ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି ଆବେଦନ କଲା କ୍ରାଇମବ୍ରାଞ୍ଚ

0 83

ଭୁବନେଶ୍ୱର,୨୨ା୨(ଡିକେ ନ୍ୟୁଜ): ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି ଥରେ ହୋଇଛି ଆବେଦନ । କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଙ୍କ ଅଦାଲତରେ ଏନେଇ ଆବେଦନ କରାଯାଇଛି । ଦୁଇ ଦିନ ତଳେ କ୍ରାଇମ୍‌ବ୍ରାଞ୍ଚ ତରଫରୁ ଏହି ସମାନ ଆବେଦନ କରାଯାଇଥିଲା ।ତେବେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ । ଗୋପାଳଙ୍କ ଲାଇ ଡିଟେକ୍ସନ୍‌ ଟେଷ୍ଟ୍‌ ହୋଇସାରିଛି । ଗୁଜରାଟର ଗାନ୍ଧିନଗରରେ ଏହି ଟେଷ୍ଟ କରାଯାଇଥିଲା । ଏହା ସତ୍ତେ୍ୱ ଗୋପାଳଙ୍କ ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚର ଆବେଦନ ଅନେକ ପ୍ରଶ୍ନ ଛିଡ଼ା କରିଛି । ୧୩ ଦିନ ରିମାଣ୍ଡରେ ନେବା ସତ୍ତେ୍ୱ କାହିଁକି କ୍ରାଇମବ୍ରାଞ୍ଚ ଗୋପାଳଙ୍କ ମାନସିକ ସ୍ଥିତିର ଯାଞ୍ଚ କଲା ନାହିଁ ବୋଲି କୁହାଯାଉଛି । ଆଇନଜୀବୀ ଦୀନେଶ ଜୈନ କହିଛନ୍ତି, କ୍ରାଇମବ୍ରାଞ୍ଚ ପୁନଃ ଆବେଦନ କରିପାରିବ । କିନ୍ତୁ ଆମକୁ ଲାଗୁଛି ଯେ କ୍ରାଇମବ୍ରାଞ୍ଚ ସମୟ ଗଡ଼ାଇବା ପାଇଁ ତଥା ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏପରି କରୁଛି । ଏସବୁ ହେଉଛି କ୍ରାଇମବ୍ରାଞ୍ଚର ଲୋକଦେଖାଣିଆ ତଦନ୍ତୟ କ୍ରାଇମବ୍ରାଞ୍ଚ ପ୍ରକୃତ ତଦନ୍ତ କରୁ ନାହିଁ । ଅନ୍ୟପକ୍ଷରେ ଆଜି ଗୋପାଳ ଦାସଙ୍କ ଚୌଦ୍ୱାର ଜେଲ୍‌ରେ ଭେଟିଛନ୍ତି ତାଙ୍କ ଭାଇ ସତ୍ୟନାରାୟଣ ଦାସୟ ଦିନ ପ୍ରାୟ ୧୨ଟା ବେଳେ ଗୋପାଳଙ୍କ
ଭାଇ ଜେଲ୍‌ ସମ୍ମୁଖରେ ପହଞ୍ଚିଥିଲେ । ନିୟମ ଅନୁଯାୟୀ ଜେଲ୍‌ର ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ସେ ଗୋପାଳଙ୍କୁ ଭେଟିଥିଲେ । ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ସେମାନେ କଥାବାର୍ତ୍ତା ହୋଇଥିଲେ । ଉଭୟ ଭାବବିହ୍ୱଳ ହୋଇପଡ଼ିଥିଲେ । ଗୋପାଳ ଗିରଫ ହେବା ପରେ ପ୍ରଥମ ଥର ପାଇଁ ଆଜି ତାଙ୍କ ପରିବାରର ଜଣେ ସଦସ୍ୟ (ତାଙ୍କ ଭାଇ) ତାଙ୍କୁ ଭେଟିଛନ୍ତି । ଗୋପାଳଙ୍କୁ ଭେଟିବା ସହିତ ଓକିଲାତିନାମାରେ ମଧ୍ୟ ଦସ୍ତଖତ କରିଥିଲେ ସତ୍ୟନାରାୟଣ ଦାସ । ସୂଚନାଯୋଗ୍ୟ, ନବ ଦାସ ହତ୍ୟାକାଣ୍ଡକୁ ୨୫ ଦିନ ହୋଇଗଲାଣି । କିନ୍ତୁ ତାଙ୍କୁ କାହିଁକି ହତ୍ୟା କରାଗଲା, ତାହା ଜଣାପଡ଼ିନି । ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ବରାବର ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି । ତଦନ୍ତ ବାଟବଣା ହୋଇସାରିଛି ବୋଲି ବିରୋଧୀ କହୁଛନ୍ତି ।

Leave A Reply

Your email address will not be published.