ମୁଖ୍ୟ ଶାସନ ସଚିବ-ଡ୍ରାଇଭର ସଂଘ ପ୍ରତିନିଧିଙ୍କ ଆଲୋଚନା, ୩ ମାସ ଯାଏ ଆନ୍ଦୋଳନ ସ୍ଥଗିତ

0 101

ଭୁବନେଶ୍ୱର : ୩ ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭରଙ୍କ ଦାବି । ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗୁରୁବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ଡ୍ରାଇଭର ଏକତା ମହାସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏନେଇ ଡ୍ରାଇଭର ମହାସଂଘର ଆବାହକଙ୍କୁ ମୁଖ୍ୟ ଶାସନ ସିଚବ ଚିଠି ଲେଖି ଜଣାଇଥିଲେ ।

ତେବେ ଲିଖିତ ପ୍ରତିଶ୍ରୁତି ପରେ ୩ମାସ ଯାଏ ଆନ୍ଦୋଳନକୁ ସ୍ଥଗିତ ରଖିଛି ଡ୍ରାଇଭର ସଂଘ । ଯଦି ସରକାର ଏଥିରେ ଟାଳଟୁଳ ନୀତି ଗ୍ରହଣ କରନ୍ତି ତେବେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୧୦ ଦଫା ଦାବି ନେଇ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ôଚଛି । ଦ୍ୱିତୀୟ  ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍‌ ଓ ଟ୍ରକ୍‌ ଚଳାଚଳ ପ୍ରଭାବିତ ହୋଇଛି । ଗତକାଲି ଭଳି ଆଜି ବି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଓ କଟକ ବାଦାମବାଡି ବସଷ୍ଟାଣ୍ଡ ଖାଁ ଖାଁ ଲାଗୁଛି । ଆବଶ୍ୟକ ଯାତ୍ରୀ ଓ ବସ୍‌ ନଥିବାରୁ ବସ୍‌ଷ୍ଟାଣ୍ଡରୁ ଗଡୁନି ବସ୍‌ । ବସ୍‌ ଚାଲୁନଥିବାରୁ ଯାତ୍ରୀ ମାନେ ଫେରିଯାଉଥିବାର ଦେଖିବାକୁ ମିଳିଛି  ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ଏବେ ବି ଧାରଣାରେ ବସି ରହିଛନ୍ତି ।

ଡ୍ରାଇଭର ମାନଙ୍କ ଧାରଣା ଯୋଗୁଁ ମାଲ ପରିବହନ ବାଧାପ୍ରାପ୍ତ ହୋଇଛି । ଫଳରେ ପନିପରିବା, ପେଟ୍ରୋଲ ସମେତ ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବଢିବା ଆଶଙ୍କା କରାଯାଉଛି । ଅପରପକ୍ଷରେ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ବସ୍‌ ଚଳାଚଳ ପ୍ରଭାବିତ ହେବା ପାଇଁ ପୋଲିସ ଦାୟୀ ବୋଲି କହିଛନ୍ତି । ସେ କହିଛନ୍ତି ପୋଲିସ ଉପସ୍ଥିତିରେ ଆମ ବସ୍‌ ଡ୍ରାଇଭରଙ୍କୁ ଅପମାନିତ କରାଯାଉଛି । ପୋଲିସ ସୁରକ୍ଷା ଦେବାକୁ କହି ଦେଉନି, ଆମେ କିପରି ବସ୍‌ ଚଳାଇବୁ । ସେମାନେ ରାସ୍ତାରେ ଗାଡ଼ିକୁ ଅଟକାଉଛନ୍ତି, ପୋଲିସ ଥାଇ କିଛି କରୁ ନାହିଁ । ଏନେଇ ପୋଲିସ ଡିଜିଙ୍କୁ ମଧ୍ୟ ଜଣାଇ ସାରିଛି । ଆଜି ବୈଠକ ଅଛି, ଅପରାହ୍ନ ୨ଟା ସୁଦ୍ଧା ନିଷ୍ପତ୍ତି ଜଣାଇବୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.