ବସନ୍ତରେ ଅଗ୍ନିବର୍ଷା: ଉପରମୁହାଁ ପାରଦ

0 99

ଭୁବନେଶ୍ୱର, ୨୨ା୨(ଡିକେ ନ୍ୟୁଜ): ବସନ୍ତରେ ଅସମ୍ଭାଳ ତାତି । ଆକାଶରୁ ସତେ ଯେମିତି ନିଆଁ ଖସୁଛି । ଦିନ ୯ଟା ପରେ ଘରୁ ବାହାରିବା ଏବେଠାରୁ କଷ୍ଟକର ହେଲାଣି । ମଙ୍ଗଳବାର ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୩୭.୧ ଓ ତାଳଚେରରେ ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟ ଅଞ୍ଚଳ ଅପେକ୍ଷା ଭୁବନେଶ୍ୱରରେ ଫେବ୍ରୁଆରୀ ମାସର ତାତି ଚିନ୍ତାରେ ପକାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଫେବୃଆରୀ ମାସରେ ରାଜଧାନୀ ଭୁବନେଶ୍ୱରର ୪୨.୭ ଡିଗ୍ରୀ ସେଲସିୟସ ତାପମାତ୍ରାକୁ ସର୍ବକାଳୀନ ରେକର୍ଡ ଭାବେ ଧରାଯାଉଛି । ଏହି ତାପମାତ୍ରା ୨୩ ଫେବୃଆରୀ ୧୯୬୩ରେ ରେକର୍ଡ କରାଯାଇଥିଲା । ସେହିପରି ୨୦୧୬ ଫେବ୍ରୁଆରୀ ୨୧ରେ ଭୁବନେଶ୍ୱରରେ ତାପମାତ୍ରା ୪୦.୯ ଡିଗ୍ରୀ, ୨୦୨୧ ଫେବ୍ରୁଆରୀ ୨୭ରେ ୪୦.୬, ୨୦୧୯
ଫେବ୍ରୁଆରୀ ୨୩ରେ ୩୯.୪ ଡିଗ୍ରୀ ଓ ୨୦୧୮ ଫେବ୍ରୁଆରୀ ୩ରେ ତାପମାତ୍ରା ୩୮.୨ ରେକର୍ଡ ହୋଇଥିଲା । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଖରାର ପ୍ରକୋପ କେବଳ ଓଡ଼ିଶାରେ ନୁହେଁ ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟରେ ଅଧିକ ରହିଛି । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାରୁ ତାପମାତ୍ରା ବଢ଼ୁଛି । ବର୍ତ୍ତମାନ ଗୁରୁ·ପ ବଳୟ ପଶ୍ଚିମ ଭାରତରେ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ତାପମାତ୍ରା ବଢ଼ୁଛି ବୋଲି ଶ୍ରୀ ଦାସ କହିଛନ୍ତି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ମାର୍ଚ୍ଚ ଆରମ୍ଭରୁ ଗରମ ଅନୁଭୂତ ହେବ । ଉତ୍ତର ଆଭ୍ୟନ୍ତରୀଣରେ ଫେବ୍ରୁଆରୀ ୨୫ ପର୍ଯ୍ୟନ୍ତ, ଦକ୍ଷିଣଆଭ୍ୟନ୍ତରୀଣରେ ୨୭ ପର୍ଯ୍ୟନ୍ତ ଏବଂ ଉପକୂଳରେ ୨୮ ପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ ।ଫେବୃଆରୀ ୨୮ରୁ ମାର୍ଚ୍ଚ ୨ ମଧ୍ୟରେ ସର୍ବାଧିକ ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ମଧ୍ୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

Leave A Reply

Your email address will not be published.