ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

0 76

ଭୁବନେଶ୍ୱର,୨୧ା୨(ଡିକେ ନ୍ୟୁଜ): ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳୀ ଗୁଡ଼ିକୁ ପରିଦର୍ଶନ କରିଛନ୍ତି । ଏହି କ୍ରମରେ ସେ ପ୍ରଥମେ ମଦନପୁରରାମପୁର ପାଇକପଡ଼ାଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏକ କଲ୍ୟାଣ ମଣ୍ଡପକୁ ଉଦ୍‌ଘାଟନ କରିଛନ୍ତି । ଦୀର୍ଘଦିନ ଧରି ଅର୍ଦ୍ଧନିର୍ମିତ ଭାବେ ପଡ଼ି ରହିଥିବା ଏହି କଲ୍ୟାଣ ମଣ୍ଡପକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୪୦ ଲକ୍ଷ ଓ ଅନ୍ୟାନ୍ୟ ପାଣ୍ଠିରୁ ୧୧ ଲକ୍ଷ ଅନୁଦାନ ଯୋଗାଇ ଦିଆଯାଇ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରାଯାଇଛି । ପରେ ଶ୍ରୀ ତ୍ରିପାଠୀ କର୍ଲାମୁଣ୍ଡା ବ୍ଲକ୍‌ ସ୍ଥିତ ରିଷିଡ଼ା ବାପୁଜୀ ହାଇସ୍କୁଲର ମିନି ଷ୍ଟାଡିୟମ୍‌ ପରିଦର୍ଶନ କରିଛନ୍ତି । ତାଙ୍କ ପରିଦର୍ଶନ ସମୟରେ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଏହି ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ ପରିଷଦ ତରଫରୁ ପଦକ୍ଷେପ ନେବାକୁ ଅନୁରୋଧ ଜଣାଇଥିଲେ । ମିନିଷ୍ଟାଡିୟମ୍‌ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀର ପୁନରୁଦ୍ଧାର ଏବଂ ଖେଳପଡ଼ିଆର ଉନ୍ନତି ନିମନ୍ତେ ଆବଶ୍ୟକ ଡିପିଆର ପ୍ରସ୍ତୁତ କରି ପରିଷଦ କାର୍ଯ୍ୟାଳୟକୁ ପ୍ରେରଣ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ଏହି ଗସ୍ତକାଳରେ ଶ୍ରୀ ତ୍ରିପାଠୀ କେସିଙ୍ଗା ଅନ୍ତର୍ଗତ ବେଲଖଣ୍ଡିର ପ୍ରାଚୀନ ଶୈବପୀଠ ପରିଦର୍ଶନ କରିଥିଲେ । ରତେଇ ଏବଂ ତେଲନଦୀର ସଂଗମ ସ୍ଥଳରେ ଅବସ୍ଥିତ ଏହି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଏ । ଏହି ଶୈବପୀଠକୁ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଯାଇପାରିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ଶ୍ରୀ ତ୍ରିପାଠୀ ଏହି ଗସ୍ତ ସମୟରେ ମଦନପୁର ରାମପୁର ବ୍ଲକର ଯୁବ ଉଦ୍ୟୋଗୀ ବିଭୁପ୍ରସାଦ ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ହରପ୍ରିୟା ରିଫ୍ରାକେଫାରିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ପରିଦର୍ଶନ କରିଥିଲେ । ଶ୍ରୀ ତ୍ରିପାଠୀ ତାଙ୍କର ଏହି ଗସ୍ତବେଳେ ମଦନପୁର ରାମପୁରର ହରିସାଗର ଓ ନର୍ଲା ବ୍ଲକ୍‌ ରେ ରାଣୀବନ୍ଧ ପରିଦର୍ଶନ କରିଥିଲେ । ପରେ ସେ ପରିଷଦ ଅନୁଦାନରେ ନର୍ଲା ହାଇସ୍କୁଲ ପଡ଼ିଆରେ ନିର୍ମାଣାଧିନ ମିନିଷ୍ଟାଡିୟମ୍‌ କୁ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଶ୍ରୀ ତ୍ରିପାଠୀ ଲାଞ୍ଜିଗଡ଼ ବ୍ଲକ୍‌ ଗସ୍ତ କରି ବିଶ୍ୱନାଥପୁରଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କନ୍‌ଭେନ୍‌ସନ୍‌ କୁ ଉଦ୍‌ଘାଟନ କରିଥିଲେ । ସେ ସେଠାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ତିଆରି କରିଥିବା ବାଉଁଶ ଶିଳ୍ପ, ସଉରାକଳା, ଜନଜାତି ଖାଦ୍ୟ, ହଳଦୀ ଓ ଲଙ୍କାଗୁଣ୍ଡ, ଛତୁଚାଷ ଇତ୍ୟାଦି ନିରୀକ୍ଷଣ କରିଥିଲେ । ଶ୍ରୀ ତ୍ରିପାଠୀ ଏହି ଅବସରରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ୩୫ ଜଣ ଲୋକଙ୍କୁ ନେଇ ଯିବାକୁ ଥିବା ଏକ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏସବୁ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଚ୍ଛି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସଚିନ ପାୱାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟଅବିନାଶ ଠାକୁର, ବେଦାନ୍ତ ସିଇଓ ଜି. ଜି. ପାଲ, ବେଦାନ୍ତ ଅଧିକାରୀ ବିଭୁ ପ୍ରସାଦ ପଣ୍ଡା, ଲାଞ୍ଜିଗଡ଼ ବ୍ଲକ୍‌ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.