ ନେଇପାରୁ ନଥିବାର ଅଭିଯୋଗ ହୋଇଛି । ମନ୍ଦିରର ଥିବା ୧୨ ଏକର ସ୍ଥାବର ଅସ୍ଥାବର ସମ୍ପତିରୁ ହେଉଥିବା ଆୟରେ ମନ୍ଦିର ପରିଚାଳନା କରିବା ପ୍ରଶାସନ ତରଫରୁ ତୁରନ୍ତ ଏହି ମନ୍ଦିରର ଉନ୍ନତି କରଣ କରାଯିବା ଦିଗରେ ଦୃଢ ପଦକ୍ଷେପ ଗ୍ରହଣ ପାଇଁ ସ୍ଥାନୀୟ ଅଞ୍ଚଳ ବାସୀ ଦୃଢ ଦାବି କରିଛନ୍ତି । ଏସମ୍ପର୍କରେ ମ୍ୟାନେଜିଂ ଟ୍ରଷ୍ଟି ବୈରାଗି ଚରଣ ପଣ୍ଡା କୁହନ୍ତି ସରକାର ବିଭିନ୍ନ ମଠ ମନ୍ଦିର ଓ ଐତିହାସିକ କିର୍ତୀ ରାଜିର ସଂରକ୍ଷଣ ଓ ଉନ୍ନତି କରଣ କରୁଛନ୍ତି । ଏହି ପ୍ରାଚୀନ ମନ୍ଦିରର ସଂରକ୍ଷଣ ଓ ଉନ୍ନତି ହେବା ଆବଶ୍ୟକ ରହିଛି । ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦିଅନ୍ତୁ । ମୁଖ୍ୟ ପୂଜକ ବିଜୟ କୁମାର ପଣ୍ଡା କୁହନ୍ତି ଅନନ୍ତେଶ୍ୱର ମନ୍ଦିର ପ୍ରାଚୀନ ପରମ୍ପରା ଓ ମହାପ୍ରଭୁଙ୍କ ମହିମା ସ୍ୱତନ୍ତ୍ର । ଭକ୍ତି ଓ ବିଶ୍ୱାସର ପ୍ରତିକ ପ୍ରଭୁ ଅନନ୍ତେଶ୍ୱର । ବହୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମନ୍ଦିର କୀର୍ତ୍ତିରାଜି ଓ ମହିମା ପାଇଁ ଆକର୍ଷିତ ହୋଇଥାନ୍ତି । କିନ୍ତୁ ପର୍ଯ୍ୟଟକଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ଓ ପ୍ରାଚୀନ କୀର୍ତିରାଜିକୁ ସଠିକ୍‌ ସୁରକ୍ଷା ନକରାଯାଉଥିବାରୁ ପୀଠ ଅବହେଳିତ ଅବସ୍ଥାରେ ପଡି ରହିଛି ।

Leave A Reply

Your email address will not be published.