ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ

0 107

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲଞ୍ଜିଗଡ ବ୍ଲକ୍‌ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାଦଦେଶର ଘଞ୍ଚ ବନାନୀ ମଧ୍ୟରେ ଅବସ୍ଥିତ ବାରବୁଲୀ ଗ୍ରାମର ଆଦିମ ଜନଜାତି କୁଟିଆକନ୍ଧ ସାମ୍ପ୍ରଦାୟର ଚାଷୀ ଓ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରୀ ଚାଷ କରି ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ଆଗ୍ରହକ୍ରମେ ଲାଞ୍ଜିଗଡସ୍ଥିତ କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମରେ ଷ୍ଟ୍ରବେରୀ ଚାଷ ସଫଳ ହୋଇପାରିଛି । ଆଦିମ ଜନଜାତି କୁଟିଆକନ୍ଧ ସମ୍ପ୍ରଦାୟର ଚାଷୀ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଥିବା ବେଳେ ଆଦିମ ଜନଜାତି ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

କଳାହାଣ୍ଡି ଜିଲ୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ଉଦ୍ୟାନ କୃଷିକୁ ବିଭାଗ ବୈଷୟିକ ସହଯୋଗ କରିଥିବା ବେଳେ ଷ୍ଟ୍ରବେରୀର ବିକ୍ରୟ ଦାୟିତ୍ୱ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । ଫଳରେ ଲଞ୍ଜିଗଡ ବ୍ଲକର ସୀମାନ୍ତବର୍ତ୍ତୀ ଏହି ବାରବୁଲୀ ଗ୍ରାମର ଆଦିମ ଜନଜାତି କୁଟିଆକନ୍ଧ ସମ୍ପ୍ରଦାୟର ଚାଷୀ ଓ ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ଷ୍ଟ୍ରବେରୀ ଚାଷ କରିବା ସକାଶେ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳ ଆହରଣ କରିବା ପାଇଁ ପ୍ରଥମେ ଚାଷୀ ମାନଙ୍କୁ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ତରଫରୁ ନୁଆପଡା ଜିଲ୍ଲା ସୁନାବେଡାକୁ କ୍ଷେତ୍ର ପରିଦର୍ଶନ ନିମନ୍ତେ ପଠାଜାଇଥିଲା ଏବଂ ପରେ ଉକ୍ତ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ୫ ଏକର ପରିମିତ ଜମିରେ ଷ୍ଟ୍ରବେରୀ ଚାଷ କରିବା ପାଇଁ ମନୋନିବେଶ କରିଥିଲେ ।

ଏଥିପାଇଁ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମର ପ୍ରକଳ୍ପ ନିର୍ଦ୍ଦେଶକ ୨୮ ଲକ୍ଷ ୫୮ ହଜାର ୩୨ ଟଙ୍କା ଅର୍ଥ ରାଶି ମଞ୍ଜୁର କରିଥିଲେ । ସେଥିମଧ୍ୟରୁ କୃଷି ଉଦ୍ୟାନ ବିଭାଗର ବୁନ୍ଦା ଜଳସେଚନ ପାଇଁ ୨ ଲକ୍ଷ ୮୭ ହଜାର ୭୭୮ ଟଙ୍କା , ଗ୍ରାମପଞ୍ଚାୟତର ଆଦିମ ଜନଜାତି ଉନ୍ନୟନ ପାଣ୍ଠି ରୁ ୩ ଲକ୍ଷ ୮୭ହଜାର ୩୦୦ ଟଙ୍କା ସ୍ୱୟଂ ସହାୟକ ଗୋଷ୍ଠୀର ଅଶଂଧନ ଭାବେ ରଖାଯାଇଥିଲା । ସେହିପରି ଷ୍ଟ୍ରବେରୀ ଚାଷ ପାଇଁ ଉଦ୍ଦିଷ୍ଟ ଜମିକୁ ଜଳ ଯୋଗାଣ ସକାଶେ କୁଟିଆକନ୍ଧ ଉନ୍ନୟନ ସନ୍ସସ୍ଥାର ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ୱାରା ସୌର ପମ୍ପ୍‌ ଯୋଗାଇ ଦିଆଯାଇଥିଲା । ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏଥି ସକାଶେ ଚୟନ କରାଯାଇ ସମୁଦାୟ ୨୮ ଲକ୍ଷ ୫୮ ହଜାର ୩୨ ଟଙ୍କା ବ୍ୟୟ ଅଟକଳ କରାଯାଇ ଏକ ଲକ୍ଷ ଷ୍ଟ୍ରବେରୀ ଚାରା ରୋପଣ କରାଯାଇଥିଲା ।

କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଓ କୃଷି ଅଧିକାରୀ ତଥା ଅନ୍ୟାନ୍ୟ କର୍ମୀ ଉଦ୍ୟାନ କୃଷି ବିଭାଗର ମିଳିତ ତତ୍ତ୍ୱାବଧାନରେ ହିମାଚଳ ପ୍ରଦେଶରୁ ·ରା ଅଣାଯାଇ ଗତ ଜାନୁୟାରୀ ମାସ
୧୦ ତାରିଖ ଦିନଚାରା ରୋପଣ କରାଯାଇଥିଲା । ଏହାର ପ୍ରଥମ ପାଚିଲା ଫଳ ଫେବ୍ରୁୟାରୀ ୨୮ ତାରିଖ ଦିନ ବାହାରିବା ପରେ ଗ୍ରାମର ଚାଷୀଙ୍କ ତରଫରୁ ସର୍ବ ପ୍ରଥମେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷାଙ୍କୁ ପ୍ରଦାନ କରାଯାଇଥିଲା ।
ଏପରିକି ନିକଟରେ ମାର୍ଚ୍ଚ ୫ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ସମୟରେ ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଠାରେ ଉକ୍ତ ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟ୍ରବେରୀ ପ୍ରଦାନ କରାଯାଇଥିଲା ।

ଏହି ଷ୍ଟ୍ରବରୀ ଚାଷର ସଫଳତା ଦେଖି କଳାହାଣ୍ଡି ଫୁଡ୍‌ ଆଣ୍ଡ୍‌ କ୍ରାଫ୍ଟ୍‌  ଏହାର ସଠିକ୍‌ ବଜାରୀକରଣ ଲାଗି କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଓରମାସ୍‌ ଓ ମିଶନ ଶକ୍ତି ବ୍ୟବହାର ବିଭାଗକୁ ଦାୟିତ୍ୱ ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳର ଆଦିମ ଜନଜାତି କୁଟିଆକନ୍ଧ ସମ୍ପ୍ରଦାୟର ଚାଷୀ ପ୍ରମାଣ କରିଦେଇଛନ୍ତି ଯେ ଏଠାରେ ଷ୍ଟ୍ରବେରୀ ଭଳି ଏକ ମୂଲ୍ୟବାନ ଫସଲ ଉତ୍ପାଦନ କରିବା ସହ ତାକୁ ରୋଜଗାରର ମାଧ୍ୟମ ଭାବେ ପରିଣତ କରାଯାଇପାରେ ଅନ୍ୟ ପକ୍ଷରେ ଏଭଳି ଫସଲର ସଠିକ୍‌ ବଜାରୀକରଣ ହୋଇପାରିଲେ ଅଞ୍ଚଳର ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛ ।

Leave A Reply

Your email address will not be published.