ଆଦିବାସୀ ମେଳାରେ ଜମୁଛି ଭିଡ

0 82

ଭୁବନେଶ୍ୱର,୨୧ା୨(ଡିକେ ନ୍ୟୁଜ): ଆଦିବାସୀ ମେଳାରେ କଳାବସ୍ତୁ ପ୍ରଭାଗରେ ସମୁଦାୟ ୧୩ଟି ଷ୍ଟଲ ରହିଛି । ଧରଣୀପେନୁ ଢୋକରା କାରିଗରୀ ସମିତି, ବାଲିଗୁଡ଼ା, କନ୍ଧମାଳ ପକ୍ଷରୁ ଢୋକରା ସାମଗ୍ରୀ ଯଥା: କଇଁଛ, ମାଣ, ଘଣ୍ଟି, ଫରୁଆ, ପିତଳ କବାଟ ହ୍ୟାଣ୍ଡେଲ, ମୂର୍ତି ଇତ୍ୟାଦି ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରଖାଯାଇଛି । ୧୫୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ଟଙ୍କା ମୂଲ୍ୟର ସାମଗ୍ରୀ ଏହି ଢୋକରା ଷ୍ଟଲରେ ମିଳୁଛି । ଏହାକୁ କିଣିବା ପାଇଁ ମେଳାରେ ଲୋକଙ୍କ ଭିଡ ଜମୁଛି । ଢୋକରା ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ପ୍ରଥମେ ସାମଗ୍ରୀର ଏକ ମାଟିର ଛାଞ୍ଚ କରାଯାଏ । ଛାଞ୍ଚ ଶୁଖିବା ପରେ ପଲିସ କରାଯାଇ ତା’ଉପରେ ପତଳା ଧଳାମାଟି ପଲିସ୍‌ କରାଯାଇଥାଏ । ତା’ଉପରେ ଶିମ୍ବପତ୍ର ଘସାଯାଏ । ପୁଣି ତା’ଉପରେ ମାଟି ପଲିସ କରାଯାଇଥାଏ । ମହୁମାଛିର ଅଠାକୁ ମହମ ଭଳି କରି ଏହାକୁ ତାର ତିଆରି କରାଯାଇ ତା’ଉପରେ ଗୁଡ଼ାଯାଏ । ତାର ବାହାର କରି ଡିଜାଇନ୍‌ ପ୍ରସ୍ତୁତ କରାଯାଏ । ଉପରେ ସରୁ ମାଟି ଦିଆଯାଏ । ମୋଟା ମାଟି ଦିଆଯାଇ ଶୁଖାଯାଏ । ଚ୍ୟାନେଲ କରାଯାଇ ତା’ଉପରେ ଭଙ୍ଗା ପିତ୍ତଳ ଦିଆଯାଇ ମାଟିରେ ବନ୍ଦ କରାଯାଏ । ତାକୁ କୋଇଲାଚୁଲିରେ ପୋଡାଯାଏ । ପରେ ତାକୁ ବାହାର କରାଯାଇ ଥଣ୍ଡା କରାଯାଏ । ପୋଡାମାଟିକୁ ଭାଙ୍ଗି ତା’ଭିତରୁ ଢୋକରା ସାମଗ୍ରୀକୁ ବାହାର କରାଯାଇ ବ୍ରସ ଦ୍ୱାରା ସଫା କରାଯାଏ । ଏହି ପ୍ରକ୍ରିୟାକୁ ଲଷ୍ଟୱାକ୍ସ ପ୍ରୋସେସ୍‌ କୁହାଯାଏ ବୋଲି ସମିତିର ସଦସ୍ୟା ପ୍ରକାଶ କରିଛନ୍ତି । ଜନଜାତି ଅଳଙ୍କାର ଷ୍ଟଲରେ ଦର୍ଶକମାନେ ଭିଡ଼ ଜମାଇଛନ୍ତି । ସେହିଭଳି ଅନ୍ୟ ଏକ ଷ୍ଟଲରେ ସବାଇ ଘାସର ସପ, ଫୁଲଝୁଡ଼ି, ଟେବୁଲ ମ୍ୟାଟ୍‌, ବ୍ୟାଗ୍‌, ଡାଇନିଙ୍ଗ୍‌ ମ୍ୟାଟ୍‌, ଆଦି ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି । ଏହାକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତିବିଶେଷ ସେମାନଙ୍କ ଜମିରେ ସବାଇଘାସ ଚାଷ କରିଥାନ୍ତି । ଘାସ ପାକଳ ହେଲାପରେ ବିଲରୁ କାଢ଼ି ଖରାରେ ଶୁଖାଇ ପଲିସ୍‌ କରି ସବାଇଘାସ ଜିନିଷ ପ୍ରସ୍ତୁତ କରିଥାନ୍ତି । ବିଭିନ୍ନ ରଙ୍ଗୀନ ସୂତା ଦ୍ୱାରା ଏହାକୁ ଆକର୍ଷଣୀୟ କରାଯାଇଥାଏ । ଆଇଟିଡିଏ କରଞ୍ଜିଆର ଷ୍ଟଲରେ ପଥର ନିର୍ମିତ ଆକର୍ଷଣୀୟ କଳା ମୁଗୁନି ପଥରକୁ କାଟି ପଲିସ୍‌ କରି ବିଭିନ୍ନ ପ୍ରକାରର ସାମଗ୍ରୀ ଯଥା ଗଣେଶ, କୁଟୁଣୀ, ଦୀପ, ବାଟି, ଶିଳ ଆଦି ଘରୋଇ ବ୍ୟବହୃତ ସାମଗ୍ରୀ ବିକ୍ରୟ ଓ ପ୍ରଦର୍ଶନ ନିମନ୍ତେ ରଖାଯାଇଛି । ଏହି କଳାବସ୍ତୁ ସେକଫରରେ ଗୋଣ୍ଡ ଓ ସଉରା ଚିତ୍ରକଳା ସହିତ ଜୁଆଙ୍ଗ ଓ କନ୍ଧ ଚିତ୍ରକଳା ଦର୍ଶକମାନଙ୍କ ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରହିଛି । ଏକ ଷ୍ଟଲରେ ସମ୍ବଲପୁରୀ ପୋଷାକ ଇତ୍ୟାଦି, ଟେରାକୋଟା ସାମଗ୍ରୀ ସହିତ ଲାଖ ତିଆରି ଚୁଡ଼ି, କଣ୍ଢେଇ, ହାର ଆଦି ମିଳୁଛି । ସେହିଭଳି କାଠଶିଳ୍ପର ଗଣେଶ, ବଳଦଗାଡ଼ି, ହାତୀ ଆଦି ଶାଗୁଆନ୍‌ କାଠକୁ ପଲିସ୍‌ କରି ଅତ୍ୟନ୍ତ ନିଖୁଣ ଭାବେ ତିଆରି କରାଯାଇଛି । ଶିଆଳି ଲତାରୁ ବିଭିନ୍ନ ପ୍ରକାର ବ୍ୟାଗ, ଘରୋଇ ଶିକା, ସୂତା ଆଦି ମଧ୍ୟ ବିକ୍ରୟ ହେଉଛି । ଆଜି ସନ୍ଧ୍ୟାରେ ଓଡ଼ିଶାର ସାନ୍ତାଳ ଜନଜାତିଙ୍କର ଡଙ୍ଗନୃତ୍ୟ, ସଉରା ଜନଜାତିଙ୍କ ‘ମିରିଆ’, ସାନ୍ତାଳ ଜନଜାତିଙ୍କ ଦଂଠା, ଦିଦାୟୀ ଜନଜାତିଙ୍କ ଚଇତି ନୃତ୍ୟ, ସାନ୍ତାଳ ଜନଜାତିଙ୍କ ଛଉ ନୃତ୍ୟ, ଲୋଧା ଜନଜାତିଙ୍କର ଝୁମର ନୃତ୍ୟ ଓ ଶେଷରେ ପରଜା ଜନଜାତିଙ୍କର ରିନ୍‌ ଯୋଡ଼ି ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆଦିବାସୀ ମେଳା୨୦୨୩ ଆରମ୍ଭ ହୋଇଛି । ଆଦିାବସୀ ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକାଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି । ଆଦିବାସୀ ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.