୧୧୦ କେଜି ଜଙ୍ଗଲୀ ମାଂସ ଜବତ: ଦୁଇ ଗିରଫ

0 74

ଓଡ଼ଗାଁ : ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ଲାଉଖାଲ ନର୍ସରି ନିକଟରୁ ବନବିଭାଗ ୬୦ କେଜି ଜଙ୍ଗଲୀ ମାଂସ ଜବତ କରିବା ସହ ଏକ ଅଟୋ ଜବତ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ସଂପୃକ୍ତ ରଙ୍ଗଣୀପାଟଣା ପଞ୍ଚାୟତ ଗୋଡିପଲ୍ଲୀ ଗ୍ରାମର ପୀତବାସ ନାହାକ (୫୬) ଓ ଜଗନ୍ନାଥପ୍ରସାଦ ଥାନା ପଞ୍ଚୁଭୁତି ଗ୍ରାମର ଫକୀର ନାହାକ (୫୫)କୁ ଗିରଫ କରିଥିବା ଜଣାପଡ଼ିଛି । ବୁଧବାର ସକାଳେ ଜଙ୍ଗଲୀ ମାଂସ ଚାଲାଣ ହେଉଥିବା ସୂଚନା ପାଇ ବନ ବିଭାଗ ଲାଉଖାଲ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଉଭୟଙ୍କୁ କାବୁ କରିଥିଲେ ।

ପୀତବାସ ଓ ଫକୀର ଓଡ଼ି ୨୫ ୬୩୬୪୯ ନଂ ବିଶିଷ୍ଟ ଅଟୋ ଯୋଗେ ଦୁଇଟି ଜରି ଅଖା ମଧ୍ୟରେ ମାଂସ ନେଇ ଗଞ୍ଜାମ ଅଭିମୁଖେ ଯାଉଥିବାବେଳେ ବନବିଭାଗ ହାବୁଡରେ ପଡିଥିଲା । ବନ ବିଭାଗ ମାଂସ ଜବତ କରିବା ସହିତ ଏହାର ନମୁନା ପରୀକ୍ଷା ପାଇଁ ସଂଗ୍ରହ କରିବା ପରେ ଅବଶିଷ୍ଟ ରେଞ୍ଜ ଅଫିସ କାର୍ଯ୍ୟାଳୟରେ ପୋତିଦେଇଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହିତ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ଆଶିଷ କୁମାର କହଁର ସୂଚନା ଦେଇଛନ୍ତି ।

ଠିକ୍‌ ସେହିପରି ବାହାଡ଼ଝୋଲା ସେକ୍ସନ ମାଣୀକପାଟଣା ଛକରୁ ବନବିଭାଗ ମଙ୍ଗଳବାର ବିଳମ୍ବିତ ରାତିରେ ମାଂସ ଚାଲାଣ ହେଉଥିବା ଖବର ପାଇ ଛକି ବସିଥିଲା । କିନ୍ତୁ ଅଭିଯୁକ୍ତ ବନବିଭାଗ ପାଟ୍ରୋଲିଂ ଗାଡିକୁ ଦେଖି ମାଂସ ଭର୍ତ୍ତି ଅଖା ଫୋପାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ବସ୍ତା ମଧ୍ୟରେ ଥିବା ୫୦ କେଜି ମାଂସକୁ ଜବତ କରିବା ସହ କାପ୍ତାପଲ୍ଲୀ ସରପଞ୍ଚ, ୱାର୍ଡସଭ୍ୟ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ବାହାଡ଼ଝୋଲା କାର୍ଯ୍ୟାଳୟ ପରିସରରେ ମାଂସକୁ ପୋତି ଦେଇଥିବା ଜଣାପଡିଛି । ଅନ୍ୟପକ୍ଷେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିବା ବନପାଳ ସନାତନ ସ୍ୱାଇଁ କହିଛନ୍ତି ।

Leave A Reply

Your email address will not be published.