ଭୁବନେଶ୍ୱର, ୨୬ା୨(ଡିକେ ନ୍ୟୁଜ): ପଛୁଆ, ଅନୁନ୍ନତ ରାଜ୍ୟରୁ ଓଡିଶାକୁ ଏକ ବିକାଶଶୀଳ ଏବଂ ଆଧୁନିକ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ପୂର୍ବରୁ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା, ଆଜି ତାହାର ସଫଳ ରୂପାୟନ ହେଉଛି । ପ୍ରତ୍ୟେକ କ୍ଷେତ୍ରରେ ଆଜି ଓଡ଼ିଶା ନିଜକୁ ପ୍ରତିପାଦିତ କରିଛି ଯାହାର ଫଳ ସ୍ୱରୂପ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜୀବନ ଜୀବିକା, ଶିଳ୍ପ, କ୍ରୀଡ଼ା ଇତ୍ୟାଦି କ୍ଷେତ୍ରରେ ଅଭୂତପୂର୍ବ ବିକାଶ ହୋଇଛି । ଯେତେବେଳେ ବି ରାଜ୍ୟରେ ପ୍ରଗତିର କଥା ଆଲୋଚନା ହେବ, ସେତେବେଳେ ଖାଦ୍ୟ ସୁରକ୍ଷା ଏବଂ କୃଷି କ୍ଷେତ୍ରରେ ପ୍ରଦର୍ଶନ ସର୍ବାଗ୍ରେ ରହିବ । କୋଡ଼ିଏ ବର୍ଷ ତଳେ ଅନାହାର ସବୁ ଖବରକାଗଜର ପୃଷ୍ଠା ମଣ୍ଡନ କରୁଥିଲା, କାରଣ ଆମ ରାଜ୍ୟ ନିଜର ଚାଉଳ ଚାହିଦା ମୁତାବକ ଉତ୍ପାଦନ କରିବାରେ ଅକ୍ଷମ ଥିଲା । କିନ୍ତୁ ଅନେକ କୃଷି ଅନୁକୂଳ ପଦକ୍ଷେପ ଯଥା କମ ସୁଧରେ ଫସଲ ଋଣ ପ୍ରଦାନ, ସୁଲଭ ମୂଲ୍ୟ ତଥା ସୁବିଧାରେ ବିହନ, ସାର, କୀଟନାଶକ, କୃଷି ଯନ୍ତ୍ରପାତି ଉପଲବ୍ଧ କରାଇବା, ଅମଳ ପରବର୍ତ୍ତୀ ପରିଚାଳନା ତଥା ସୁ·ରୁରୂପେ ବିକ୍ରୟ ପାଇଁ ସୁବିଧା ପରି ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ଆଜି ଓଡ଼ିଶା କେବଳ ଯେ, ଧାନ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିଛି ତାହା ନୁହେଁ, ଆଜି ରାଜ୍ୟ ଅନ୍ୟ ରାଜ୍ୟକୁ ଚାଉଳ ରପ୍ତାନି କରୁଛି । ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରାୟ ୭,୦୦୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟର କଳେବର ଆଜି ୨୪,୦୦୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି । ଏହାର ଅର୍ଥ ହେଉଛି, ଚାଷୀଙ୍କ ପାଖକୁ ଅଧିକରୁ ଅଧିକ ସମ୍ବଳ ଯାଉଛି, ଯାହାଦ୍ୱାରା ସେମାନଙ୍କ ରୋଜଗାର ବୃଦ୍ଧିରେ ସହାୟକ ହେଉଛି । କୃଷି ସହିତ ମତ୍ସ୍ୟ ଚାଷ, ପ୍ରାଣୀପାଳନ କ୍ଷେତ୍ରରେ ମଧ୍ୟ ଅଧିକ ଅର୍ଥ ବ୍ୟବସ୍ଥା କରାଯାଉଛି । ଗୋଟିଏ ଦିଗରେ କେନ୍ଦ୍ର ସରକାର ଖାଦ୍ୟ, କୃଷି ଓ ସାର କ୍ଷେତ୍ରରେ କ୍ରମାଗତ ଖର୍ଚ୍ଚ କାଟ କରୁଥିବା ବେଳେ ଆମ ରାଜ୍ୟ ସରକାର କ୍ରମାଗତ ଭାବେ କୃଷି ତଥା ଆନୁଷଙ୍ଗିକ କ୍ଷେତ୍ରରେ ନିବେଶ ବୃଦ୍ଧି କରୁଛନ୍ତି, ଯାହା ରାଜ୍ୟ ସରକାରଙ୍କ କୃଷି ପ୍ରତି ଯଥେଷ୍ଟ ଆନ୍ତରିକତାର ନିଦର୍ଶନ ଅଟେ । ଚଳିତବର୍ଷ ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କୃଷି କ୍ଷେତ୍ରରେ ବ୍ୟୟବରାଦ ୨୧% ଅଧିକ । ସେହିପରି ଜଳସେଚନ ପାଇଁ ମଧ୍ୟ ୧୧,୬୫୫ କୋଟି ଟଙ୍କା ବରାଦ କରାଯାଇଛି । ଆଗାମୀ ଦିନରେ ଏହିସବୁ ପଦକ୍ଷେପ ନିଶ୍ଚିତ ଭାବେ କୃଷକମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବ । ଓଡ଼ିଶାର ସ୍ୱାସ୍ଥ୍ୟ ମଡେଲ ଆଜି ସର୍ବଜନବିଦିତ । ଦୁଇ ଦଶନ୍ଧି ପୂର୍ବେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ସୂଚକାଙ୍କ ଯଥା ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ଦେଶରେ ସବୁଠାରୁ ଖରାପ ଥିଲା । ସେ ସମୟରେ ଏକ ହଜାର ଜନ୍ମିତ ଶିଶୁଙ୍କ ମଧ୍ୟରୁ ୯୭ ଜଣ ସେମାନଙ୍କ ପ୍ରଥମ ଜନ୍ମଦିନ ପାଳନ କରିବା ପୂର୍ବରୁ ମୃତ୍ୟୁ ମୁଖରେ ପଡୁଥିଲେ । ସେହିପରି ପ୍ରସବ ସମୟରେ ପ୍ରତି ଏକ ଲକ୍ଷରେ ପ୍ରାୟ ୪୫୦ ଜଣ ମା’ଙ୍କ ମୃତ୍ୟୁ ହେଉଥିଲା । କିନ୍ତୁ ସମୟୋଚିତ ଏବଂ ଯୁଗାନ୍ତକାରୀ ପଦକ୍ଷେପ ଫଳରେ ଆଜି ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି । ଏହା ସମ୍ଭବ ହୋଇଛି ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରିବା କାରଣରୁ । ୨୦୨୩-୨୪ ପାଇଁ ବଜେଟରେ ୧୬,୦୪୮ କୋଟି ତାଙ୍କର ବ୍ୟୟବରାଦ କରାଯାଇଛି, ଯାହା ଚଳିତ ବର୍ଷଠାରୁ ୨୭ ପ୍ରତିଶତ ଅଧିକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୨,୩୮୦ କୋଟିର ବ୍ୟୟବରାଦ କରାଯାଇଛି ଯାହାଦ୍ୱାରା ରାଜ୍ୟର ୮୬% ରୁ ଅଧିକ ଜନସାଧାରଣ ଉପକୃତ ହେଉଛନ୍ତି । ଏହାକୁ ତୁଳନା କଲେ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନାରେ ସାରା ଦେଶପାଇଁ ମାତ୍ର ୭,୨୦୦ କୋଟି ଟଙ୍କା ପ୍ରାବଧାନ କରାଯାଇଛି । ଏଥିସହିତ ରାଜ୍ୟରେ ବିଶ୍ୱସ୍ତରୀୟ ଚିକିତ୍ସା ଭିତ୍ତିଭୂମି ପ୍ରତିଷ୍ଠା କରାଯାଉଛି । ଉତ୍ତମ ମାନର ଶିକ୍ଷା ପାଇଁ ଆରମ୍ଭ ହୋଇଥିବା ରୂପାନ୍ତରିଣ ବିଦ୍ୟାଳୟ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ଲାଭ କରୁଛନ୍ତି । ଏହା ସମ୍ଭବ ହୋଇଛି ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ବ୍ୟୟବରାଦ ଯୋଗୁଁ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୩୦,୦୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଯାହା ମୋଟ ବଜେଟ ବ୍ୟୟବରାଦର ୧୨.୩ ପ୍ରତିଶତ ଅଟେ । ଶିକ୍ଷା ପାଇଁ ଏଭଳି ଖର୍ଚ୍ଚ କରିବା ସାରା ଦେଶରେ ଆମ ରାଜ୍ୟ ଅନନ୍ୟ । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବନ ଜୀବିକା ବ୍ୟତୀତ ଅନ୍ୟ କ୍ଷେତ୍ରରେ ମଧ୍ୟ ବଜେଟ ପ୍ରାବଧାନ ଆଖିଦୃଶିଆ ଭାବେ ବଢିଛି । ଏହା ସମ୍ଭବ ହୋଇଛି ସରକାରଙ୍କ ଶୃଙ୍ଖଳିତ ଆର୍ଥିକ ପରି·ଳନା ନୀତି ଯୋଗୁଁ । ସରକାରଙ୍କ ବଜେଟକୁ ବିଶ୍ଳେଷଣ କଲେ ପ୍ରତୀୟମାନ ହୁଏ ଯେ, ମୋଟ ବଜେଟର ୫୪.୩୪ ପ୍ରତିଶତ କାର୍ଯ୍ୟକ୍ରମ ଖର୍ଚ୍ଚ ଭାବେ ବରାଦ କରାଯାଇଛି । ଏଥିରୁ ପୁଞ୍ଜି ବ୍ୟୟର ଅଟକଳ ହେଉଛି ୫୧,୬୮୩ କୋଟି ଟଙ୍କା, ଯାହା ରାଜ୍ୟର ମୋଟ ଉତ୍ପାଦର ୬ ପ୍ରତିଶତ ଅଟେ । ଏହି ଖର୍ଚ୍ଚ ୨୦୦୦-୨୦୦୧ ଆର୍ଥିକ ବର୍ଷରେ ୮୬୪ କୋଟି ଟଙ୍କା ଥିଲା ଯାହା ଆଜି ୬୦ ଗୁଣରୁ ଅଧିକ । ପୁଞ୍ଜି ବ୍ୟୟ, ଅର୍ଥାତ କ୍ୟାପିଟାଲ ଏକ୍ସପେଣ୍ଡିଚର୍ ରାଜ୍ୟର
ପ୍ରଗତି ତଥା ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ ଅପରିହାର୍ଯ୍ୟ । କ୍ରମାଗତ ଭାବେ ଗତ କିଛି ବର୍ଷ ହେବ ଅଧିକ ପୁଞ୍ଜିବ୍ୟୟର ଫଳାଫଳ ବର୍ତ୍ତମାନ ପରିଲକ୍ଷିତ ଶୃଙ୍ଖଳିତ ଆର୍ଥିକ ପରିଚାଳନା କାରଣରୁ ବିତ୍ତୀୟ ନିଅଣ୍ଟକୁ ମୋଟ ରାଜ୍ୟ ଉତ୍ପାଦର ୩ ପ୍ରତିଶତ ମଧ୍ୟରେ ସୀମିତ କରାଯାଇପାରିଛି ।
ଅନୁନ୍ନତ ରାଜ୍ୟରୁ ସଶକ୍ତ ଓ ସମୃଦ୍ଧ ଓଡ଼ିଶା
Prev Post