ସେୟାର ମୂଲ୍ୟ ହ୍ରାସ: ବଢୁଛି ଆଦାନୀଙ୍କ ସମସ୍ୟା

0 143

ନୂଆଦିଲ୍ଲୀ : ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ସମସ୍ୟା କମ ହେବାର ନାଁ ନେଉନି । ଗତ ଜାନୁୟାରୀ ୨୪ ତାରିଖ ଦିନ ଆମେରିକୀୟ ରିସର୍ଚ୍‌ ଫାର୍ମ ହିଣ୍ଡନବର୍ଗଙ୍କ ରିପୋର୍ଟ ପ୍ରକାଶ ପାଇଥିଲା । ସେବେଠାରୁ ଆଦାନୀଙ୍କ ସମୂହ ଲଗାତାର କ୍ଷତିର ସମ୍ମୁଖୀନ ହେଉଛନ୍ତି । କଥା କେବଳ ଏତିକିରେ ଅଟକି ନାହିଁ ଆଦାନୀ ଏକ ବ୍ୟବସାୟୀକ ସମୂହ ହୋଇଥିବା ବେଳେ ହାତରୁ ଗୋଟିକ ପରେ ଗୋଟିଏ ଡିଲ ମଧ୍ୟ ଖସିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ମାସକ ମଧ୍ୟରେ ଗୌତମ ଆଦାନୀ ପ୍ରଥମେ ବିଲେନିୟର ସୂଚୀର ୨ରୁ ୪, ପୁଣି ୧୦, ପରେ ୨୦ ସ୍ତରକୁ ଖସିବା ପରେ ନିକଟରେ ସୂଚୀର ୨୫ ଓ ଏବେ ୨୬ତମ ସ୍ଥାନକୁ ଖସିଆସିଛନ୍ତି । ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୪୨.୭ ବିଲିୟନ ଡଲାରଙ୍କୁ ହ୍ରାସ ହୋଇଛି । ତେବେ ଆଜକୁ ଠିକ୍‌ ୧ମାସ ପୂର୍ବେ ଗୌତମ ଆଦାନୀ ବ୍ଲୁମବର୍ଗ ବିଲେନିୟରସୂଚୀର ଚତୁର୍ଥ ସ୍ଥାନରେ ଥିଲେ । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଗୌତମ ଆଦାନୀଙ୍କୁ ୨୨ ଫେବୃଆରୀ ବୁଧବାର ପୁଣି ଏକ ଜୋରଦାର ଝଟକା ଲାଗିଛି । ଫଳରେ ତାଙ୍କ ମୋଟ ସମ୍ପତ୍ତିରୁ ପୁଣି ୬ ବିଲିୟନ ଡଲାର ଅଧିକ ମୂଲ୍ୟର ସମ୍ପତ୍ତି ହରାଇ ବସିଛନ୍ତି । ବୁଧବାର କାରବାର କାଳରେ ପୁଣି ଥରେ ତାଙ୍କର ୧୦ଟି ଜାକ କମ୍ପାନୀର ସେୟାର ଲାଲ ସଂକେତରେ କାରବାର କରିଛି । ଏଥିରେ ସବୁଠୁ ଅଧିକ ହ୍ରାସ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଓ ଆଦାନୀ ପୋର୍ଟସ୍‌ ସେୟାର ମୂଲ୍ୟରେ ଦେଖା ଯାଇଛି । ଗୁରୁବାର ମଧ୍ୟ ବଜାରରେ ସମାନ ପରିସ୍ଥିତି ଜାରି ରହିଛି । ସେୟାର ମୂଲ୍ୟ ହ୍ରାସ ଯୋଗୁ ଆଦାନୀଙ୍କ ନେଟୱର୍ଥରେ ୪୨.୭ ବିଲିୟନ ଡଲାରକୁ ଖସି ଆସିଥିବା ବେଳେ ଆଦନୀ ଧନୀକଙ୍କ ସୂଚୀର ୨୬ ତମ ସ୍ଥାନକୁ ଚାଲି ଆସିଛନ୍ତି । ଗୋଟିଏ ପଟେ ଗୌତମ ଆଦାନୀଙ୍କ ନେଟୱର୍ଥ ହ୍ରାସ ହେଉଥିବା ବେଳେ ଅନ୍ୟପଟେ ତାଙ୍କ ହାତରୁ ଗୋଟିଏ ପରେଗୋଟିଏ ଡିଲ ଖସିବାରେ ଲାଗିଛି । ହିଣ୍ଡନବର୍ଗ ପ୍ରକୋପରୁ ବର୍ତ୍ତିବା ଲାଗି ରଣନୀତି ଭାବେ ଆଦାନୀ ଗ୍ରୁପ କାରବାର ବିସ୍ତାରକୁ ଥଣ୍ଡା ବସ୍ତାରେ ପକାଇ ଦେଇଛନ୍ତି । ଏଣୁ ଆଦାନୀ ଡିବି ପାୱାର ଓ ପିଟିସି ଇଣ୍ଡିଆଙ୍କ କିଣାରୁ ଓହରି ଯାଇଥିବା ବେଳେ ଓରିଏଣ୍ଟ ସିମେଣ୍ଟ କିଣାରୁ ମଧ୍ୟ ଓହରି ଯାଇଛନ୍ତି । ବିଜନେସ୍‌ ଟୁଡେଙ୍କ ରିପୋର୍ଟ ଅନୁସାରେ ସି.କେ.ବିରଲା ଗ୍ରୁପଙ୍କ କମ୍ପାନୀ ଓରିଏଣ୍ଟ ସିମେଣ୍ଟ କିଣାରୁ ଆଦାନୀ ପାୱାର ମହାରାଷ୍ଟ୍ର ସହ ଡିଲ ସମାପ୍ତ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ଓରିଏଣ୍ଟ ସିମେଣ୍ଟ ସେମ୍ୱେର ୨୦୨୧ରେ କାରଖାନା ବିକ୍ରି ଲାଗି ଆଦାନୀ ସହିତ ଏମଓୟୁ କରିଥିଲା । ଉଭୟ କମ୍ପାନୀ ମହାରାଷ୍ଟ୍ର ତିରୋଦାରେ ଏକ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ ଖୋଲିବାକୁ ରାଜିନାମା କରିଥିଲେ । ସି.କେ. ବିରଲା ଗ୍ରୁପ ଅନୁସାରେ ଏହି ଡିଲ ପାଇଁ ରାଜିନାମାର ଟାଇମ ଲାଇନ ମଧ୍ୟ ଏବେ ସମାପ୍ତ ହୋଇଯାଇଛି । ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ସମସ୍ୟାରେ ଫଶିଥିବା ଆଦାନୀ ଗ୍ରୁପର କାରବାର ସୂଚୀ ଦେଖିଲେ ମାତ୍ର ମାସକରେ ଗ୍ରୁପକୁ ୩ଟି ବଡ଼ ଝଟକା ଲାଗିଛି । ଚଳିତ ସପ୍ତାହ ଆରମ୍ଭରେ ଅର୍ଥାତ ଗତ ସୋମବାର ଗୌତମ ଆଦାନୀ ପାୱାର ଟ୍ରେଡିଂ କର୍ପୋରେସନ ଲିମିଟେଡ (ପିଟିସି)ରେ ଅଂଶୀଦାରୀ ଲାଗି ବୋଲି ନ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ପିଟିସି ଇଣ୍ଡିଆ ଲିମିଟେଡଙ୍କ ସେୟାରଧାରୀଙ୍କ ମଧ୍ୟରେ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଓ ଦାମୋଦର ଭେଲି କର୍ପୋରେସନ ମଧ୍ୟ ଅଛନ୍ତି । ଏହି କମ୍ପାନୀର ମାର୍କେଟ୍‌ କ୍ୟାପିଟାଲାଇଜେସନ ପାଖାପାଖି ୨,୫୦୦ କୋଟି ଟଙ୍କା । ଏଥିରେ ପିଟିସି ଇଣ୍ଡିଆଙ୍କ ୧୬ ପ୍ରତିଶତ ଅଂଶୀଦାରୀର ମୂଲ୍ୟ ପାଖାପାଖି ୪୧୫ କୋଟି ଟଙ୍କା ହୋଇପାରେ । ତେବେ ଏହା ପୂର୍ବରୁ ଆଦାନୀ ରଦ୍ଦ କରିଥିବା ଡିବି ପାୱାର ସହିତ ଡିଲ ପାଖାପାଖି ୭୦୦୦କୋଟି ଟଙ୍କାର ଥିଲା ।

 

Leave A Reply

Your email address will not be published.