କୃଷି ଅଭିବୃଦ୍ଧିରେ ଦେଶଠୁ ଆଗରେ ଓଡିଶା

0 81

ଭୁବନେଶ୍ବର: କୃଷିକୁ ଶିଳ୍ପ ମାନ୍ୟତା ଦେବା ସହ କୃଷକଙ୍କ ଆୟ ବୃଦ୍ଧି ପାଇଁ ସଶକ୍ତୀକରଣ ଯୋଜନା ପ୍ରଣୟନ କରି ରାଜ୍ୟ ସରକାର କୃଷିର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ସ୍ବତନ୍ତ୍ର କୃଷି ନୀତି ଯୋଗୁଁ ଓଡ଼ିଶାର କୃଷି ଅଭିବୃଦ୍ଧି ଜାତୀୟ ହାର ତୁଳନାରେ ଆଗରେ ରହିଛି । ଦେଶର କୃଷି ଅଭିବୃଦ୍ଧି ହାର ୫.୯୮% ଥିବା ବେଳେ ଓଡ଼ିଶାରେ ଏହା ୨୨.୫୨% ହୋଇଛି ।ଗତ ଆର୍ଥିକ ବର୍ଷରେ ଓଡ଼ିଶାର ପ୍ରଦର୍ଶନ ଜାତୀୟ ହାରଠାରୁ ଯଥେଷ୍ଟ ଊର୍ଦ୍ଧ୍ବରେ ରହିଛି । ୨୦୨୧-୨୨ ବର୍ଷରେ ଓଡ଼ିଶାର କୃଷି କ୍ଷେତ୍ର ଜିଡିପିର ୨୨ ଦଶମିକ ୯୧ ପ୍ରତିଶତ ରହିଥିବା ବେଳେ, ଜାତୀୟ ସ୍ତରରେ ଏହା ଥିଲା ମାତ୍ର ୨ ଦଶମିକ ୩୮ ପ୍ରତିଶତ । ୨୦୧୬-୧୭ ବର୍ଷଠାରୁ ଆରମ୍ଭ କରି ୨୦୨୨-୨୩ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ କୃଷି କ୍ଷେତ୍ରରେ ଦେଶଠାରୁ ଭଲ ପ୍ରଦର୍ଶନ କରି ଆସୁଛି ରାଜ୍ୟ ।ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟର ସହାୟକ ମୂଲ୍ୟଠାରୁ ଆରମ୍ଭ କରି କୃଷକ କଲ୍ୟାଣ କାର୍ଯ୍ୟକ୍ରମ, ଜଳସେଚନ, ସାର ଓ କୀଟନାଶକ ଯୋଗାଣ, ଉତ୍ପାଦିତ ସାମଗ୍ରୀର ବଜାର ବ୍ୟବସ୍ଥା ଆଦି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଓଡ଼ିଶାର କୃଷି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି । ଉପଯୁକ୍ତ ପ୍ରୋତ୍ସାହନ ମିଳିବା ହେତୁ ଅଣଧାନ ଫସଲ ପ୍ରତି ଚାଷୀମାନେ ଆଗ୍ରହ ଦେଖାଉଛନ୍ତି । ୨୦୨୩ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଓଡ଼ିଶା ମିଲେଟ୍ ମିଶନରେ ୨ ଲକ୍ଷ ୬୬ ହଜାର ହେକ୍ଟର ଜମିରେ ମିଲେଟ୍ ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ, ୨ ଲକ୍ଷ ୧୦ ହଜାର ହେକ୍ଟର ଜମିରେ ଯୋଜନା କାର୍ଯ୍ୟକ୍ଷମ ହୋଇଛି । ସେହିଭଳି ସଘନ କୃଷି କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟ ରଖାଯାଇଥିବା ସମସ୍ତ ୧୯ ହଜାର ୫୪୯ ହେକ୍ଟର ଜମି କାର୍ଯ୍ୟକ୍ଷମ ହୋଇସାରିଛି ।

Leave A Reply

Your email address will not be published.