ପ୍ରତି ପଞ୍ଚାୟତରେ ଖୋଲିବ ମିଶନଶକ୍ତି ମାର୍କେଟ

0 86

ଭୁବନେଶ୍ୱର : ମହିଳା ସଶକ୍ତିକରଣ, ସାମାଜିକ ଓ ଆର୍ଥିକ ସମାନତା ହାସଲର ବାର୍ତ୍ତାବହ ସାଜିଛି ମିଶନ୍‌ ଶକ୍ତି । ରାଜ୍ୟର ୭୦ ଲକ୍ଷ ମହିଳା ଆଜି ନିଜ ପାଇଁ ନିଜେ ସୃଷ୍ଟି କରିଛନ୍ତି ପରିଚୟ । ସେହି ମହିଳାମାନଙ୍କ ହାତ ମୁଠାକୁ ଟାଣ କରିବା ଲକ୍ଷ୍ୟରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ମାର୍କେଟ୍‌ ବିଲ୍ଡିଂ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିସହ ଏସ୍‌ଏଚ୍‌ଜିଙ୍କୁ ଅଧିକ ପରିମାଣର ଋଣ ସହାୟତା ଦେବା ପାଇଁ ସବୁ ବ୍ୟାଙ୍କକୁ ପତ୍ର ଲେଖିଛି ରାଜ୍ୟ ଅର୍ଥ ବିଭାଗ ।

ଏହି ଅର୍ଥର ସୁବିନିଯୋଗ ପାଇଁ ଏସ୍‌ଏଚ୍‌ଜିଙ୍କୁ ଆବଶ୍ୟକ ତାଲିମ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛି ରଣନୀତି । ସୂଚନା ଅନୁସାରେ ରାଜ୍ୟର ୩ ଲକ୍ଷ ଏସ୍‌ଏଚ୍‌ଜିଙ୍କୁ ଇତିମଧ୍ୟରେ ୮ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଇଛି । ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଞ୍ଜୁର କରାଯାଉଛି । ପୂର୍ବରୁ ସର୍ବାଧିକ ଋଣ ସୀମା ୩ ଲକ୍ଷ ଥିଲା । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଋଣ ଉପରେ ସୁଧ ବାବଦରେ ୨୦୦ କୋଟି ଟଙ୍କା ଏସ୍‌ଏଚ୍‌ଜିଙ୍କ ଆକାଉଣ୍ଟରେ ଫେରସ୍ତ କରିବା ପାଇଁ ଲକ୍ଷ୍ୟ ରହିଛି ।

ସେହିପରି ଆଗାମୀ ୫ ବର୍ଷ ଭିତରେ ୫୦ ହଜାର କୋଟି ଟଙ୍କାର ଋଣ ସହାୟତା ଦିଆଯିବ । ଋଣ ଫେରସ୍ତ ବାବଦରେ ୧୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମହିଳା ଏସ୍‌ଏଚ୍‌ଜିଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆଉ ଏକ ପାଦ ଆଗକୁ ନେଇ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ମାର୍କେଟ୍‌ ବିଲ୍ଡିଂ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏ ନେଇ ମିଶନ୍‌ଶକ୍ତି ବିଭାଗକୁ ସୁପାରିସ କରାଯାଇଛି ।

ମିଶନ୍‌ ଶକ୍ତି ମହିଳାଙ୍କ ଉତ୍ପାଦ ବିକ୍ରି ପାଇଁ ୫୦୦ ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲାଯିବ । ଏଥିସହ ଭୁବନେଶ୍ୱରରେ ଏକ ମିଶନ୍‌ ଶକ୍ତି ବୁଟିକ୍‌ ଖୋଲାଯିବ । ଏବେ ସୁଦ୍ଧା ରାଜ୍ୟର ୩୦୦ ଏସ୍‌ଏଚ୍‌ଜି ସେମାନଙ୍କ ଉତ୍ପାଦର ଅନଲାଇନ୍‌ ମାର୍କେଟିଂ ପାଇଁ ଫ୍ଲିପ୍କାର୍ଟ ସହିତ ଅନୁବନ୍ଧିତ ହୋଇଛନ୍ତି । ମିଶନଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ମିଶନ୍‌ ଶକ୍ତି ବିଭାଗ ଜରିଆରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ବିଶ୍ୱ ଆଗରେ ଉଦାହରଣ ସୃଷ୍ଟି କରିଛନ୍ତି ।

୭୦ ଲକ୍ଷ ମହିଳାଙ୍କୁ ନେଇ ବିଶାଳ କର୍ମବଳ ସୃଷ୍ଟି କରାଯାଇଛି । ସ୍ଥାନୀୟ ବଜାରର ·ହିଦାକୁ ଦୃଷ୍ଟିରେ ରଖି ଏସ୍‌ଏଚ୍‌ଜିଙ୍କ ଉତ୍ପାଦ ବ୍ରିକି ପାଇଁ ଲକ୍ଷ୍ୟ ରହିଛି । ଏଥିପାଇଁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ପୂର୍ବରୁ ସହରର ମୁଖ୍ୟାଳୟରେ ପ୍ରଶିକ୍ଷଣ ଦିଆଯାଉ ଥିଲା । କିନ୍ତୁ ଏବେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବ୍ଲକସ୍ତରରେ ଆରମ୍ଭ ହୋଇଛି । ପ୍ରତି ବ୍ଲକ, ପଞ୍ଚାୟତରେ ମିଶନ୍‌ ଶକ୍ତି ବଜାର, ମିଶନ୍‌ ଶକ୍‌ତି କାଫେ ଖୋଲାଯାଉଛି । ଜିଲ୍ଲାସ୍ତରରେ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି ।

ଏହା ଦ୍ୱାରା ଆମର ଏସ୍‌ଏଚ୍‌ଜି ଗୋଷ୍ଠୀ ଗୁଣାତ୍ମକ ସାମଗ୍ରୀ ଉତ୍ପାଦନ କରିବା ସହିତ ବିକ୍ରି ପାଇଁ ଉପଯୁକ୍ତ ବଜାର ପାଇପାରିବେ ବୋଲି ସେ କହିଛନ୍ତି । ରାଜ୍ୟର ମହିଳା ଏସ୍‌ଏଚ୍‌ଜିମାନେ ଯେପରି ବ୍ୟାଙ୍କ ଋଣ ପାଇବାରେ ସମସ୍ୟା ଭୋଗିବେ ନାହିଁ ସେଥିପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ସବୁ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଛନ୍ତି ।

Leave A Reply

Your email address will not be published.