ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ

0 84

ଭୁବନେଶ୍ୱର, ୨୬ା୨(ଡିକେ ନ୍ୟୁଜ): ସରିଛି ମୁଖ୍ୟ ଶାସନ ସଚିବ ସସ୍‌ପେନ୍ସ । ରାଜ୍ୟ ପ୍ରଶାସନର ନୂଆ ମୁଖିଆ ହେବେ ପ୍ରଦୀପ କୁମାର ଜେନା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଦୀପ ଜେନା ଆସନ୍ତା ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦାୟିତ୍ୱ ତୁଲାଇବେ । ସୂଚନାଯୋଗ୍ୟ, ୧୯୮୯ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍‌) ବର୍ତ୍ତମାନ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିସନର ଅଛନ୍ତି । ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଫେବୃଆରୀ ୨୮ରେ ଶେଷ ହେଉଛି । ୨୦୨୧ ଜାନୁଆରୀ ପହିଲାଠାରୁ ମୁଖ୍ୟ ସଚିବ ଅଛନ୍ତି ସୁରେଶ ମହାପାତ୍ର । ତାଙ୍କର ଦୁଇଥର ୬ମାସ ଲେଖାଏ କାର୍ଯ୍ୟକାଳ ବୃଦ୍ଧି ହୋଇଥିଲା । ପ୍ରଥମେ ୨୦୨୨ ମାର୍ଚ୍ଚ ୨୨ରୁ ଅଗଷ୍ଟ ୩୧ ଯାଏ ଏବଂ ପରେ ସେପ୍ଟେମ୍ବର ୨୦୨୨ରୁ ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଯାଇଥିଲା । ପରବର୍ତ୍ତୀ ମୁଖ୍ୟ ସଚିବ ନେଇ ସସ୍‌ପେନ୍ସ ଥିବାବେଳେ ରାଜ୍ୟ ସରକାର ଆଜି ଶ୍ରୀ ଜେନାଙ୍କୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ଜେନା ୧୯୬୪ ମସିହା ଜାନୁଆରୀ ୧ ତାରିଖରେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିଲେ । ଜିଲ୍ଲାପାଳ ଭାବେ କେନ୍ଦ୍ରାପଡ଼ା, କଟକ ଓ କଳାହାଣ୍ଡିରେ କାର୍ଯ୍ୟ କରିଛନ୍ତି । ପରେ ପଞ୍ଚାୟତିରାଜ ବିଭାଗ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଗ୍ରାମ୍ୟ ଉନ୍ନୟନ ବିଭାଗ, ଶକ୍ତି, ଜଳସମ୍ପଦ ଆଦି ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏଥିସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି । ରାଜ୍ୟ ପ୍ରଶାସନର ନମ୍ବର ଦୁଇ ଭାବେ ୨୦୨୧ ଜାନୁଆରୀ ପରଠାରୁ ଉନ୍ନୟନ କମିଶନର ସହିତ ଅତିରିକ୍ତ ଦାୟିତ୍ୱ ଭାବେ ଯୋଜନା ଓ ସଂଯୋଜନା ସଚିବ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏବଂ ଓସ୍‌ଡମାର ନିର୍ଦ୍ଦେଶକ ଭାବେ ସେ ଦାୟିତ୍ୱ ତୁଲାଇ ଆସୁଥିଲେ । ଆସନ୍ତା ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଲା ପରେ ସେ ତାଙ୍କ ସ୍ଥାନରେ ନୂଆ ଦାୟିତ୍ୱ ଗ୍ରହଣ କରିବେ ।

Leave A Reply

Your email address will not be published.