ଓଡ଼ିଶା ହେବ ପୂର୍ବ ଭାରତର ଡିଜିଟାଲ ହବ

0 98

ଭୁବନେଶ୍ୱର, ୨୬ା୨(ଡିକେ ନ୍ୟୁଜ): ଓଡ଼ିଶାକୁ ଡାଟା ସେଣ୍ଟର ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି । ଆଉ ଏହି ନୀତିକୁ ବଳ ଯୋଗାଇବା ପାଇଁ ଚଳିତ ବଜେଟରେ ସରକାର ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି । ଡାଟାର ନିର୍ଭରଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀଠାରେ ସମୁଦ୍ର ଗର୍ଭରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍‌ ପ୍ରତିଷ୍ଠା କରାଯିବ । ଏହି ଲ୍ୟାଣ୍ଡିଂ ଷ୍ଟେସନ୍‌ ପ୍ରତିଷ୍ଠା ହେବା ଦ୍ୱାରା ଡାଟା ସେଣ୍ଟର, ମନୋରଞ୍ଜନ, ଦୂରସଞ୍ଚାର ଏବଂ ଫିନଟେକ୍‌ (ବିତ୍ତୀୟ) ବଜାର ସଶକ୍ତ ହେବ ବୋଲି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ପକ୍ଷରୁ କୁହାଯାଇଛି । ଓଡ଼ିଶାକୁ ପୂର୍ବ ଭାରତର ଡିଜିଟାଲ ହବରେ ପରିଣତ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି । ସମ୍ପ୍ରତି ଭାରତର ବିଭିନ୍ନ ପ୍ରକାର ତଥ୍ୟ ଅବା ଡାଟା ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରର ଡାଟା ସେଣ୍ଟରରେ ସଂରକ୍ଷିତ ରହୁଛି । ତେବେ ଓଡ଼ିଶାରେ ଡାଟା ସେଣ୍ଟର କାର୍ଯ୍ୟକ୍ଷମ ହେଲେ ଭାରତର ଡାଟା ଭାରତରେ ସଂରକ୍ଷିତ ରହିବ ଆଉ ଏକ ନୂଆ ଶିଳ୍ପ ପାଇଁ ଏହା ବଡ଼ ସୁଯୋଗ ସୃଷ୍ଟି କରିବ । ଏପରିସ୍ଥଳେ ସମୁଦ୍ର ତଳେ ହାଇ ଫାଇବର୍‌ କେବୁଲ ବିଛାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କେବୁଲ୍‌ ସଂଯୋଗ ମିଳିଲେ ଇଣ୍ଟରନେଟ୍‌ ଯୋଗାଯୋଗ, ଡାଟା ଆଦାନ ପ୍ରଦାନ, ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ବେଶ୍‌ ଲାଭବାନ ହୋଇପାରିବ ବୋଲି କୁହାଯାଇଛି । ସୂଚନା ଅନୁସାରେ ସମୁଦ୍ର ଗର୍ଭ ଦେଇ ଉଚ୍ଚମାନର ଅପ୍ଟିକାଲ ଫାଇବର କେବୁଲ ବିଛାଯିବ । ଏହା ଓଡ଼ିଶା ସମେତ ପ୍ରାୟ ୯ଟି ଉପକୂଳ ସହରକୁ ସଂଯୋଗ କରିବ । ପଶ୍ଚିମବଙ୍ଗର ଦୀଘାରୁ ସମୁଦ୍ର ଦେଇ ଏହି କେବୁଲ ଓଡ଼ିଶାରେ ପହଞ୍ଚିବ । ପୁରୀ ଉପକୂଳ ଦେଇ ଏହା ଓଡ଼ିଶାକୁ ଆସିବା ସମ୍ଭାବନା ଅଛି । ସ୍ଥଳପଥରେ କେବୁଲ ଭୁବଶ୍ୱେରର ଆଇଟି ହବରେ ପହଞ୍ଚିବ । ଏଠାରୁ ବିଭିନ୍ନ ଆଇଟି ସଂସ୍ଥାକୁ ସଂଯୋଗ ଦିଆଯିବ । ତେବେ ଏହାର କେନ୍ଦ୍ରସ୍ଥଳ ରହିବ ପୁରୀର କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍‌ । ବିଶେଷଜ୍ଞଙ୍କ ମତରେ ସମୁଦ୍ର ଦେଇ ଫାଇବର୍‌ କେବୁଲ ପହଞ୍ଚିଲେ ଓଡ଼ିଶାରେ ଇଣ୍ଟରନେଟ୍‌ ସମ୍ପର୍କିତ ସେବାରେ ବଡ଼ ପରିବର୍ତ୍ତନ ଆସିବ । ଦ୍ରୁତ ଇଣ୍ଟରନେଟ୍‌ ସ୍ପିଡ୍‌ ମିଳିବ ଆଉ ଏ ଦିଗରେ ଥିବା ବାଧା ଦୂର ହୋଇପାରିବ । ଉନ୍ନତ ମାନର ଇଣ୍ଟରନେଟ୍‌ ସେବା ହିଁ ଡାଟା ସେଣ୍ଟର ପାଇଁ ବେଶ୍‌ ଉପାଦେୟ ହେବ ବୋଲି କୁହାଯାଉଛି । ସ୍ୱତନ୍ତ୍ର ଡାଟା ସେଣ୍ଟର ନୀତି ଜରିଆରେ ୨୦୧୫ ସୁଦ୍ଧା ଓଡ଼ିଶାକୁ ପୂର୍ବ ଭାରତର ଶ୍ରେଷ୍ଠ ଡାଟା ସେଣ୍ଟର ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଓଡ଼ିଶାରେ ସବୁ ପ୍ରକାର ଭିତ୍ତିଭୂମି ମହଜୁଦ ରହିଛି । ନିକଟରେ ରାଜ୍ୟ କ୍ୟାବିନେଟ୍‌ ଡାଟା ସେଣ୍ଟର ପଲିସି-୨୦୨୨କୁ ଅନୁମୋଦନ ଦେଇଛନ୍ତି । ଏହି ନୀତିରେ ଆଇଟି ସଂସ୍ଥାଙ୍କୁ ଜମି, ବିଜୁଳି ଶକ୍ତି ଓ କ୍ୟାପିଟାଲ ସବ୍‌ସିଡି ସହିତ ରାଜ୍ୟ ଜିଏସଟି ଛାଡ଼ ପାଇଁ ପ୍ରାବଧାନ ରହିଛି । ଡାଟା ସେଣ୍ଟରରେ ପୁଞ୍ଜି ନିବେଶ ନିମନ୍ତେ ଏହା ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ । ଗତ କିଛି ବର୍ଷ ମଧ୍ୟରେ ସ୍ମାର୍ଟଫୋନ୍‌, ସୋସିଆଲ ମିଡିଆ, ଇ-କମର୍ସ, ଡିଜିଟାଲ ମନୋରଞ୍ଜନ, ଡିଜିଟାଲ ଶିକ୍ଷା, ଡିଜିଟାଲ ପେମେଣ୍ଟ ଭଳି ଅନେକ ସେବା ବହୁଳ ଲୋକପ୍ରିୟତା ହାସଲ କରିବା ପରିପ୍ରେକ୍ଷୀରେ ଡାଟା ସେଣ୍ଟରର ଗୁରୁତ୍ୱ ବେଶ୍‌ ବୃଦ୍ଧି ପାଇଛି ।

Leave A Reply

Your email address will not be published.