ଆଇସିସି ଟେଷ୍ଟ ରାଙ୍କିଙ୍ଗ ୬ ପଏଣ୍ଟ ହରାଇ ବି ଅଶ୍ୱିନ ନଂ-୧ ଟେଷ୍ଟ ବୋଲର

0 82

ନୂଆଦିଲ୍ଲୀ : ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ୬ ରେଟିଂ ପଏଣ୍ଟ ହରାଇଛନ୍ତି । ତଥାପି ସେ ଇଂଲିଶ ଟିମର ଜେମ୍ସ ଆଣ୍ଡରସନଙ୍କ ସହ ଯୁଗ୍ମ ଭାବେ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି । ଉଭୟଙ୍କ ପଏଣ୍ଟ ସଂଖ୍ୟା ୮୫୯ ରହିଛି । ଅଶ୍ୱିନ ଗତ ସପ୍ତାହରେ ଆଣ୍ଡରସନଙ୍କୁ ପଛରେ ପକାଇ ରାଙ୍କିଙ୍ଗରେ ୧ନଂ ସ୍ଥାନ ଦଖଲ କରିଥିଲେ । ତେଣୁ ସେ ଏବେ ବି ୧ନଂ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଅଶ୍ୱିନ ୨ଟି ଇନିଂସରେ ମାତ୍ର ୪ଟି ୱିକେଟ ଦଖଲ କରିଥିଲେ ।

ଭାରତ ମଧ୍ୟ ଉକ୍ତ ମ୍ୟାଚ୍‌କୁ ୯ ୱିକେଟରେ ହାରିଥିଲା । ଏହାପରେ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ଅଶ୍ୱିନଙ୍କ ରେଟିଂ ପଏଣ୍ଟ ହ୍ରାସ ପାଇଛି । ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଖେଳି ନଥିଲେ ମଧ୍ୟ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ପୂର୍ବଭଳି ବୋଲିଂ ରାଙ୍କିଙ୍ଗର ୩ନଂ ସ୍ଥାନରେ ରହିଛନ୍ତି । ତେବେ ତାଙ୍କ ପଏଣ୍ଟ ସଂଖ୍ୟା ୮୪୯କୁ ହ୍ରାସ ପାଇଛି । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ୩ଟି ସ୍ଥାନ ଉପରକୁ ଉଠି ୪ର୍ଥରେ ପହଞ୍ଚିଛନ୍ତି । ତାଙ୍କ ପଏଣ୍ଟ ସଂଖ୍ୟା ୮୦୭ ରହିଛି ।

ପାକିସ୍ତାନର ଶାହୀନ ଶାହ ଆଫ୍ରିଦି ଗୋଟିଏ ସ୍ଥାନ ଉପରକୁ ଉଠି ୫ମ ଓ ଦୀର୍ଘଦିନ ହେଲା କ୍ରିକେଟରୁ ଦୂରେଇ ରହିଥିବା ଭାରତର ଯଶପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ତଳକୁ ଖସି ୬ଷ୍ଠରେ ଅଛନ୍ତି । ଇଂଲଣ୍ଡର ଓଲି ରବନିଶନ ୭ମ, ଭାରତର ରବୀନ୍ଦ୍ର ଜାଡେଜା ୮ମ, ଅଷ୍ଟ୍ରେଲିଆର ସ୍ପିନ ତାରକା ନାଥନ ଲାୟନ ୯ମ ଓ କାୟଲ ଜାମେସନ ୧୦ମ ସ୍ଥାନରେ ରହିଛନ୍ତି । ବ୍ୟାଟିଂ ରାଙ୍କିଙ୍ଗର ଟପ ୧୦ରେ କେବଳ ଗୋଟିଏ ପରିବର୍ତ୍ତନ ହୋଇଛି । ଭାରତ ବିପକ୍ଷ ଟେଷ୍ଟରେ ଏଯାଏ ନିଜର ଦମ ଦେଖାଇଥିବା ଅଷ୍ଟ୍ରେଲିଆର ଉସମାନ ଖ୍ୱାଜା ୨ଟି ସ୍ଥାନ ଉପରକୁ ଉଠି ୯ମରେ ପହଞ୍ଚିଛନ୍ତି ।

ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପୂର୍ବଭଳି ମାର୍ନସ ଲାବୁଶେନ ରହିଥିବା ବେଳେ ୨ନଂରେ ଷ୍ଟିଭ ସ୍ମିଥ ଓ ୩ନଂରେ ଇଂଲଣ୍ଡର ଜୋ ରୁଟ ରହିଛନ୍ତି । ଟପ୍‌ ୧୦ରେ ଭାରତର ଏକମାତ୍ର ବ୍ୟାଟର ଋଷଭ
ପନ୍ତ ୮ମ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.