ଜଟିଳ ସ୍ଥିତିରେ ଭାରତ-ଚୀନ ସମ୍ପକ

0 83

ନୂଆଦିଲ୍ଲୀ : ଚୀନ ସହିତ ଭାରତର ସମ୍ପର୍କ ଜଟିଳତା ମଧ୍ୟ ଦେଇ ଗତି କରୁଛି । ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତାବସ୍ଥାରେ ପରିବର୍ତ୍ତନ ନିମନ୍ତେ ଚୀନର ଏକପାଖିଆ ଉଦ୍ୟମ ଦ୍ୱିପାକ୍ଷିକ ସମ୍ପର୍କକୁ ତିକ୍‌ତ କରିଛି ବୋଲି ଭାରତ କହିଛି । ସୋମବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମଇଏ) ପକ୍ଷରୁ ଜାରି ୨୦୨୧-୨୨ ବାର୍ଷିକ ରିପୋର୍ଟରେ ଏପରି କୁହାଯାଇଛି । ମନ୍ତ୍ରଣାଳୟ ଏହାର ରିପୋର୍ଟରେ ଦର୍ଶାଇଛି ଯେ ୨୦୨୦ ମେ ମାସ ପରଠାରୁ ଚୀନ ଏଲଏସିର ସ୍ଥିତାବସ୍ଥାରେ ପରିବର୍ତ୍ତନ ନିମନ୍ତେ ବାରମ୍ବାର ଉଦ୍ୟମ କରିଛି । ସୀମା ସ୍ଥିତିରେ ପରିବର୍ତ୍ତନ ଆଣିବା ପୂର୍ବରୁ ଭାରତ ସହିତ ଆଲୋଚନା କରିବାର ଆବଶ୍ୟକତାକୁ ଚୀନ ଉପେକ୍ଷା କରିଛନ୍ତି ।

ଚୀନର ଏପରି ଏକପାଖିଆ ଉଦ୍ୟମ ଯୋଗୁଁ ସୀମାରେ ଶାନ୍ତି ଓ ସ୍ଥିରତା ବ୍ୟାହତ ହେବା ସହିତ ଦ୍ୱିପାକ୍ଷିକ ସମ୍ପର୍କ ତିକ୍‌ତ କରିଛି । ସୀମା ସ୍ଥିତିରେ ପରିବର୍ତ୍ତନ ନିମନ୍ତେ ଚୀନର ଏକପାଖିଆ ଉଦ୍ୟମକୁ ଭାରତ ସେନା ପ୍ରତିଥର ବିରୋଧ କରିବା ସହିତ ଏହାର ଉପଯୁକ୍ତ ଜବାବ ଦେଇଛି । ବୈଦେଶିକ ମନ୍ତ୍ରଣାଳୟର ଯୋଜନା ଓ ନୀତି ପ୍ରଣୟନକାରୀ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଚୀନ ସହିତ ସମ୍ପର୍କ ଜଟିଳ ରହିଥିଲେ ମଧ୍ୟ ଦୁଇ ଦେଶ ବିବାଦକୁ ଆପୋସ ସମାଧାନ ନିମନ୍ତେ ସମ୍ମତି ପ୍ରକାଶ କରିଛନ୍ତି । ଦ୍ୱିପାକ୍ଷିକ ମତଭେଦକୁ ବିବାଦର ରୂପ ନ ଦେବା ଲାଗି ଉଭୟ ଦେଶ ମିଳିତ ପ୍ରୟାସ କରି ଚାଲିଛନ୍ତି । ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦକୁ ସମାଧାନ କରିବା ସହିତ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଆଗାମୀ ଦିନରେ ମଧ୍ୟ ପ୍ରୟାସ କରିବେ ।

ସୀମାର ସମସ୍ତ ବିବାଦୀୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ସାମରିକ ଓ କୂଟନୈତିକ ସ୍ତରରେ କଥାବାର୍ତ୍ତା ଜାରି ରହିଛି । ୨୦୨୧ ସେପ୍ଟେମ୍ବର ୧୬ରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ୍‌ ଆଲୋଚନା ହୋଇଥିଲା । ତାଜିକସ୍ତାନର ଦୁସାନବେରେ ଅନୁଷ୍ଠିତ ଏସସିଓ ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କୁ ଭେଟିଥିଲେ । ସାକ୍ଷାତ କାଳରେ ଉଭୟ ନେତା ସୀମା ପରିସ୍ଥିତି ବାବଦରେ ଆଲୋଚନା କରିଥିଲେ ।

ସେହିପରି ଗତବର୍ଷ ମାର୍ଚ୍ଚ ୨୫ରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଭାରତ ଗସ୍ତରେ ଆସିଥିଲେ । ଏହି ଗସ୍ତ କାଳରେ ସେ ଭାରତ ପ୍ରତିପକ୍ଷଙ୍କୁ ସାକ୍ଷାତ କରି ସୀମା ବିବାଦ ଉପରେ ଆଲୋଚନା କରିଥିଲେ । ତେଣୁ ସୀମା ବିବାଦର ଆପୋସ ସମାଧାନ କରାଯିବା ଉଭୟ ଦେଶ ଚାହାନ୍ତି । ସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଯୋଗୁଁ କୌଣସି ଦେଶର ଲାଭ ହେଉ ନାହିଁ । ଏହା ଦୁଇ ଦେଶର ସମ୍ପର୍କରେ ନକାରାତ୍ମକ ପ୍ରଭାବ ପକାଉଛି ବୋଲି ଉଭୟ ଦେଶ ଅନୁଭବ କରିଛନ୍ତି । ତେଣୁ ସୀମା ବିବାଦର ଆପୋସ ଓ ତ୍ୱରିତ ସମାଧାନ ନିମନ୍ତେ ଭାରତ ସର୍ବଦା ଉଦ୍ୟମ କରିଆସୁଛି ।

Leave A Reply

Your email address will not be published.