ନୂଆଦିଲ୍ଲୀ: ହିଣ୍ଡନବର୍ଗର ରିପୋର୍ଟ ପରେ ଚାପରେ ଥିବା ଆଦାନୀ ଗ୍ରୁପ ଯୋଗୁଁ ଏଲଆଇସିକୁ ବଡ଼ କ୍ଷତି ସହିବାକୁ ପଡିଛି । ଏଲଆଇସିକୁ ଆଦାନୀ ଗ୍ରୁପର ସେୟାରରେ ନିବେଶ ଉପରେ ୪୯,୭୨୮ କୋଟି ଟଙ୍କାର ବଡ଼ କ୍ଷତି ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଆଦାନୀ ଗ୍ରୁପର ସୂଚୀବଦ୍ଧ କମ୍ପାନି ଗୁଡିକରେ ଏଲଆଇସି ନିବେଶ କରିଥିଲା । ଏହି କମ୍ପାନି ଗୁଡିକ ହେଲା ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଗ୍ରୀନ ଏନର୍ଜୀ, ଆଦାନୀ ପୋର୍ଟ୍ସ, ଆଦାନୀ ଟୋଟଲ ଗ୍ୟାସ, ଆଦାନୀ ଟ୍ରାନ୍ସମିସନ, ଅମ୍ୱୁଜା ସିମେଣ୍ଟ ଏବଂ ଏସିସି ରହିଛି । ବିଜନେସ୍ ଟୁଡେରେ ରିପୋର୍ଟ ଅନୁସାରେ ୨୦୨୨ ଡିସେମ୍ୱର ୩୧ ସୁଦ୍ଧା ଆଦାନୀ ଗ୍ରୁପର କମ୍ପାନି ଗୁଡିକରେ ଏଲଆଇସିର ୮୨,୯୭୦ କୋଟି ଟଙ୍କା ଥିଲା । ଯାହା ଏବେ କମି ୩୩,୨୪୨ କୋଟି ଟଙ୍କା ହୋଇଛି । ଏହା ୨୦୨୨ ଡିସେମ୍ୱର ୩୧ରେ ଆଦାନୀର ସେୟାର ଗୁଡିକର ବଜାର ମୂଲ୍ୟ ଏବଂ ବର୍ତ୍ତମାନର ବଜାର ମୂଲ୍ୟ ବ୍ୟବଧାନ ଉପରେ ଏହା ଆଧାରିତ ଅଟେ । ଏହା ପୂର୍ବରୁ ଜାନୁଆରୀ ୩୦ରେ ଏଲଆଇସି ସେୟାର ବଜାରକୁ କହିଥିଲା ଯେ ଆଦାନୀ ଗ୍ରୁପର କମ୍ପାନି ଗୁଡିକରେ ଏହାର ଅଂଶଧନ ଜାନୁଆରୀ ୨୭ରେ ୫୬,୧୪୨ କୋଟି ଟଙ୍କା ଥିଲା । ଉଲ୍ଲେଖଯୋଗ୍ୟ ଯେ ୨୦୨୨ ଡିସେମ୍ୱର ସୁଦ୍ଧା ଏଲଆଇସିର ମୋଟ ଇକ୍ୱିଟି ସମ୍ପତ୍ତି ୧୦.୯୧ ଲକ୍ଷ କୋଟି ଟଙ୍କା ଥିଲା ।